ବିଏମ୍‌ସିର ‘କୋଭିଡ୍‌’ ଛଳନା : ସାଧାରଣ ଲୋକଙ୍କ ପାଇଁ ସବୁ କଟକଣା

ବିଏମ୍‌ସିର ‘କୋଭିଡ୍‌’ ଛଳନା

ଭୁବନେଶ୍ବର: ଭୁବନେଶ୍ବରରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି କଟକଣା ଜାରି କଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା, ପ୍ରେକ୍ଷାଳୟରେ ଯେ କୌଣସି କାର୍ଯ୍ୟକ୍ରମ କଲା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହି ହଲ୍‌ରେ ଯେପରି ସମସ୍ତ କୋଭିଡ୍‌ ନିୟମ ପାଳନ କରାଯାଏ, ସେଥି ପ୍ରତି ଆୟୋଜକ ଧ୍ୟାନ ଦେବେ। ନଚେତ ଆୟୋଜକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ବିଏମ୍‌ସିର ଏପରି ସତର୍କତାମୂଳକ ପଦକ୍ଷେପକୁ ରାଜଧାନୀବାସୀ ସ୍ବାଗତ କରିଥିଲେ। ଏହାର ଠିକ୍‌ ୫ ଦିନ ପରେ ଅର୍ଥାତ ଜୁଲାଇ ୧୬। ହୋଟେଲ୍‌ ସ୍ୟାଣ୍ଡିସ୍‌ ଟାୱାର୍‌ରେ କର୍ପୋରେଟର୍‌ମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ ଏକ କର୍ମଶାଳା ଆୟୋଜନ କରାଗଲା। ଏଥିରେ ସବୁ କର୍ପୋରେଟର୍‌ ଓ ବିଏମ୍‌ସି ଅଧିକାରୀ ଉପସ୍ଥିତ ଥିଲେ। ସେହି କାର୍ଯ୍ୟକ୍ରମର ଯେଉଁ ଫଟୋ ସବୁ ସାମାଜିକ ଗଣମାଧ୍ୟମରେ ବୁଲୁଛି, ସେଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଅଧିକାଂଶ କର୍ପୋରେଟର୍‌ଙ୍କ ମୁହଁରେ ମାସ୍କ ନାହିଁ। ଏପରିକି ସାମାଜିକ ଦୂରତା ନାହିଁ। ଖୋଦ୍ ମେୟର ଓ କମିସନର୍‌ଙ୍କ ମୁହଁରେ ମଧ୍ୟ ମାସ୍କ ପିନ୍ଧି ନାହାନ୍ତି।
କୋଭିଡ୍‌ ‌ନିୟନ୍ତ୍ରଣ କ୍ଷେତ୍ରରେ ବିଏମ୍‌ସିର ଏପରି ଛଳନାକୁ ନେଇ ସଚେତନ ନାଗରିକ ମହଲରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଯାଇଛି। ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କୁ ବିଏମ୍‌ସି କର୍ତ୍ତୃପକ୍ଷ ନାଲି ଆଖି‌ ଦେଖାଉଥିଲା ବେଳେ ନିଜେ କିପରି ଖୋଲାଖୋଲି ନିୟମର ଉଲ୍ଲଂଘନ କରୁଛନ୍ତି? ସାଧାରଣ ଲୋକ ପ୍ରେକ୍ଷାଳୟରେ ମାସ୍କ ନ ପିନ୍ଧିଲେ କରୋନା ବ୍ୟାପିଯିବ। କିନ୍ତୁ କର୍ପୋରେଟର୍‌ ଓ ଅଧିକାରୀମାନେ ନ ପିନ୍ଧିଲେ କରୋନା କ’ଣ ପାଖ ମାଡ଼ିବନି? ସରକାରଙ୍କ ସବୁ ନିୟମରେ ଏପରି ଦୋମୁହାଁ ନୀତି କାହିଁକି? ଗତକାଲିର ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କେବଳ ପ୍ରଦୀପ ପ୍ରଜ୍ବଳନ ବେଳେ ମଞ୍ଚ ଉପରେ ଉପସ୍ଥିତ ଥିବା ମେୟର, କମିସନର ଓ ଅନ୍ୟ ବରି‌ଷ୍ଠ ଅଧିକାରୀମାନେ ମାସ୍କ ପିନ୍ଧିଥିବା ଦେଖାଯାଇଥିଲା। ହେଲେ ଫଟୋ ଉଠା ସରିବା ପରେ ଆଉ କାହା ମୁହଁରେ ମାସ୍କ ନଥିଲା। ବୈଠକରେ କର୍ପୋରେଟରଙ୍କ ସହ ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇ ଶହେରୁ ଊର୍ଦ୍ଧ୍ବ ଲୋକ ରହିଥିଲେ। କିନ୍ତୁ କେହି ମାସ୍କ ପିନ୍ଧିନଥିଲେ।

Share Now:

Kalinga News Beuro

Next Post

ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ଭୋଟିଂ : ଭୋଟ ଦେଲେ ନାହିଁ ପ୍ରଶାନ୍ତ ଜଗଦ୍ଦେବ

Mon Jul 18 , 2022
ଭୁବନେଶ୍ୱର: ଶେଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସରିଥିବାବେଳେ ବାଲାଟ୍ ବକ୍ସ ସିଲ୍ ହୋଇଛି। ଆଜି ବିଧାନସଭାରେ ସମୁଦାୟ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୫ ଜଣ ବିଧାୟକ ଭୋଟ ଦେଇଛନ୍ତି। ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକମାନେ ଭୋଟ ଦେଇଥିଲେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିଥିଲା। […]
ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ଭୋଟିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial