ସ୍ମାର୍ଟ ଜନପଥରେ ବାଉଁଶ ବାଡ଼ରେ ଗଳାବାଟ : ଜୀବନକୁ ବାଜି ଲଗାଇ ରାସ୍ତା ପାର୍‌

ବାଉଁଶ ବାଡ଼ରେ ଗଳାବାଟ-1

ଭୁବନେଶ୍ବର : ସ୍ମାର୍ଟ ଜନପଥରେ ଲାଗିଥିବା ବାଉଁଶ ମେଡିଆନ୍‌ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ହେଲେ ଲୋକେ ଗଳାବାଟ ତିଆରି କଲେଣି। ବାଉଁଶ ବତାକୁ ଭାଙ୍ଗି ଅତି ବିପଜ୍ଜନକ ଭାବରେ ରାସ୍ତା ପାର୍‌ ହେଉଛନ୍ତି। ଗାଡ଼ିଚାଳକଙ୍କୁ ଏହି ଗଳା ବାଟ ବାବଦରେ ସୂଚନା ନଥିବାରୁ ପାଦ ପାଦରେ ଉଭୟ ପଥଚାରୀ ଓ ଗାଡ଼ିଚାଳକଙ୍କ ପ୍ରତି ବିପଦ ରହିଛି। ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ଏହି ବାଡ଼ ଲାଗିବାକୁ ରହିଛି। ଏ ପର୍ଯ୍ୟନ୍ତ ରୂପାଲି ଛକ ପର୍ଯ୍ୟନ୍ତ ଏଭଳି ବାଡ଼ ‌ଦିଆ ସରିଛି। ଏହା ଭିତରେ ପାଖାପାଖି ୧୦ଟି ଜାଗାରେ ଲୋକମାନେ ବତା ଭାଙ୍ଗି ରାସ୍ତା ତିଆରି କରିଛନ୍ତି। କେହି ଜଗିବାକୁ ନାହାନ୍ତି। ଏଣୁ ଯିଏ ଯେଉଁଠି ପାରୁଛି କଣା କରି ବାଟ ତିଆରି କରିଦେଉଛି। ସ୍ମାର୍ଟ ଜନପଥର ମେଡିଆନ୍‌ରେ ପୂର୍ବରୁ ଲୁହା ବାଡ଼ ରହିଥିଲା। ଏହି ଲୁହା ବାଡ଼କୁ ଲୋକମାନେ ଭାଙ୍ଗି ନେବାରୁ ମଝିରେ ମଝିରେ ବାଟ ଖୋଲି ଯାଇଥିଲା। ଅନାୟାସରେ ବୁଲା ଗୋରୁ ଯିବା ଆସିବା କରୁଥିବା ବେଳେ ଲୋ‌କମାନେ ଏହାକୁ ବାଟ କରି ଦେଇଥିଲେ। ଏଣୁ ଲୁହାବାଡ଼ ଜାଗାରେ ‘ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)’ ବାଉଁଶ ପୋତିବାକୁ ଯୋଜନା କରିଥିଲା। ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ବାଉଁଶ ପୋତା ହୋଇଥିଲା। ଗୋଟିଏ ପଟେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏଭଳି ଗଳା ବାଟ ତିଆରି ହେଲାଣି। ବିପଜ୍ଜନକ ଭାବରେ ଲୋକମାନେ ଯିବାଆସିବା କରୁଥିବାରୁ ଦୂର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ଭାଙ୍ଗିବା ଅତି ସହଜ ହୋଇଥିବାରୁ ଯେ କେହି ଭାଙ୍ଗି ବାଟ ତିଆରି କରି ଦେଉଥିବା ଦେଖାଯାଇଛି। ଏଣୁ ବିଏସ୍‌ସିଏଲ୍‌ ଓ ଟ୍ରାଫିକ୍‌ ପୁଲିସ ଏହାକୁ ନେଇ ମାନସମନ୍ଥନ କରିବା ପରେ ୬ଟି ଜାଗାରେ ବିଧିବଦ୍ଧ ଭାବ‌ରେ ବାଟ ଖୋଲିବା ନିଷ୍ପତ୍ତି ହୋଇଛି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ସ୍ମାର୍ଟ ଜନପଥର ଗୋଟିଏ ପଟେ ପାର୍କିଂ ରହୁଥିବା ବେଳେ ଅନ୍ୟ ପାର୍ଶ୍ବରେ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି। ଆଉ କେଉଁଠି ବିଭିନ୍ନ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ରହୁଛି। ଫଳରେ ଗ୍ରାହକ ଓ ଛାତ୍ରଛାତ୍ରୀ ଗୋଟିଏ ପଟେ ପାର୍କିଂ କରି ଅନ୍ୟପଟକୁ ଯିବାକୁ ବାଧ୍ୟ ହେଉଛନ୍ତି। ସେଥିପାଇଁ ପୁଲିସ ସହ ବୈଠକ ପରେ ୬ଟି ଜାଗା ଚିହ୍ନଟ ହୋଇଛି। ସେଠାରେ ବତା ଭାଙ୍ଗି କଟ୍‌ ତିଆରି କରାଯିବ। ଏଥିରେ ଗାଡ଼ି ଯାଇ ପାରିବ ନାହିଁ। କେବଳ ପଥଚାରୀ ଯିବା ଆସିବା କରିବେ। ଗାଡ଼ି ଚାଳକଙ୍କ ପାଇଁ ସୂଚନା ରହିବ ବୋଲି ଜଣାପଡ଼ିଛି। ତେବେ ନିର୍ମାଣ ବେଳେ ଏଭଳି ଚିନ୍ତା କରାଗଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି।

Share Now:

Kalinga News Beuro

Next Post

ଚକୋଲେଟ ହିରୋଙ୍କ ରାସ ଲୀଳା,ପତ୍ନୀ ଦେଲେ କିଳା

Sat Jul 23 , 2022
ଭୁବନେଶ୍ବର: ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ଲୋକପ୍ରିୟ ଚକୋଲେଟ ହିରୋ ବାବୁସାନଙ୍କ ପତ୍ନୀ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଏ ନେଇ ଅଭିନେତା ବାବୁସାନ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ଚେନ୍ନାଇ ଗସ୍ତରେ ଥିବା ବାବୁସାନ୍ ଗଣମାଧ୍ୟମକୁ ଫୋନ ଯୋଗେ ନିଜର ପ୍ରତିକ୍ରିୟା ଦେଇ ଏହି ଘଟଣାରେ ପତ୍ନୀଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଚେନ୍ନାଇର […]
ବାବୁସାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial