ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥର ନକ୍ସା ଜାରି

ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥର ରୂପରେଖ। ଏଥିପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ପ୍ରଶସ୍ତ ରାସ୍ତା ସାଙ୍ଗକୁ ‌ଗେଟ୍‌ ସମୁଖରେ ଶୋଭା ପାଇବ ୱାଟର୍‌ ଫାଉଣ୍ଟେନ୍‌। ବାଣୀବିହାର ଓଭରବ୍ରିଜ୍‌ଠାରୁ ପ୍ରଶାସନିକ ବିଲ୍ଡିଂ ପର୍ଯ୍ୟନ୍ତ ୮ଶହ ମିଟରର ନୂଆ ରାସ୍ତା ନିର୍ମାଣ କରାଯିବ। ଓଡ଼ିଶା ଆର୍କିଟେକ୍‌ ରୁଚିପୂର୍ଣ୍ଣା ଜେନା ଏହାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ଫାଟକ ସମେତ ସୁରକ୍ଷା କର୍ମୀଙ୍କ ପ୍ରକୋଷ୍ଠ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର ଲେଖାଁଏ ପକ୍କା ରାସ୍ତା ଏବଂ ରାସ୍ତାର ଦୁଇ କଡ଼ରେ ୬ ଫୁଟ୍‌ ଲେଖାଏଁ ଫୁଟ୍‌ପାଥ୍‌ ରାସ୍ତା ନିର୍ମାଣ କରାଯିବ। ଏଥିସହ ବିଶ୍ବବିଦ୍ୟାଳୟ ପାଖ ଦେଇ ଯାଇଥିବା ଗଙ୍ଗୁଆ ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେବ। ରାସ୍ତାର ଉଭୟ ପାର୍ଶ୍ବରେ ସବୁଜବଳୟ ସୃଷ୍ଟି କରାଯିବା ସହ ନୂଆ ମୁଖ୍ୟ ଫାଟକରେ କେବଳ ପ୍ରବେଶ ପଥ ରହିବ। ଏବେ ଥିବା ମୁଖ୍ୟ ଫାଟକକୁ ପ୍ରସ୍ଥାନ ପଥ ଭାବେ ବ୍ୟବହାର କରାଯିବ। ଏଥିପାଇଁ ବାଣୀବିହାର ଛକରେ ଥିବା ଜବରଦଖଲକୁ ଖୁବ୍‌ଶୀଘ୍ର ଉଚ୍ଛେଦ କରିବା ପାଇଁ ବିଡିଏ ଓ ବିଏମ୍‌ସିକୁ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ଗତ ସମାବର୍ତ୍ତନ ଉତ୍ସବରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଖୁବ୍‌ଶୀଘ୍ର ଜବରଦଖଲ ଉଚ୍ଛେଦ କରାଯାଇ ନୂତନ ପ୍ରବେଶ ପଥ କାମ ଆରମ୍ଭ ହେବ ବୋଲି କହିଥିଲେ। ମନ୍ତ୍ରୀଙ୍କ କହିବାର ମାସକ ମଧ୍ୟରେ ପ୍ରବେଶ ପଥ ନକ୍ସା ଆଜି ସାମାଜିକ ଗଣମାଧ୍ୟମରେ ବୁଲୁଥିବାରୁ ନୂତନ ପ୍ରବେଶ ପଥ କାମ ଆରମ୍ଭ ହେବା ନେଇ ଛାତ୍ରଛାତ୍ରୀ ଅଶାବ୍ୟକ୍ତ କରିଛନ୍ତି। ସେହିପରି ବିଶ୍ବବିଦ୍ୟାଳୟକୁ ଆକର୍ଷଣୀୟ କରିବା ସହ କ୍ୟାମ୍ପସ୍‌ରେ ଏକ ଶୃଙ୍ଖଳିତ ଓ ଶିକ୍ଷାର ବାତାବରଣ ସୃଷ୍ଟି କରିବା ପାଇଁ ବାଣୀବିହାର ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରୋଜେକ୍ଟକୁ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ। ଏଥିପାଇଁ ୨୫ ‌କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସଂପୂର୍ଣ୍ଣ ରାସ୍ତାରେ ସୋଲାର ସିଷ୍ଟମ୍‌ ଲାଗିବ। ରାଜ୍ୟ ପୁଲିସ ହାଉସିଂବୋର୍ଡ ଏହି କାମ କରିବ ବୋଲି ସୂଚନା ମଳିଛି। କ୍ୟାମ୍ପସ ପ୍ରବେଶ ପଥ ନିର୍ମାଣରେ ବିଳମ୍ବ ହେଉଥିବା ନେଇ ଗତ ସପ୍ତାହରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପ‌ରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ତତ୍ପରତା ପ୍ରକାଶ କରିଛନ୍ତି। କୁଳପତି ପ୍ରଫେସର୍‌ ଆଚାର୍ଯ୍ୟ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଆସିବାରେ ପିଲାମାନଙ୍କର ଅସୁବିଧା ହେଉଛି। ସେମାନେ ବାଧ୍ୟ ହୋଇ ବାଣୀବିହାର ଛକରୁ ରଙ୍ଗରୁଟ୍‌ରେ ଯାତାୟାତ କରୁଛନ୍ତି। ଏହା ସେମାନଙ୍କ ପାଇଁ ବିପଦ ସାଜୁଛି। ତେଣୁ ଡିଡିସିଇ ପାଖରେ ନୂତନ ପ୍ରବେଶ ପଥ ନିର୍ମାଣ ହେବ। ତାହା ବାଣୀବିହାର ଛକରୁ ସିଧା ପ୍ରଶାସନିକ ବିଲ୍ଡିଂକୁ ସଂଯୋଗ କରିବ। ନୂତନ ଗେଟ୍‌କୁ ପ୍ରବେଶ ଏବଂ ପୁରୁଣା ଗେଟ୍‌କୁ ପ୍ରସ୍ଥାନ ପଥ ଭାବେ ବ୍ୟବହାର କରାଯିବ। ଏନେଇ ବାରମ୍ବାର ବୈଠକ କରାଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି। ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ନକ୍ସା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି। ୩ ମାସ ତଳେ ଉପସ୍ଥାପିତ ହୋଇଥିଲା। ପୁଲିସ ହାଉସିଂବୋର୍ଡକୁ ଏହାର ଖର୍ଚ୍ଚ ଆକଳନ କରିବାକୁ କୁହାଯାଇଛି। ତା’ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Share Now:

Kalinga News Beuro

Next Post

ଟ୍ୟାଙ୍କ, ଯୁଦ୍ଧଯାନ ପରିବହନ ପାଇଁ ପେଙ୍ଗୋଙ୍ଗ ହ୍ରଦ ଉପରେ ଏକ ବଡ଼ ପୋଲ ନିର୍ମାଣ କରୁଛି ଚୀନ

Wed May 18 , 2022
ନୂଆଦିଲ୍ଲୀ : ବିବାଦୀୟ ପେଙ୍ଗୋଙ୍ଗ ହ୍ରଦରେ ଆଉ ଏକ ପୋଲ ନିର୍ମାଣ କରୁଛି ଚୀନ। ଏହି ୨ୟ ପୋଲଟି ପ୍ରଥମଟି ତୁଳନାରେ ବଡ଼ ଓ ଅଧିକ ମଜବୁତ। ଭାରି ଯୁଦ୍ଧ ଯାନ ଯାତାୟାତ ପାଇଁ ଚୀନ ଏହାକୁ ନିର୍ମାଣ କରିଥିବା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଏପରିକି ଏହି ପୋଲ ଦ୍ବାରା ଟ୍ୟାଙ୍କ ମଧ୍ୟ ଯାଇପାରିବ ବୋଲି କୁହାଯାଉଛି। ଓପନ ସୋର୍ସ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ ସାଇମନ କହିଛନ୍ତି ଯେ ବିଭିନ୍ନ […]
ପେଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial