୧୦୭ ବର୍ଷ ହେବ ବାରବାଟୀ ଦୁର୍ଗ ଏଏସ୍ଆଇ ଅଧୀନରେ
କଟକ: କଟକର ସ୍ବାଭିମାନ, ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଭଳି ଐତିହ୍ୟ ସହିତ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଖେଳୁଛି। ଓଡ଼ିଶାର ଐତିହ୍ୟ ପ୍ରତି ଏଏସ୍ଆଇର ଯେ ଆନ୍ତରିକତା ନାହିଁ ବାରବାଟୀ ଦୁର୍ଗର ସ୍ଥିତିରୁ ତାହା ଜଳ ଜଳ ହୋଇ ଦିଶୁଛି। ବାରବାଟୀ ଦୁର୍ଗ ଏବେ କେମିତି ଅଛି? କେମିତି ଚାଲିଛି ଖନନ କାର୍ଯ୍ୟ? ବାହାରିଥିବା କୀର୍ତ୍ତିରାଜି, ପ୍ରସ୍ତର ଏବେ କେଉଁଠି? କାହିଁକି ଦୁର୍ଗର ବିକାଶ ହୋଇପାରୁନି, ଏ ନେଇ ଏଏସ୍ଆଇ ଡିଜି, ରାଜ୍ୟରେ ଥିବା ବରିଷ୍ଠ ଅଧିକାରୀମାନେ କେବେ ତଦାରଖ କରିନାହାନ୍ତି। ଜଣେ ସହାକାରୀ ସଂରକ୍ଷକ, ହର୍ଟିକଲଚର୍ ବିଭାଗର ଜଣେ କର୍ମଚାରୀଙ୍କ ହାତରେ ବାରବାଟୀ ଦୁର୍ଗ ସଂରକ୍ଷଣ ଦାୟିତ୍ବ ଦିଆଯାଇଛି। ଦାୟିତ୍ବରେ ଥିବା ଅଧିକାରୀ ବାରବାଟୀ କେତେ ଅଞ୍ଚଳ ଭିତରେ ରହିଛି ଓ ଏ ସଂପର୍କିତ ମୌଳିକ ସୂଚନା ମଧ୍ୟ ଦେଇ ପାରୁନାହାନ୍ତି।
ପ୍ରକାଶ ଯେ, ବାରବାଟୀ ଦୁର୍ଗ ବ୍ରିଟିଶ ଅମଳରୁ ଏଏସ୍ଆଇ ଅଧୀନରେ ରହିଛି। ଗତ ୧୯୧୫ ମସିହାରେ ବାରବାଟୀ ଦୁର୍ଗକୁ ସଂରକ୍ଷିତ କୀର୍ତ୍ତିରାଜି ଘୋଷଣା କରିବା ସହିତ ଏହାର ରକ୍ଷଣାବେକ୍ଷ ଦାୟିତ୍ବ ଏଏସଆଇ ନେଇଥିଲା। ଦୀର୍ଘ ୧୦୭ ବର୍ଷ ପରେ ବାରବାଟୀ ଦୁର୍ଗର ସ୍ଥିତିରେ ସେଭଳି କିଛି ପରିବର୍ତ୍ତନ ହୋଇନାହିଁ। ଏପରିକି ୮୯ରୁ ଖନନ ଆରମ୍ଭ କରିଥିବା ଏଏସ୍ଆଇ ଏ କାମ ମଧ୍ୟ ସାରି ପାରିନାହିଁ। ମିଳିଥିବା ବହୁତଳ ରାଜପ୍ରାସାଦ, ଖମ୍ବ ଓ ମନ୍ଦିରର ଭଗ୍ନାବଶେଷ ରକ୍ଷଣାବେକ୍ଷଣ କରିବା ଦିଗରେ ବିଫଳ ହୋଇଛି। ଏପରିକି ଏଠାରୁ ମିଳିଥିବା ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକ ଖିନ୍ଭିନ୍ କରି ରଖାଯାଇଛି। ଦୀର୍ଘ ବର୍ଷ ଧରି ଏଏସ୍ଆଇ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ନାମରେ ଅଜସ୍ର ଅର୍ଥ ବ୍ୟୟ କରିଛି। କଟକର ୧୦୫ ଏକର ଜମିକୁ ମାଡ଼ି ବସିଥିବା ଏଏସ୍ଆଇ ଦୁର୍ଗର ବିକାଶ ଦିଗରେ କୌଣସି ପଦକ୍ଷେପ ନେଉନାହିଁ। ଦୁର୍ଗରୁ ବାହାରିଥିବା ହଜାର ହଜାର ଖଣ୍ଡୋଲାଇଟ୍ ପଥର, ମୂର୍ତ୍ତିର ହିସାବ ଏଏସ୍ଆଇ ପାଖରେ ନାହିଁ। ଦୁର୍ଗରେ ଲାଗିଥିବା କବାଟ, ଖିଲଣା, ପ୍ରାଚୀନ ମୂତ୍ତି ଓ ଦୁର୍ଗ ଚାରି ପାଖରେ ଥିବା ବୃହତ୍ତ ପାଚେରିର ମଧ୍ୟ ଚିହ୍ନବର୍ଣ୍ଣ ନାହିଁ। ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ପ୍ରତି ଦୃଷ୍ଟି ଦିଆଯାଇନାହିଁ। ଏପରିକି ବାରବାଟୀ ଦୁର୍ଗରୁ ବାହାରିଥିବା ପଥରକୁ ଶାଗ ମାଛ ଦରରେ ବିକ୍ରି କରାଯାଇଛି। କୁହାଯାଏ ବ୍ରିଟିଶ ସମୟରେ ବାରବାଟୀ ଦୁର୍ଗ ଚାରିପାଖ ଦୁଇଧାଡ଼ିଆ ପଥର ପାଚେରି ଦ୍ବାରା ଘେରି ହୋଇ ରହିଥିଲା। ତେବେ ଏହି ପାଚେରି ଭୁଶୁଡିବା ପରେ ରେଭେନସା, ଏସ୍ସିବି ମେଡିକାଲ କଲେଜ, କ୍ୟାଣ୍ଟନମେଣ୍ଟ ରୋଡ଼ ନିର୍ମାଣ ହୋଇଥିବା କଟକ ହେରିଟେଜ୍ ୱାକ୍ର ଦୀପକ ସାମନ୍ତରାୟ କହିଛନ୍ତି। ୧୯୧୫ରୁ ଏବେ ୨୦୨୨ ଦୀର୍ଘ ୧୦୭ ବର୍ଷ ପରେ ବି ବାରବାଟୀ ଦୁର୍ଗ ଯେଉଁଭଳି ସଂରକ୍ଷିତ ରହିବା କଥା ତାହା କରାଯାଇନାହିଁ। ବାରବାଟୀ ପ୍ରତି ଏଏସ୍ଆଇର ଏଭଳି ଚରମ ଅବହେଳାକୁ ନେଇ ପ୍ରତିବାଦ କରାଯିବ ବୋଲି କଟକ କିଛି ସାଂସ୍କୃତିକ ସଂଗଠନ ମତ ରଖିଛନ୍ତି। ବାରବାଟୀ ଦୁର୍ଗ ପ୍ରତି ଏଏସ୍ଆଇ ଘୋର ଅନ୍ୟାୟର ଜବାବ ମିଳିବ ବୋଲି ମତପ୍ରକାଶ ପାଇଛି। ୧୦୭ ବର୍ଷ ଧରି ଏଏସ୍ଆଇ ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ମାଡ଼ିବସି ଏହାର ବିକାଶ କରାଇ ଦେଉନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଦେଉନାହିଁ।