ଶ୍ରୀହୀନ ଏକାମ୍ରକାନନ : ଚାଲୁନି ବୋଟ୍‌, ଫୁଟୁନି ପଦ୍ମ, ଦାୟୀ କିଏ ?

ଶ୍ରୀହୀନ ଏକାମ୍ରକାନନ

ଖଣ୍ଡଗିରି : ସମ୍ପ୍ରତି ଏକାମ୍ର କାନନ ଶ୍ରୀହୀନ ହୋଇପଡ଼ିଛି। ରାଜଧାନୀର ସବୁଠାରୁ ସୌନ୍ଦର୍ଯ୍ୟଭରା ଏହି ପାର୍କ ଏବେ ପର୍ଯ୍ୟଟକଙ୍କୁ ନିରାଶ କରୁଛି। ମୁଖ୍ୟ ଆକର୍ଷଣ ବୋଟିଂ ବ୍ୟବସ୍ଥା ବନ୍ଦ ପଡ଼ିଥିବା ବେଳେ ପଦ୍ମ‌ପୋଖରୀରେ ଆଉ କଢ଼ଟିଏ ଦେଖାଯାଉନି। ପ୍ରବେଶିକା ଫି’ ଓ ଗାଡ଼ି ପାର୍କିଂ ଫି’ ଗଣି ଭିତରକୁ ପଶିବା ପରେ ବୋଟିଂ ସୁବିଧା ନପାଇ ଲୋକେ ନିରାଶ ହେଉଛନ୍ତି। ପ୍ରତିବର୍ଷ ରଜକୁ ଏହି ପାର୍କରେ ପ୍ରବଳ ଭିଡ଼ ହୋଇଥାଏ। କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଏଠାରେ କଟକଣା ଲାଗୁ ହୋଇଥିବା ବେଳେ ଚଳିତ ବର୍ଷ ଏଠାରେ ରଜ ଭିଡ଼ ହେବାର ସମ୍ଭାବନା ଥିଲା। କିନ୍ତୁ ପୂର୍ବର ସୌନ୍ଦର୍ଯ୍ୟ ନଥିବାରୁ ଚଳିତ ବର୍ଷ ସେମିତି ଭିଡ଼ ହେବ ବୋଲି ଆଶା କରାଯାଉନାହିଁ। କରୋନା କଟକଣା ହଟିବା ପରେ ଗତ କିଛି ମାସ ହେଲା ଏହି ଉଦ୍ୟାନକୁ ବୁଲିବାକୁ ଲୋକେ ଆସୁଛନ୍ତି। କିନ୍ତୁ ପୂର୍ବରୁ ଯେଉଁ ମଜା ଉଠାଉଥିଲେ, ସେସବୁ ଆଉ ନାହିଁ। ମୁଖ୍ୟତଃ ପଦ୍ମ ପୁଷ୍କରିଣୀ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପଦ୍ମ ଫୁଲ ମରି ଯାଇଥିବାବେଳେ, ପୋଖରୀକୁ ସଫା କରାଯାଉନାହିଁ। ପୁଷ୍କରିଣୀ ଚତୁଃପାର୍ଶ୍ବରେ କୁଢ଼କୁଢ଼ ଆବର୍ଜନ ଜମା ହୋଇରହିଛି। ସେହିପରି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ବୋଟିଂ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି। ବୋଟିଂ ପଏଣ୍ଟରେ ତାଲା ଝୁଲୁଛି। ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହି ଉଦ୍ୟାନ ପରିସରରେ ବୋଟିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ରିଜିଓନାଲ୍‌ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଏହି ବୋଟିଂ ବ୍ୟବସ୍ଥାକୁ ପରିଚାଳନା କରୁଥିଲା। ୩୦ ମିନିଟ୍‌ ପାଇଁ ଦୁଇ ସିଟ୍‌ ବିଶିଷ୍ଟ ବୋଟ୍‌ ବାବଦରେ ୫୦ ଟଙ୍କା ପଡ଼ୁଥିବା ବେଳେ ୪ ସିଟ୍‌ ବିଶିଷ୍ଟ ବୋଟ୍‌ ପାଇଁ ଶହେ ଟଙ୍କା ଧାର୍ଯ୍ୟ ହୋଇଥିଲା। ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦର୍ଶକମାନେ ବୋଟିଂ ମଜା ନେଉଥିଲେ। ବର୍ତ୍ତମାନ ବୋଟ୍‌ଗୁଡ଼ିକ ପଡ଼ିପଡ଼ି ଖତ ଖାଇବା ଅବସ୍ଥାକୁ ଗଲାଣି। ବାଉଁଶ ବାଡ଼ ଘେରା ଭିତରେ ବୋଟ୍‌ଗୁଡ଼ିକ ପଡ଼ିଛି। ଏହାର ବ୍ୟାରିକେଡ୍‌ ବହୁ ସ୍ଥାନରେ ଭାଙ୍ଗିଯାଇଥିବାରୁ ଭ୍ରମଣ କରିବାକୁ ଆସୁଥିବା ଦର୍ଶକ ବା ପର୍ଯ୍ୟଟକମାନେ ବିପଦରେ ପଡ଼ିବା ଆଶଙ୍କା ସବୁବେଳେ ରହିଛି ବୋଲି ଅଭିଯୋଗ ହେଉଛି।
ବଡ଼ କଥା ହେଉଛି, ବୋଟିଂ ବ୍ୟବସ୍ଥା ବନ୍ଦ ଥିବା ନେଇ ଟିକେଟ୍‌ କିଣିବା ବେଳେ କର୍ତ୍ତୃପକ୍ଷ କୌଣସି ସୂଚନା ଦେଉନାହାନ୍ତି। ତେଣୁ ମୁଖ୍ୟତଃ ବୋଟିଂ କରିବାକୁ ଆସୁଥିବା ବହୁ ପର୍ଯ୍ୟଟକ ଟିକେଟ୍‌ କିଣି ଭିତରକୁ ଯିବା ପରେ ଏହା ବନ୍ଦ ଥିବା ଦେଖି ନିରାଶ ହୋଇ ଫେରୁଛନ୍ତି। ୨୫ ଟଙ୍କା ପ୍ରବେଶିକା ଫି’ ସହ ବାଇକ୍‌ ପାର୍କିଂ ପାଇଁ ୨୦ ଟଙ୍କା, କାର୍‌ ପାଇଁ ୪୦ ଟଙ୍କା ଗଣି ଭିତରକୁ ଯିବା ପରେ ଭିତରେ କିଛି ନାହିଁ। ପୂରା ଖାଁ ଖାଁ ଅବସ୍ଥା। ବୋଟିଂ ବ୍ୟବସ୍ଥା ପୁଣି ଆରମ୍ଭ ବାବଦରେ ଏକାମ୍ର କାନନ ପରିଚାଳନା ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରିନାହିଁ।

Share Now:

Kalinga News Beuro

Next Post

ଅଟୋ ଓ ଟ୍ୟାକ୍ସିରେ ନାହିଁ ମିଟର୍‌ : ଯାତ୍ରୀ ଶୋଷଣର ଶିକାର, ମନଇଚ୍ଛା ଭଡ଼ା ଆଦାୟ, ପରିବହନ ବିଭାଗ ନିରବଦ୍ରଷ୍ଟା

Thu Jun 16 , 2022
କଟକ: କଟକ ସହର‌ର ବିପର୍ଯ୍ୟସ୍ତ ରାସ୍ତାଘାଟ ଅବସ୍ଥା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ସବୁ ବେଳେ ଚର୍ଚ୍ଚା ହେଉଥିବା ବେଳେ ସାଧାରଣ ଯାତ୍ରୀଙ୍କ ସମସ୍ୟା ପ୍ରତି କାହାର ନିଘା ନାହିଁ। ପ୍ରତିଦିନ କଟକ ସହରରେ ସାଧାରଣ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବେଳେ ଶୋଷଣର ଶିକାର ହେଉଛନ୍ତି। ଏହି ପୁରାତନ ସହରରେ ଅଟୋ ଓ ଟ୍ୟାକ୍ସିରେ କୌଣସି ମିଟର ନାହିଁ କି ଭଡ଼ା କିଛି ଧାର୍ଯ୍ୟ କରାଯାଇ […]
ଅଟୋ ଓ ଟ୍ୟାକ୍ସିରେ ନାହିଁ ମିଟର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial