ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣରେ ରାଜନୀତି

ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌

ଏସ୍କାଲେଟର ଲଗାଇବାକୁ ମନ୍ତ୍ରୀ-ବିଧାୟକଙ୍କ ପ୍ରସ୍ତାବ

ଭୁବନେଶ୍ବର: ‘ମଣିଷଖିଆ’ ଛକ ଭାବେ ଅପବାଦ ମୁଣ୍ଡାଇଥିବା ପଳାସୁଣି ଛକରେ ହେବାକୁ ଥିବା ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ଏବେ ରାଜନୀତିର ପଶାପାଲିରେ ଛନ୍ଦି ହେବାକୁ ଯାଉଛି। ମୂଳ ନକ୍‌ସା ଓ ତଦନୁଯାୟୀ ଏଷ୍ଟିମେଟ୍‌କୁ ବଦଳାଇବାକୁ ଆସିଥିବା ଏକ ପ୍ରସ୍ତାବକୁ ନେଇ ପୁଣି ଦ୍ଵନ୍ଦ ସୃଷ୍ଟି ହୋଇଛି। ମୂଳ ନକ୍‌ସାରେ ଲିଫ୍ଟ ଲାଗିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ସେଠାରେ ଏସ୍କାଲେଟର ଲଗାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ମୂଳ ନକ୍‌ସା ଅନୁସାରେ କାମ ବିଳମ୍ବିତ ହେଉଥିବା ବେଳେ ପୁଣି ଏସ୍କାଲେଟର ଲାଗିବାକୁ ଆସିଥିବା ପ୍ରସ୍ତାବ ଏହି ବହୁ ପ୍ରତୀକ୍ଷିତ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣକୁ ଆହୁରି ବିଳମ୍ବିତ କରିବ ବୋଲି ଜଳଜଳ ହୋଇ ଦେଖାଗଲାଣି। ପୁଣି ମୂଳ ଏଷ୍ଟିମେଟ୍‌ ବଦଳାଇ ଏସ୍କାଲେଟର ଲଗାଇବାକୁ ହେଲେ ଜମି ସମସ୍ୟା ସମାଧାନ କରିବା ସହିତ କେନ୍ଦ୍ରରୁ ପ୍ଲାନ୍ ଅନୁମୋଦନ କରିବାକୁ ପଡ଼ିବ ଓ ଏଥିପାଇଁ ବହୁ ବିଳମ୍ବ ହେବ ବୋଲି ବିଭାଗୀୟ ଅଧିକାରୀମାନେ କୁନ୍ଥକୁନ୍ଥ ହେବା ଜଣାପଡ଼ିଛି। ସୂଚନାଯୋଗ୍ୟ, ତିନିମାସ ତଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ କରିବା ପାଇଁ ଘୋଷଣା କରିଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେବା ସହ ଘଟଣାସ୍ଥଳରେ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ‘ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଥିଲା। ବରିଷ୍ଠ ନାଗରିକ ଓ ଛୋଟ ପିଲାମାନଙ୍କ ସୁବିଧା ପାଇଁ ଏହି ଫୁଟ୍ ଓଭରବ୍ରିଜରେ ଲିଫ୍ଟ ଲାଗିବ ଓ ଏହାର ପରିଚାଳନା ପାଇଁ ଦୁଇ ଜଣ ଅପରେଟରଙ୍କୁ ନିଯୁକ୍ତ କରାଯିବ ବୋଲି ସ୍ଥିର କରାଯାଇଥିଲା।
ଜୁଲାଇ ମାସରୁ ଏହାର ନିର୍ମାଣ କାମ ଆରମ୍ଭ ହେବ ଓ ଦୁର୍ଗାପୂଜା ବେଳକୁ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯିବ ବୋଲି ବିଭାଗୀୟ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ଏହି ଘଟଣାକୁ ଶହେ ଦିନରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏଯାବତ୍‌ କାମ ଆରମ୍ଭ ହୋଇପାରିନାହିଁ। ଏଣେ ୧୦ ଦିନ ତଳେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ପଳାସୁଣି ଛକ ପରିଦର୍ଶନ କରି ଏଠାରେ ଲିଫ୍‌ଟ ବଦଳରେ ଏସ୍କାଲେଟର ଲଗାଇବାକୁ ପ୍ରସ୍ତାବ ଆଣିଛନ୍ତି। ପୂର୍ତ୍ତ ଓ ଏନ୍‌ଏଚ୍‌ଏଆଇ ଅଧିକାରୀମାନଙ୍କ ଉପସ୍ଥିତିରେ ମନ୍ତ୍ରୀ ଓ ବିଧାୟକ ଏକ୍ସାଲେଟର ଲଗାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏନେଇ ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ଲୋକମାନଙ୍କ ସୁବିଧା ପାଇଁ ଏସ୍କା‌ଲେଟର ଲଗାଇବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ହେବ ବୋଲି ମନ୍ତ୍ରୀ ମଧ୍ୟ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହାକୁ ନେଇ ଏବେ ସମସ୍ୟା ମୁଣ୍ଡ ଟେକିଛି। ଏନ୍‌ଏଚ୍‌ଏଆଇ ପ୍ରୋଜେକ୍ଟ ଡିରେକ୍ଟର ପିକେ ସିଂ କହିଛନ୍ତି ଯେ ଉକ୍ତ ଛକରେ ଜମିର ଅଭାବ ରହିଛି। ଫୁଟ୍‌ ଓଭରବ୍ରିଜ୍‌ରେ ସିଡ଼ି ଓ ଲିଫ୍ଟ ବ୍ୟବସ୍ଥା ପାଇଁ ଜମି ସମସ୍ୟା ହେବ ନାହିଁ। କିନ୍ତୁ ବିଧାୟକ ଓ ମନ୍ତ୍ରୀଙ୍କ ପ୍ରସ୍ତାବ ଅନୁସାରେ ଏଠାରେ ଏସ୍କାଲେଟର ଲଗାଇବାକୁ ଜମି ଅଭାବ ବଡ଼ ସମସ୍ୟା ହେବ। କେବଳ ସେତିକି ନୁହେଁ, ଏସ୍କାଲେଟର ଲଗାଇବା ପାଇଁ ହେଲେ ପୁଣି ଥରେ ମୂଳ ପ୍ଲାନ୍‌କୁ ବଦଳାଇବାକୁ ପଡ଼ିବ। ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଫାଇଲ୍‌ ଯିବ। ଅନୁମୋଦନ ମିଳିବାକୁ ବିଳମ୍ବ ହେବ। ତେଣୁ ନିକଟ ଭବିଷ୍ୟତରେ ଏହି ବ୍ରିଜ୍‌ର ନିର୍ମାଣ ସମ୍ଭବ ହେବନାହିଁ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ ୧୬ ନମ୍ବର ଜାତୀୟ ରାଜପଥ କାମ କରିଥିବା ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ୱେ ପ୍ରା.ଲି(ଏସ୍‌ଜେଇପିଏଲ୍‌) ଠିକା ସଂସ୍ଥା ଏହି ଫୁଟ୍‌ ଓଭରବ୍ରିଜ୍‌ କାମ କରିବ। ଠିକାସଂସ୍ଥାକୁ ଡିଜାଇନ୍‌ ଓ ଏଷ୍ଟିମେଟ୍‌ ମଗାଯାଇଥିଲା। ଏନ୍‌ଏଚ୍‌ଏଆଇର ପ୍ରକଳ୍ପ କାର୍ଯ୍ୟକାରିତା ୟୁନିଟ୍‌ (ପିଆଇୟୁ) ତତ୍ତ୍ବାବଧାନରେ କାମ କରାଯିବ। ଯେଉଁ ସ୍ଥାନରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ, ‌ସେଠାରୁ ଇଲେକ୍ଟ୍ରି ଖୁଣ୍ଟ, ତାର ଓ ଅନ୍ୟାନ୍ୟ ସାମଗ୍ରୀ ଉଠାଇବା ପାଇଁ ‘ଟିପିସିଓଡିଏଲ୍‌’ ଏବଂ ତଳେ ଯାଇଥିବା ପାଣି ପାଇପ୍‌ ସ୍ଥାନାନ୍ତର ପାଇଁ ‘ୱାଟ୍‌କୋ’କୁ ଗତ ଏପ୍ରିଲ୍‌ ୨୫ ତାରିଖରୁ ଚିଠି ଲେଖାଯାଇ ଏଷ୍ଟିମେଟ୍‌ ମଗାଯାଇଥିଲା। କିଛି ଦିନ ତଳେ ‘ୱାଟ୍‌କୋ’ ନିକଟରୁ ଚିଠି ମିଳିଥିବା ବେଳେ ‘ଟିପିସିଓଡିଏଲ୍‌’ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇନାହିଁ। ସେହିଭଳି ଠିକାସଂସ୍ଥା ଦେଇଥିବା ଏଷ୍ଟିମେଟ୍‌କୁ ଅନୁମୋଦନ ମିଳିଛି କି ନାହିଁ, ସେନେଇ ମଧ୍ୟ କାହା ପାଖରେ ଉତ୍ତର ନାହିଁ। ଏହା ଭିତରେ ପୁଣି ଆସିଲାଣି ନୂଆ ପ୍ରସ୍ତାବ। ତେଣୁ ଏହି ବ୍ରିଜ୍‌ ନିର୍ମାଣର ଭାଗ୍ୟ ସତରେ କେବେ ଖୋଲିବ ଓ ଲୋକେ କେବେ ମରଣଯନ୍ତାରୁ ମୁକ୍ତି ପାଇବେ, ତାହାକୁ ନେଇ ସଂଶୟ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ପାଗ ଖରାପ ହେବାରୁ ବନ୍ଦ ହେଲା ଅମରନାଥ ଯାତ୍ରା

Sun Jul 10 , 2022
କାଶ୍ମୀର : ଖରାପ ପାଗ ଯୋଗୁଁ ଜମ୍ମୁରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପାଗ ଖରାପ ହେବାରୁ ଦକ୍ଷିଣ କାଶ୍ମୀରରେ ଥିବା ଅମରନାଥକୁ ଯିବା ପାଇଁ ନୂଆ ବ୍ୟାଚଙ୍କୁ ଅନୁମତି ଦିଆଯାଇ ନାହିଁ। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତିି। ଜମ୍ମୁ-କାଶ୍ମୀରର ଅମରନାଥରେ ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ହେତୁ ପ୍ରାୟ ୪୦ଜଣ ନିଖୋଜ ଥିବାବେଳେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପାଗ ଅନୁକୂଳ ନ […]
ବନ୍ଦ ହେଲା ଅମରନାଥ ଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial