ମେ’ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ତାରାତାରିଣୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ତାରାତାରିଣୀ ଗସ୍ତ

ଛତ୍ରପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ତାରାତାରିଣୀ ପୀଠ ଗସ୍ତ କରିଛନ୍ତି। ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ସମୟରେ ଶ୍ରଦ୍ଧାଳୁ ଯେଭଳି ସୁରକ୍ଷିତ ଭାବେ ମା’ଙ୍କୁ ଦର୍ଶନ କରିପାରିବେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ମନ୍ଦିର ପରିସରରେ ପାର୍କିଂ ଓ ପାନୀୟଜଳଠୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ଉତ୍ସବରେ ବିଧାୟକମାନଙ୍କ ସହ ନବନିର୍ବାଚିତ ଜନପ୍ରତିନିଧି ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସାମିଲ ହେବେ। ଆସନ୍ତାକାଲି ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ରହିଛି। ୧୬ ତାରିଖରେ ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣ ବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର ଓ ପୂଜାହୋମ, ୧୭ରେ ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ତିପାଠ, ମହାରୁଦ୍ରାଭିଷେକ, ପାର୍ଶ୍ବ ଦେବାଦେବୀଙ୍କ ସପ୍ତାଧିବାସ କାର୍ଯ୍ୟକମ ହୋଇଥିଲା। ଆସନ୍ତାକାଲି ସୂର୍ଯ୍ୟପୂଜା ସହ ମଣ୍ତଳଦେବତା ପୂଜା, ହୋମ, ଦଶମହାବିଦ୍ୟା, ଯଜ୍ଞ, ୧୯ରେ ସୂର୍ଯ୍ୟପୂଜା ଓ ୨୦ରେ ତ୍ରିଶୂଳ ଓ ପାର୍ଶ୍ବଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ ଏବଂ ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୁତି ହେବ। ସେହିପରି ଅନ୍ୟାନ୍ୟ ନୀତି ମଧ୍ୟ ସଂପନ୍ନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଯଜ୍ଞ ମଣ୍ତପ, ପ୍ରାଶାସନିକ ଗୃହ, ମାକେର୍ଟ କମ୍ପ୍ଲେକ୍ସ୍, ଭୋଗ ବଣ୍ଟନ ଗୃହ ଓ ଦୀପ ଘର ଆଦି ନିର୍ମାଣ କରାଯାଇଛି। ଏହାସହ ମନ୍ଦିରର ସୌନ୍ଦର୍ଯ୍ୟୀକରଣକୁ ବୃଦ୍ଧି ପାଇଁ ବୃକ୍ଷରୋପଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

Share Now:

Kalinga News Beuro

Next Post

ଏ ବର୍ଷ ଜଲଦି ଆସିପାରେ ମୌସୁମୀ

Tue May 17 , 2022
ନୂଆଦିଲ୍ଲୀ : ଏବର୍ଷ ଆଗୁଆ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଇତି ମଧ୍ୟରେ ଏହା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁସାରିଲାଣି। ମୌସୁମୀ ଏବେ କେରଳ ଆଡ଼କୁ ମୁହାଁଇଛି। ଏହା ଆସନ୍ତା ୨୬ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି। ମୌସୁମୀ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ। ଅର୍ଥାତ ଏକ ସପ୍ତାହ ଆଗରୁ ମୌସୁମୀ ଆସିବ। ଏହି କ୍ରମରେ ଆସନ୍ତା ଜୁନ ୬ ସୁଦ୍ଧା ମୌସୁମୀ ଓଡ଼ିଶା […]
ଏ ବର୍ଷ ଜଲଦି ଆସିପାରେ ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial