ଭୁବନେଶ୍ୱର: ଘର ଲୋକ ପର ହୋଇଗଲେ। ପର କିନ୍ତୁ ହାତ ବଢ଼େଇ ଆପଣେଇ ନେଲେ। ଯେତେବେଳେ ଅଣ୍ଟାରୁ ଦମ୍ଭ ଚାଲି ଯାଇଥିଲା ସେବେ ବାସହୀନ ଆଶ୍ରୟସ୍ଥଳୀ ମତେ ବଞ୍ଚିବାର ରାହା ଦେଖାଇଲା। ରୋଗରେ ପଡ଼ିଥିବା ବେଳେ ଜନ୍ମ କଲା ଝିଅ ଚାହିଁଲାନି। ମୋ ଭଙ୍ଗା ଗୋଡ଼ ଚିକିତ୍ସା ଅଭାବରୁ ପଚିଯିବ ଭାବି ମୃତ୍ୟୁ ପାଇଁ ଦିନ ଗଣୁଥିଲି। ହେଲେ କିଛି ବାବୁ ମା’ଙ୍କ ପାଇଁ ମୁଁ ନୂଆ ଜୀବନ ପାଇଲି…। ସହୃଦୟ ବ୍ୟକ୍ତିଙ୍କ ସହଯୋଗ ପରେ ସୁସ୍ଥ ହୋଇଥିବା ୭୨ ବର୍ଷୀୟା ବୃଦ୍ଧା ଶୈଳବାଳା ମହାନ୍ତିଙ୍କର ଏଇ କେଇପଦ କଥା ପ୍ରମାଣିତ କରୁଥିଲା ଏବେ ବି ଜିଇଁଛି ମାନବିକତା। ରାଜଧାନୀରେ ଦେଖିବାକୁ ମିଳିଛି ମାନବିକତାର ଏହି ନିଦର୍ଶନ। ଶୈଳବାଳାଙ୍କୁ ୩୨ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଆରପୂରକୁ ଚାଲି ଯାଇଥିଲେ। ବଡ଼ ଝିଅ ବି ୨୨ ବର୍ଷରେ ମୃତ୍ୟୁବରଣ କଲା। ଏଭଳି ଘଡ଼ିସନ୍ଧି ସମୟରେ ବୃଦ୍ଧା ବୟସରେ କଲେଜ୍ ହଷ୍ଟେଲ୍ରେ ରୋଷେଇ କରି ୮ହଜାର ଟଙ୍କା ବେତନରେ ପରିବାର ଚଳଉଥିଲେ। ସାନ ଝିଅକୁ ବାହାଦେଇ ଘରେ ରଖିଲେ। କିନ୍ତୁ ସେଇ ଝିଅ ତାଙ୍କୁ ପରିଣତ ବୟସରେ ରୋଜଗାର ନକରିବାରୁ ଘରୁ ତଡ଼ିଦେଲା। ଜନ୍ମ କଲା ଝିଅ ନିଜ ବୃଦ୍ଧା ମା’କୁ ମାଡ଼ ମାରି ଘରୁ ତଡ଼ି ଦେବା ପରେ ଗଙ୍ଗନଗର ଆଶ୍ରୟସ୍ଥଳୀରେ ସେ ଆଶ୍ରୟ ନେଇଥିଲେ। ଏହି ସମୟରେ ଶୈଳବାଳା ସ୍ନାନାଗାରକୁ ଯିବା ବେଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଓଡ଼ିଶା ପତିତା ଉଦ୍ଧାର ସମିତି ଏବଂ ବିଏମ୍ସି ସହଯୋଗରେ ପ୍ରାଥମିକ ଚିକିତ୍ସା ହୋଇଥିଲା। ମାତ୍ର ଗୋଡ଼ ଅପରେସନ୍ ନହେଲେ ଭଲ ହେବନି ବୋଲି ଡାକ୍ତର କହିଥିଲେ। ତେଣୁ ପତିତା ଉଦ୍ଧାର ସମିତିର ଆଭାରାଣୀ ଚୌଧୁରୀ ଏନେଇ କିଛି ସହୃଦୟ ବ୍ୟକ୍ତିଙ୍କୁ ଅବଗତ କରିଥିଲେ। ମାଳିସାହି ସ୍ଥିତ ୟୁନାଇଟେଡ୍ ବ୍ୟାଙ୍କ୍ର ପରିଚାଳକ ଶିବାନନ୍ଦ ଦାସ, ସମାଜସେବୀ ଅନସ୍ୱୟା ରାୟ ଓ ଆଉ କିଛି ବ୍ୟକ୍ତି ଆର୍ଥିକ ସହାୟତା ଦେବା ପରେ ଅପରେସନ୍ ପାଇଁ ଆଗକୁ ବଢ଼ିଥିଲେ ଶ୍ରୀମତୀ ଚୌଧୁରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ସନ୍ସାଇନ୍ ହସ୍ପିଟାଲ୍ର ଅର୍ଥୋପେଡିକ୍ ଡାକ୍ତର ତୁଷାରକାନ୍ତ ପଣ୍ଡା। ଏହି ବୁଢ଼ି ମା’ଙ୍କ ସମ୍ପର୍କରେ ଶୁଣିବା ପରେ ଅପରେସନ୍ ନିଜେ କରିବା ସହ ସୁସ୍ଥ କରି ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଡ.ପଣ୍ଡାଙ୍କ ପୂର୍ଣ୍ଣ ସହଯୋଗ ପରେ ମାସେ ହେବ ବେଡ୍ରୁ ଉଠି ପାରୁନଥିବା ଶୈଳବାଳା ଏବେ ଚଲାବୁଲା କଲେଣି। ମାନବିକତାର ଏହି ଖୋଲା ମନଟିଏ ଖାଲି ଜଣେ ମା’କୁ ନୂଆ ଜୀବନ ଦେଇନି ଅନ୍ୟମାନଙ୍କୁ ଏହି ଧାରାରେ ସାମିଲ୍ ହେବାକୁ ପ୍ରେରଣା ଦେଇଛି।
ମାନବିକତାର ଆଉ ଏକ ସଦ୍ୟ ଉଦାହରଣ:ତମ ପାଇଁ ନୂଆ ଜୀବନ ପାଇଲି
Share Now: