ରାସ୍ତା ନା ପୋଖରୀ : ଦୋଷ କରୁଛି ବିଭାଗ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ରାସ୍ତା ନା ପୋଖରୀ

ଟଙ୍କପାଣି ରାସ୍ତା ମରଣଯନ୍ତା, ଟିପିସିଓଡିଏଲ୍‌, ୱାଟ୍‌କୋ, ସ୍ମାର୍ଟସିଟି ଓ ସ୍ବେରେଜ୍‌ ବୋର୍ଡର ମନମାନି

ଭୁବନେଶ୍ବର: ୱାଟ୍‌କୋ, ଟିପିସିଓଡିଏଲ୍‌, ସ୍ବେରେଜ୍‌ ବୋର୍ଡ ଓ ବିଏସ୍‌ସିଏଲ୍‌ର ମନମୁଖୀ କାମ ପାଇଁ ଟଙ୍କପାଣି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ୪ ବିଭାଗ ରାସ୍ତାକୁ ମନଇଚ୍ଛା ଖୋଳି ତାଡ଼ି ଦେଇଛନ୍ତି। ଫଳରେ ଏବେ ଅସରାଏ ବର୍ଷା‌ରେ ଏଠି ପରିସ୍ଥିତି ଅସମ୍ଭାଳ ହୋଇଯାଉଛି। ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ବାସିନ୍ଦା ନିର୍ଭର କରୁଥିବା ବେଳେ ପ୍ରତିଦିନ ସେମାନଙ୍କୁ ଜୀବନ ବାଜି‌ରେ ଲଗାଇବାକୁ ପଡ଼ୁଛି। ରାସ୍ତା ସାରା ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ବର୍ଷାଜଳ ଜମି ରହିବା ଦ୍ବାରା ତାହା କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଶୀଘ୍ର ଏହି ସମସ୍ୟାର ସମାଧାନ ନ ହେଲେ, ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ପ୍ରାୟ ୪ ବର୍ଷ ହେବ ଏହି ରାସ୍ତା ଅବସ୍ଥା ଖରାପ ହେଲାଣି। ମାଟି ତଳେ କେବୁଲ, ପାଣିପାଇପ୍‌, ସ୍ବେରେଜ୍‌ ଲାଇନ୍‌ ଆଦି ନେବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଏହି ରାସ୍ତାକୁ ଖୋଳା ଯାଇଛି। କିନ୍ତୁ କାମ ମନ୍ଥର ଗତିରେ ଚାଲୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଏବେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବାରୁ ଏଠାରେ ପରିସ୍ଥିତି ବଡ଼ ଭୟଙ୍କର ହୋଇଯାଇଛି। ବିଶେଷକରି ବ୍ରହ୍ମେଶ୍ବର ପାଟଣା ଛକ, ଜଗନ୍ନାଥ ମନ୍ଦିର ଛକ, କେନାଲ୍‌ ପୋଲ ନିକଟ‌ରେ ଅବସ୍ଥା ଭାରି ସାଂଘାତିକ ହୋଇଛି। ସେହିପରି ସାଇମନ୍ଦିର ଟ୍ରାଫିକ୍‌ ଛକ ନିକଟରେ ପ୍ରାୟ ଶହେ ମିଟର ରାସ୍ତାରେ ବଡ଼ ଦୁଇରୁ ତିନିଫୁଟ ଗଭୀରର ଖାଲ ସୃଷ୍ଟି ହୋଇଛି। ଏଠାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଜମି ରହୁଥିବାରୁ କୋଉଠି ଖାଲ, ସହଜରେ ଜଣା ପଡ଼ୁନାହିଁ। ଫଳରେ ଗାଡ଼ି ଚାଳକ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଆଜି ସାଇମନ୍ଦିର ଛକ ନିକଟରେ ଜଣେ ମହିଳା ସ୍କୁଟି ସହ ଖାଲ ଭିତରେ ପଡ଼ିଯାଇ ଖଣ୍ଡିଆ ଖାବରା ହୋଇଥିଲେ। ଗତକାଲି ସଂଧ୍ୟାରେ ମଧ୍ୟ ଜଣେ ବାଇକ୍‌ ଚାଳକ ଗାଡ଼ି ସହ ଓଲଟି ପଡ଼ିଥିଲେ। ସୂଚନାଯୋଗ୍ୟ, ଏହି ରାସ୍ତା କାମ ପାଇଁ ୨.୬୮ ଟଙ୍କାର ଟେଣ୍ଡର୍‌ ହୋଇସାରିଛି। କାମ ପାଇଁ ଠିକାଦାର ମଧ୍ୟ ଚୟନ ସରିଛି। ହେଲେ ୱାଟ୍‌କୋ, ଟିପିସିଡିଏଲ୍‌, ସ୍ବେରେଜ୍‌ ବୋର୍ଡ ଓ ସ୍ମାର୍ଟ ସିଟିର କାମ ସରୁ ନଥିବାରୁ ପୂର୍ତ୍ତ ବିଭାଗ ହାତ ଟେକି ଦେଇଛି। ଠିକା କାମ ପାଇଥିବା ଠିକାଦାର ମଧ୍ୟ ବର୍ଷା ଦିନେ ଏହି ରାସ୍ତା କାମ କରିବାକୁ ଅମଙ୍ଗ ହେଉଥିବା ଜଣାଯାଇଛି। ଏ ସଂପର୍କରେ ପୂର୍ତ୍ତ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳି ପାରିନଥିଲା।

Share Now:

Kalinga News Beuro

Next Post

ଲିଙ୍ଗରାଜ ମନ୍ଦିର‌ରେ ମାଡ଼ିଗଲାଣି ଗଛ : ଦେଖିପାରୁନି ଏଏସ୍ଆଇ

Tue Jul 19 , 2022
ପୁରୁଣା ଭୁବନେଶ୍ବର: ମୁଖ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ପାର୍ଶ୍ବରେ ଥିବା ମା’ ଭୁବନେଶ୍ବରୀ ମନ୍ଦିର, ପାର୍ବତୀ ମନ୍ଦିର, କାଶୀ ବିଶ୍ବନାଥ ମନ୍ଦିର ସମେତ ଅନ୍ୟ ଛୋଟ ବଡ଼ ମନ୍ଦିରରେ ଗଛ ଉଠି ଗଲାଣି। କିନ୍ତୁ ଏଗୁଡ଼ିକୁ ନଷ୍ଟ କରିବା ଦିଗରେ ଏଏସ୍‌ଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସେବାୟତ ଓ ଭକ୍ତ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟ ମନ୍ଦିରର ଦଧିନଉତିର ବିଭିନ୍ନ ସ୍ଥାନ ଓ ରାହାପାଗରେ ବର, […]
ଲିଙ୍ଗରାଜ ମନ୍ଦିର‌ରେ ମାଡ଼ିଗଲାଣି ଗଛ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial