ଭାଙ୍ଗିଲା ୨୦୦ବର୍ଷର ପରମ୍ପରା : ଦେବୀ ପୀଠରେ ପଡ଼ିଲାନି ବଳି

ମା’ ଆମ୍ବିଳିପାଟଙ୍କ ବାର୍ଷିକ ପୂଜା

ବଞ୍ଚିଗଲେ ୫୦୦ରୁ ଊର୍ଦ୍ଧ୍ବ ଛେଳି-କୁକୁଡ଼ା

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ କଳାବାଡ଼ିଆ ଓ କୁମ୍ଭାରମୁଣ୍ଢାକଟା ସୀମାରେ ଥିବା ବାଇଶ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା’ ଆମ୍ବିଳିପାଟଙ୍କ ବାର୍ଷିକ ପୂଜା। ଏଥର ପୂଜାରେ ୧୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ପାଖରେ ମାନସିକ ରଖିଥିବା ଶଦ୍ଧାଳୁମାନେ ଏଠାରେ ବଳି ପକାଇବା ପାଇଁ ୫୦୦ରୁ ଊର୍ଦ୍ଧ୍ବ କୁକୁଡ଼ା ଓ ଛେଳି ଆଣିଥିଲେ। ହେଲେ ପ୍ରଶାସନର ହସ୍ତକ୍ଷେପ ଯୋଗୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଠାରେ ବଳି ପଡ଼ିନଥିଲା। ଏଥିସହ ୨ଶହ ବର୍ଷର ବଳି ପରମ୍ପରା ଭାଙ୍ଗିଥିଲା। ଭକ୍ତମାନେ ବଳି ପକାଇବାକୁ ଆଣିଥିବା କୁକୁଡ଼ା ଓ ଛେଳିକୁ ପୂଜା କରିବା ପରେ ଭକ୍ତଙ୍କୁ ଫେରାଇ ଦେଇଥିଲେ ଦେହୁରୀ। ତେବେ ଏଥର ଶହଶହ ବର୍ଷର ପରମ୍ପରା ଭାଙ୍ଗିଥିଲେ ବି ଏହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ପୂଜକ ବିରଞ୍ଚି କୁମାର ହୋତା ଓ ନବୀନ ପାଣିଙ୍କ କହିବା ଅନୁଯାୟୀ; ଏହି ପରମ୍ପରା ବନ୍ଦ ହେଉ ବୋଲି ବହୁ ଦିନରୁ ଦାବି ହେଉଥିଲା। ପୂଜକମାନେ ମଧ୍ୟ ଏହାକୁ ସମର୍ଥନ କରୁଥିଲେ। ଶେଷରେ ପ୍ରଶାସନ ଏହାକୁ ବନ୍ଦ କରିଥିବାରୁ ଓ ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ମାନିଥିବାରୁ ସେମାନେ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୨ ଶହ ବର୍ଷ ପୂର୍ବେ ପାହାଡ଼ ଉପରେ ମା’ଙ୍କ ଦୈନିକ ପୂଜା ହେଉଥିଲା। ଏହି ପାହାଡ଼କୁ ଠାକୁରାଣୀ ପାହାଡ଼ି ନାମ ଦେଇଥିଲେ ଭକ୍ତ। କିମ୍ବଦନ୍ତୀ କହେ; ପାହାଡ଼ ଉପରକୁ ମା’ଙ୍କ ପୂଜା କରିବାକୁ ଗଲାବେଳେ ଜୀବଜନ୍ତୁଙ୍କ ଠାରୁ ନିଜ ସୁରକ୍ଷା ପାଇଁ ଦେହୁରୀ ସବୁଦିନେ ସାଙ୍ଗରେ ଏକ ଟାଙ୍ଗିଆ ନେଇଯାଆନ୍ତି। ତେବେ ଦିନେ ପୂଜା ସାରି ଫେରିବା ବେଳକୁ ମା’ଙ୍କ ପାଖରେ ସେ ନିଜ ଟାଙ୍ଗିଆଟି ଛାଡ଼ି ଆସିଥିଲେ। ଅଧାବାଟରେ ମନେ ପଡ଼ିବାରୁ ପୁଣି ପାହାଡ଼ ଉପରକୁ ଗଲାରୁ ମା’ ରାଗି ଯାଇ ଟାଙ୍ଗିଆଟି ଫିଙ୍ଗି ଦେବା ସହିତ କେବଳ ରଜ ସଂକ୍ରାନ୍ତି ଦିନ ଏଠାରେ ପୂଜା କରିବାକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନଠାରୁ ଏହି ପରମ୍ପରା ବଜାଇ ରଖି ଦେହୁରୀ କେବଳ ରଜ ସଂକ୍ରାନ୍ତିରେ ଏହି ପୀଠରେ ପୂଜା କରି ଆସୁଛନ୍ତି। ଏପଟେ ଟାଙ୍ଗିଆ ପଡ଼ିଥିବା ଜଗନ୍ନାଥଖୁଣ୍ଟା ଗ୍ରାମରେ ପ୍ରତି ଗୁରୁବାର ଦିନ ମା’ଙ୍କ ପୂଜା ହେଉଛି। ତେବେ ଏହି ପାହାଡ଼ ଉପରେ ଥିବା ମା’ଙ୍କ ପୀଠ ସହ ଶ୍ରଦ୍ଧାଳୁଙ୍କ ଭାବାବେଗ ଜଡ଼ିତ ଥିଲେ ବି ଏହି ଠାକୁରାଣୀ ପାହାଡ଼କୁ ସରକାର ପଥର ବେପାରୀଙ୍କ ହାତରେ ଟେକି ଦେଉଥିବାରୁ ଏହି ପାହାଡ଼ ଦିନେ ନାଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା ଉପୁଜିଲାଣି।

Share Now:

Kalinga News Beuro

Next Post

ନୀଳାଦ୍ରିବିହାର ପୋଲ କଥା ଭୁଲିଗଲାଣି ପ୍ରଶାସନ: ଆଉ କେତେ ଦିନ ଲୁହା ପ୍ଲେଟ୍‌ ଭରସା ?

Wed Jun 15 , 2022
ଚନ୍ଦ୍ରଶେଖରପୁର: ‘କୋର୍ଟରେ ମାମଲା ରହିଛି। ପୋଲ ନିର୍ମାଣ ହେବାକୁ ଥିବା ସ୍ଥାନ ଯେଉଁ ବ୍ୟକ୍ତିଙ୍କର ସେ ଧରାଛୁଆଁ ଦେଉନାହାନ୍ତି। ତେଣୁ ଆମେ କିଛି କରିପାରୁନୁ। କାମ ଲାଗି ଟେଣ୍ଡର ସରିଛି। ଟଙ୍କା ଧରି ବସିଛୁ। ହେଲେ କାମ କରିପାରୁନୁ। କୋର୍ଟରେ ମାମଲା କରିଥିବା ବ୍ୟକ୍ତି ଜଣକ ଯେତେଶୀଘ୍ର ସହମତି ପ୍ରକାଶ କରିବେ ଆମେ କାମ ଆରମ୍ଭ କରିବୁ।’ ଦିନେ କି ଦୁଇ ଦିନ ନୁହେଁ, ପାଖାପାଖି ୫ମାସ ହେଲା ଚନ୍ଦ୍ରଶେଖପୁର […]
ନୀଳାଦ୍ରିବିହାର ପୋଲ କଥା ଭୁଲିଗଲାଣି ପ୍ରଶାସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial