ଟଙ୍କପାଣି ରାସ୍ତାର ଦୁରବସ୍ଥା : ମୃତ୍ୟୁକୁ ଡାକୁଛି ରାସ୍ତାକଡ଼ ଖାଲ

ଟଙ୍କପାଣି ରାସ୍ତାର ଦୁରବସ୍ଥା

ଖବର ପ୍ରକାଶ ପରେ ବିଭାଗ ତତ୍ପର, ଗାଡ଼ି ଚଳାଚଳ ପାଇଁ ଅସ୍ଥାୟୀ ମରାମତି

ଭୁବନେଶ୍ବର : ଟଙ୍କପାଣି ରାସ୍ତାର ଦୁରବସ୍ଥା ସଂପର୍କିତ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗର ଚେତା ପଶିଛି। ସକାଳେ ପୂର୍ତ୍ତ ବିଭାଗ ପକ୍ଷରୁ ଟଙ୍କପାଣି ଟ୍ରାଫିକ୍‌ ଛକ ନିକଟରେ ହୋଇଥିବା ବିପଦପୂର୍ଣ୍ଣ ଖାଲ‌‌ରେ ଗୋଡ଼ି, ବଜୁରି ଓ ଡଷ୍ଟ ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି। ଫଳରେ ଗାଡ଼ି ଚଳାଚଳ ସାମାନ୍ୟ ସହଜ ହୋଇଛି। କିନ୍ତୁ ଅନ୍ୟ ସ୍ଥାନଗୁଡ଼ିକ ଯେମିତିକୁ ସେମିତି ରହିଛି। ଟଙ୍କପାଣି-ରବିଟକିଜ୍‌ ଦୁଇ କିଲୋମିଟର ରାସ୍ତାରେ ଶତାଧିକ ଛୋଟ ବଡ଼ ଖାଲ ଲୋକଙ୍କୁ ହୀନସ୍ତା କରୁଛି। ସେହିପରି ଦୁଇକଡ଼ରେ ଖୋଳା ହୋଇଥିବା ବଡ଼ ବଡ଼ ଖାଲ ମୃତ୍ୟୁଯନ୍ତା ପାଲଟିଛି। ସାଇମନ୍ଦିର ଛକ ଦେଇ ଉପକଣ୍ଠ ରଙ୍ଗବଜାର, ବାସୁଆଘାଇ, ବାଙ୍କୁଆଳ, ବାଲିଅନ୍ତା, ବାଳକାଟି ପ୍ରମୁଖ ଅଞ୍ଚଳର ଲୋକମାନେ ରାଜଧାନୀକୁ ଆସିଥା’ନ୍ତି। ପ୍ରତିଦିନ ଏହି ବାଟ ଦେଇ ସ୍କୁଲ୍‌ ବସ୍, ମୋ ବସ୍‌ ସହ ହଜାର ହଜାର ଗାଡ଼ି ଯାତାୟାତ କରିଥାଏ। କିନ୍ତୁ ଟିପିସିଓଡିଏଲ୍‌, ବିଏସ୍‌ସିଏଲ୍‌, ସ୍ବେରେଜ୍‌ ବୋର୍ଡ ଓ ୱାଟ୍‌କୋ ପକ୍ଷରୁ ଏହି ରାସ୍ତାକୁ ମନଇଚ୍ଛା ଖୋଳି ଦିଆଯାଇଥିବାରୁ ଏବେ ବର୍ଷା ଦିନେ ତାହା ଅତି ସାଂଘାତିକ ପାଲଟିଯାଇଛି। ରାସ୍ତାରେ ହୋଇଥିବା ବଡ଼ବଡ଼ ଖାଲରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହି କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏହି ଖାଲରେ ପଡ଼ି ଲୋକେ ଖଣ୍ଡିଆଖାବରା ହେଉଛନ୍ତି। ଅପରପକ୍ଷେ ଏଥିଯୋଗୁଁ ଏହି ରାସ୍ତାରେ ପ୍ରାୟ ସମୟ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଟଙ୍କପାଣି ଟ୍ରାଫିକ୍‌ରୁ ରବିଟକିଜ୍‌ ଆଡ଼କୁ ଆସୁଥିବା ଗାଡ଼ି ପାସ୍‌ କରିବାରେ ବିଳମ୍ବ ହେଉଥିବାରୁ ୩୧୬ ନମ୍ବର ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଧରି ଜାମ୍‌ ପରିସ୍ଥିତି ଦେଖାଦେଉଛି। ଲଗାତାର ମାସେ ହେବ ଅଫିସ୍‌ ସମୟ, ଅପରାହ୍ନ ଓ ସନ୍ଧ୍ୟାରେ ଏହି ରାସ୍ତା ଜାମ୍‌ ରହୁଛି।
ଟ୍ରାଫିକ୍‌ ଛକଠାରୁ ଦୁଇ ଶହ ମିଟର ପଡ଼ିବ ପେଭର୍‌ ବ୍ଲକ୍‌
ପୂର୍ତ୍ତବିଭାଗ ଡିଭିଜନ୍‌-୧ର ଏସ୍‌ଡିଓ ପ୍ରଦୀପ କୁମାରଙ୍କ କହିବା ଅନୁସାରେ, ରବି ଟକିଜ୍‌ଠାରୁ ସାଇମନ୍ଦିର ଟ୍ରାଫିକ୍‌ ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା କାମ ହେବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ହେଲେ ବିଏସ୍‌ସିଏଲ୍‌ ସିସିଟିଭି କ୍ୟାମେରା ଲଗାଇବା ପାଇଁ ରାତି ଅଧରେ ରାସ୍ତା ଖୋଳି ଦେଉଛି। ଅଣ୍ଡରଗ୍ରାଉଣ୍ଡ କେବୁଲ୍‌ ପାଇଁ ଟିପିସିଓଡିଏଲ୍‌ ରାସ୍ତା ଖୋଳିଛି। ୱାଟ୍‌କୋ ପାଣି ପାଇପ୍‌ ବିଛାଉଛି। ସ୍ବରେଜ୍‌ କାମ ବି ଚାଲିଛି। ଏହି ୪ ବିଭାଗକୁ ଶୀଘ୍ର କାମ ସାରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗଗୁଡ଼ିକ ଯେଉଁ ସ୍ଥାନ ଖୋଳି କାମ କରୁଛନ୍ତି, ତାକୁ ମରାମତି କରୁନାହାନ୍ତି। ବର୍ତ୍ତମାନ ଏହି ରାସ୍ତାକୁ ପିଚୁ କରିବା ସମ୍ଭବ ହେବ ନାହିଁ। ବର୍ଷା ଦିନ ପରେ ଦୁର୍ଗାପୂଜା ବେଳକୁ କାମ କରାଯିବ। ଯେଉଁ ସ୍ଥାନରେ ଡ୍ରେନ୍‌ ନାହିଁ ସେଠାରେ ଜଳନିଷ୍କାସନ ପାଇଁ ଡ୍ରେନ୍‌ କରାଯିବା ସହ ପିଚୁ ରାସ୍ତା ନିର୍ମାଣ କରାଯିବ। ତେବେ ବର୍ତ୍ତମାନ ଯାତାୟାତରେ ସମସ୍ୟା ହେଉଥିବାରୁ ଖାଲଗୁଡ଼ିକ ମରାମତି କରାଯିବ। ଟଙ୍କପାଣି ଟ୍ରାଫିକ୍‌ ଛକ ନିକଟ‌ରେ ହୋଇଥିବା ବଡ଼ଖାଲଠାରୁ ପ୍ରାୟ ଦୁଇଶହ ମିଟର ରାସ୍ତାରେ ପେଭର୍‌ ବ୍ଲକ୍‌ ବିଛାଯିବ। ଏଥିପାଇଁ ବିଏମ୍‌ସିକୁ ଚିଠି ଲେଖାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଓଡ଼ିଶା ପାଇଁ ଐତିହାସିକ ଦିନ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେ‌ଲେ ଦୌପଦୀ ମୁର୍ମୁ

Thu Jul 21 , 2022
ନୂଆଦିଲ୍ଲୀ: ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ପାର୍ଲାମେଣ୍ଟ […]
୧୫ତମ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial