ସିଏମ୍‌ସି କାଉନ୍‌ସିଲ ବୈଠକ: ଜଳ ନିଷ୍କାସନ, ପଙ୍କୋଦ୍ଧାର, ରାସ୍ତାଘାଟ ମୁଖ୍ୟ ପ୍ରସଙ୍ଗ

ସିଏମ୍‌ସି କାଉନ୍‌ସିଲ ବୈଠକ

ଖୁବଶୀଘ୍ର ସମସ୍ୟା ସମାଧାନ ପାଇଁ ମେୟର୍‌ ସୁବାସ ସିଂହଙ୍କ ପ୍ରତିଶୃତି

କଟକ: କଟକ ମହାନଗର ନିଗମ ନିର୍ବାଚିତ କାଉନସିଲ୍‌ର ୪ର୍ଥ ବୈଠକ ତଥା ସାଧାରଣ ଅଧିବେଶନ ଆଜି ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିଗମର ୫୯ଟି ୱାର୍ଡର ବର୍ଷା ଜଳ ନିଷ୍କାସନ, ପଙ୍କୋଦ୍ଧାର ଓ ପାଣି ପମ୍ପ ମରାମତି ବିଷୟ ଉପରେ ଆଲୋଚନା କରାଯାଇଛି। ଏସବୁ ସମସ୍ୟା ସହିତ ସହରର ରାସ୍ତଘାଟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମେୟର ସୁବାସ ସିଂହ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ସିଏମ୍‌ସିର ଇଂଜିନୟରଙ୍କୁ ଦାୟିତ୍ବ ଦିଆଯାଇଥିବା ୱାର୍ଡର ଡ୍ରେନ ନିର୍ମାଣ ଓ ପଙ୍କୋଦ୍ଧାର କାମର ତଦାରଖ କରିବାକୁ ମେୟର ଇଂଜିନୟରିଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୫୯ଟି ୱାର୍ଡରେ ସିଏମ୍‌ସି ପକ୍ଷରୁ ଚାଲିଥିବା ବିଭିନ୍ନ କାମକୁ ଦେଖିବା ପାଇଁ ନିଗମର ଇଂଜିନିୟର, ସେକ୍ଟର ଅଫିସର, ସାନିଟାରି ଇନ୍ସିପେକ୍ଟର ଓ କର୍ପୋରେଟରଙ୍କୁ ନେଇ କମିଟି ଗଠନ କରିବାକୁ ବୈଠକରେ ସ୍ଥିର ହୋଇଛି। କଟକର ଚିତ୍ର ବଦଳାଇବା ପାଇଁ ସିଏମ୍‌ସିର ୫୯ ଜଣ କର୍ପୋରେଟର, ନିଗମର ଅଧିକାରୀ ଓ କର୍ମଚାରୀଙ୍କୁ ଏକାଠି ହୋଇ କାମ କରିବାକୁ ମେୟର ଶ୍ରୀ ସିଂହ ବୈଠକରେ ଆହ୍ବାନ ଦେଇଛନ୍ତି। କାଉନସିଲ ବୈଠକ ଆରମ୍ଭରେ ଗତ ଏପ୍ରିଲ ମାସର ନିଗମର ଆୟ ଓ ବ୍ୟୟ ଉପରେ ବିତ୍ତ ଅଧିକାରୀ ଲୁସି ସ୍ବାଇଁ ସୂଚନା ଦେଇଥିଲେ। ଗତ ମାସରେ ନିଗମର ୨ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କା ଆୟ ହୋଇଥିବା ବେଳେ ୧୯ କୋଟି ୫୮ ଲକ୍ଷ ୮୦ ହଜାର ଟଙ୍କ ବ୍ୟୟ ହୋଇଛି। ଚଳିତ ବର୍ଷ ସିଏମ୍‌ସିରେ ପଙ୍କୋଦ୍ଧାର ପାଇଁ ୧୧୫ଟି ଟେଣ୍ଡର କରାଯାଇଛି ବୋଲି ସିଟି ଇଂଜିନିୟର ସୁବାରାଓ ପାତ୍ର କହିଛନ୍ତି। ବୈଠକରେ ସିଏମ୍‌ସିର ଏମ୍‌ଏସ୍‌ଡବ୍ଲୁସି ୧ ଓ ୨ର ସଫେଇ କାମ ଜାଇକା, ବିଏସ୍‌ଡବ୍ଲୁସି ଡ୍ରେନର କାମ ସିଏମ୍‌ସିର ଇଂଜିନିୟରିଂ ବିଭାଗ ଓ ସର୍ଫେସ ଡ୍ରେନର ପଙ୍କୋଦ୍ଧାର କାମ ନିଗମର ସ୍ବାସ୍ଥ୍ୟ ବିଭାଗ କରିବ ବୋଲି ସୂଚନା ଦିଆଯାଇଛି।

ୱାର୍ଡରେ ଡ୍ରେନ ସଫେଇ ଚାଲିଥିବା ବେଳେ ନିଗମ ଇଂଜିନିୟର ଏହାର ତଦାରଖ କରିବାକୁ ଆସୁନଥିବା ବହୁ କର୍ପୋରେଟର ଅଭିଯୋଗ ଆଣିଥିଲେ। ଡ୍ରେନ ସଫେଇ ଓ ମରାମତି କାମ ଦେଖିବାକୁ ପ୍ରତିଦିନ ଦୁଇ ଚକିଆ ଗାଡିରେ ୱାର୍ଡ ବୁଲିବାକୁ ସିଏମ୍‌ସିର ସମସ୍ତ ଇଂଜିନୟରଙ୍କୁ ମେୟର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଜାଇକା ପକ୍ଷରୁ ଗୋଟିଏ ରାସ୍ତାକୁ ବାରମ୍ବାର ଖୋଳି କାମ କରାଯିବା ବିଷୟକୁ ସଭା‌ରେ ଉଠାଯାଇଥିଲା। ଗୋଟିଏ ରାସ୍ତାକୁ ଥରେ ଖୋଳି କାମ ଶେଷ କରିବାକୁ ଜାଇକାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଜଳ ନିଷ୍କାସନ ପାଇଁ ସିଏମ୍‌ସି ନିକଟରେ ୨୨୦ଟି ପାଣି ପମ୍ପ ଥିବା ବେଳେ‌ ସେଥିରୁ ୮୦ଟି ଖରାପ ରହିଛି ବୋଲି ସୂଚନା ଦିଆଯାଇଥିଲା। ଏବେ ୩୦ଟି ପମ୍ପର ମରାମତି ଚାଲିଥିବା ସମୟରେ ୨୪ଟି ଭଲଭୋ ପମ୍ପର ଡ୍ରାଇଭର ଓ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ସହରର ସମସ୍ତ ଡ୍ରେନ ସଫେଇ କାମ ଶେଷ ହେବ। ପୂର୍ବରୁ ତଳିଆ ଅଞ୍ଚଳର ଲୋକେ ରାତି ରାତି ଜଳବନ୍ଦି ମଧ୍ୟରେ ରହୁଥିବା ‌ବେଳେ ଆଗାମୀ ଦିନରେ ଏହି ସମସ୍ୟା ଏକ ଘଣ୍ଟା ମଧ୍ୟରେ ଦୂର ହେବ ବୋଲି ମେୟର ସୁବାସ ସିଂହ ସହରବାସୀଙ୍କୁ ଆଜିର ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ କମିସନର ଅନନ୍ୟା ଦାସ, ଡେପୁଟି ମେୟର ଦମୟନ୍ତୀ ମାଝୀ, ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ସିଟି ଇଂଜିନିୟର ସୁବାରାଓ ପାତ୍ର, ବାରବାଟୀ-କଟକ ବିଧାୟକଙ୍କ ପ୍ରତିନିଧି କେଦାର ପୃଷ୍ଟି, ଚୌଦ୍ବାର-କଟକ ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ସଦର ବିଧାୟକଙ୍କ ପ୍ରତିନିଧି ମନୋରଂଜନ ମହାପାତ୍ରଙ୍କ ସହିତ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଗଞ୍ଜାମରେ ୧୭ରେ ରେଳରୋକ

Sun May 15 , 2022
ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି ନେଇ ଆସନ୍ତା ୧୭ତାରିଖରେ ରେଳରୋକ କରାଯିବ। ପୂର୍ବରୁ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନର ଷ୍ଟପେଜ୍‌ ଥିଲା। କିନ୍ତୁ କରୋନା ଯୋଗୁଁ ହୀରାଖଣ୍ଡ ଓ ପୁରୀ-ତିରୁପତି ‌ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ରହଣି ଉଚ୍ଛେଦ କରି ଦିଆଯାଇଛି। କରୋନା କଟକଣା କୋହଳ ହେଲା ପରେ ମଧ୍ୟ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହୁ ନାହିଁ। ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି […]
ଗଞ୍ଜାମରେ ୧୭ରେ ରେଳରୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial