ଚାଷୀଙ୍କୁ ‘ଚକଡ଼ା’ ଚଡ଼କରୁ ମୁକ୍ତି

ଏନ୍‌ଆର୍‌ଆର୍‌ଆଇ ବୈଜ୍ଞାନିକଙ୍କ ପାଞ୍ଚ ନୂଆ ଧାନ ବିହନ ଉଦ୍ଭାବନ

କଟକ: ଖାଲୁଆ ହେଉ କି’ ଅଳ୍ପ ଶୁଖିଲା ଜମି। ମରୁଡ଼ି ମାଡ଼ ହେଉ ବା ବନ୍ୟା ପ୍ରପୀଡ଼ିତ ଅଂଚଳ। ସବୁ ପାଣିପାଗରେ ଅଧିକ ଅମଳ ହେଇପାରିବ ଧାନ। ବୃଥା ଯିବନି ଚାଷୀର ହାଡ଼ଭଙ୍ଗା ପରିଶ୍ରମ। ଏଥିପାଇଁ ଉଦ୍ଭାବନ ହୋଇଛି ୫ଟି ନୂଆ କିସମର ଧାନ ବିହନ। ମୁଖ୍ୟ ରୋଗ ପୋକ ଦାଉରୁ ରକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଏହି ବିହନକୁ ଉଦ୍ଭାବନ କରିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ର(ଏନ୍‌ଆର୍‌ଆର୍‌ଆଇ)ର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଶରତ କୁମାର ପ୍ରଧାନ। ସନ୍ଥକବି ଭୀମଭୋଇ ଏବଂ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ୨ଟି ‘ସନ୍ଥଭୀମ’ ଓ ‘ସୁଭାଷ’ ବିହନ ନାମିତ କରାଯାଇଥିବା ବେଳେ ଅନ୍ୟ ୩ଟିର ନାମ ‘ରୁଚି’, ‘ସରୁମିନା’ ଓ ‘ମହାମଣି’ ରଖାଯାଇଛି। ଉଲ୍ଲେଖନୀୟ କଥା ହେଉଛି, ଏ ପାଞ୍ଚ କିସମ ବିହନର ଧାନ ଗଛରେ ମୁଖ୍ୟ ରୋଗପୋକ କୁହାଯାଉଥିବା ପତ୍ରପୋଡ଼ା, କାଣ୍ଡବିନ୍ଧା, ଚକଡ଼ା ଇତ୍ୟାଦି ସହଜରେ ଲାଗିବ ନାହିଁ। ଫସଲ କ୍ଷତିଗ୍ରସ୍ତ ହେବା ସମ୍ଭାବନା କ୍ଷୀଣ। ପ୍ରତିକୂଳ ପରିସ୍ଥିତିରେ ବି ଧାନ ଅଧିକ ଅମଳ ହେବ, ଏ ଭରସା ଚାଷୀଙ୍କୁ ଦେଇଛନ୍ତି ଓଡ଼ିଆ ବୈଜ୍ଞାନିକ ଡକ୍ଟର ପ୍ରଧାନ। ସରକାରଙ୍କ ଅନୁମୋଦନ ପରେ ଖୁବ୍‌ଶୀଘ୍ର ଏହି ୫ କିସମର ବିହନ ଚାଷୀଙ୍କ ପାଖରେ ପହଞ୍ଚିବାକୁ ଯାଉଛି। ମରୁଡ଼ି ପ୍ରପୀଡ଼ିତ ଅଂଚଳକୁ ଦୃଷ୍ଟିରେ ରଖି ସିଆର୍‌ ଧାନ୍‌-୧୦୨ ବା ‘ସନ୍ଥଭୀମ’ ବିହନ ସୃଷ୍ଟି କରାଯାଇଛି। ଏହାର ବିଶେଷତ୍ୱ ହେଉଛି, ଅଳ୍ପ ପାଣିରେ ଏ ଧାନ ଫସଲ ହେବ। ଗଛର ଉଚ୍ଚତା ୧ମିଟର୍‌ ମଧ୍ୟରେ ରହିବ। ଫୁଲ ଧରିବା ବେଳେ ଯଦି ମରୁଡ଼ି ହୁଏ, ତେବେ ବିଶେଷ କ୍ଷତିଗ୍ରସ୍ତ ହେବ ନାହିଁ। ରୋଗ ପୋକ ବି ମାଡ଼ିବ ନାହିଁ। ଚାଷୀ ୧୦୫ରୁ ୧୧୦ ଦିନ ବା ସାଢ଼େ ତିନି ମାସରେ ଧାନ ଅମଳ କରିବେ। ଯଦି ମରୁଡ଼ି ନହୁଏ ତେବେ ହେକ୍ଟର୍‌ ପିଛା ଚାଷୀ ହାରାହାରି ୫୦ କୁଇଣ୍ଟାଲ୍‌ ଧାନ ଅମଳ କରିବେ। ମରୁଡ଼ି ହେଲେ ବି ୨୫ କୁଇଣ୍ଟାଲ୍‌ରୁ ଅମଳ ଖସିବ ନାହିଁ। ଚାଉଳ ସରୁ ଓ ଲମ୍ବା ରହିବ। ଖାସ୍‌ କରି ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗୀର, ବରଗଡ଼, କଳାହାଣ୍ଡୀ, କୋରାପୁଟ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ଏ ଧାନ ଚାଷ ଚାଷୀଙ୍କ ପାଇଁ ଅଧିକ ଲାଭଦାୟକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ଅନୁରୂପ ଭାବେ ସିଆର୍‌-୮୦୨ ବା ‘ସୁଭାଷ’ ବିହନ ଅଳ୍ପ ଖାଲୁଆ ଜମିରେ ଚାଷ ହେବ। ପ୍ରଥମ ଥର ପାଇଁ ଏ ନୂଆ କିସମର ବିହନ ପ୍ରସ୍ତୁତ କରାଯାଇଛି, ଯାହା ମରୁଡ଼ି ଓ ବନ୍ୟା ମାଡ଼ରେ କ୍ଷତିଗ୍ରସ୍ତ ହେବ ନାହିଁ। ଉଭୟ ଦୁର୍ବିପାକରେ ଚାଷୀ ଫସଲ ଫଳାଇ ପାରିବ। ୧୩୦ରୁ ୧୪୦ଦିନରେ ଫସଲ ଅମଳକ୍ଷମ ହେବ ଏବଂ ଚାଷୀ ହେକ୍ଟର୍‌ ପିଛା ହାରାହାରି ୫୦ରୁ ୬୦କୁଇଣ୍ଟାଲ୍‌ ଧାନ ଅମଳ କରିବ। ଓଡ଼ିଶା ବ୍ୟତୀତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ବିହାର, ତେଲେଙ୍ଗାନାରେ ଏ ବିହନକୁ ଚାଷ କରାଯାଇପାରିବ। ସେଇଥିପାଇଁ ଜାତୀୟସ୍ତରର ଉତ୍କୃଷ୍ଟ ଧାନ କିସମ ଭିତରେ ‘ସୁଭାଷ’ ଅନ୍ୟତମ।

ଅନୁରୂପ ଭାବେ ସିଆର୍‌ ଧାନ-୨୦୮ ବା ‘ରୁୁଚି’ ଏବଂ ସିଆର୍‌ ଧାନ-୨୧୦ ‘ସରୁମିନା’ ଅଳ୍ପ ପାଣି ରହୁଥିବା ଜମିରେ ଚାଷ କରାଯାଇପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଧାରଣତଃ ଗୋଟିଏ କେଜି ଧାନ ଅମଳ ପାଇଁ ୫ହଜାର ଲିଟର୍‌ ପାଣି ଖର୍ଚ୍ଚ ହୁଏ। କିନ୍ତୁ ଏହି ଦୁଇ କିସମ ବିହନର ଧାନ ଚାଷ କଲେ ୫ହଜାର ଲିଟର୍‌ ପରିବର୍ତେ ତିନିରୁ ସାଢ଼େ ତିନି ହଜାର ପାଣି ଖର୍ଚ୍ଚ ହେବ। ଅର୍ଥାତ୍‌ ଗୋଟିଏ କେଜି ଧାନ ଅମଳରେ ୩୦ରୁ ୪୦ପ୍ରତିଶତ ପାଣି ସଂଚୟ ହେବ। ୧୧୦ରୁ ୧୧୫ଦିନରେ ଚାଷୀ ହେକ୍ଟର୍‌ ପିଛା ପାଖାପାଖି ୬୦ରୁ ୭୦କୁଇଣ୍ଟାଲ୍‌ ଧାନ ଅମଳ କରିବ। ‘ରୁଚି’ ଧାନର ଚାଉଳ ମଧ୍ୟମ ଏବଂ ‘ସରୁମିନା’ ଚାଉଳ ସରୁ ଓ ଲମ୍ବା ରହିବ।

ଅନ୍ୟପକ୍ଷରେ ସିଆର୍‌ ଧାନ୍‌-୪୧୦ ‘ମହାମଣି’ କିନ୍ତୁ ଅନ୍ୟ ୪ଟି କିସମ ବିହନରୁ ଭିନ୍ନ। ଏହାକୁ ଖାଲୁଆ ଜମିରେ ଚାଷ କରାଯିବ। ୧୬୦ଦିନ ଭିତରେ ଏବଂ ଚାଷୀ ସର୍ବାଧିକ ହେକ୍ଟର୍‌ ପିଛା ହାରାହାରି ୭୦କୁଇଣ୍ଟାଲ୍‌ ଅମଳ କରିବ। ଧାନ ଗଛ ଗୁଡ଼ିକର ଉଚ୍ଚତା ୧୩୦ ସେଣ୍ଟିମିଟର୍‌ ମଧ୍ୟରେ ରହିବ। ବିଶେଷକରି ଯେଉଁ ଚାଷୀ ମାନେ ସାରଳା, ଦୁର୍ଗା, ପ୍ରଧାନ, କଳାଚମ୍ପା ଧାନ ଚାଷ କରୁଛନ୍ତି, ସେମାନେ ସେହି ଜମିରେ ‘ମହାମଣି’କୁ ଚାଷ କରିପାରିବେ। ବୈଜ୍ଞାନିକ ଡକ୍ଟର ପ୍ରଧାନ କହିଛନ୍ତି ଯେ, ଏ ପାଞ୍ଚଟି କିସମର ବିହନର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ମରୁଡ଼ି/ବନ୍ୟା ପ୍ରପୀଡ଼ିତ ଅଂଚଳ ଏବଂ ଖାଲୁଆ ଓ ମଧ୍ୟମ ପାଣି ରହୁଥିବା ଜମିରେ ଏହାର ଚାଷ କରାଯିବ। ଆଗାମୀ ଦିନରେ ପାଣି ସମସ୍ୟା ଉପୁଜିବା ଆଶଙ୍କା କରାଯାଇ ବିହନ ଉଦ୍ଭାବନ କରାଯାଇଛି। କେବଳ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଚାଷୀଙ୍କ ପାଖେ ଏହା ପହଞ୍ଚିବ। ମୋଟାମୋଟି ଜୁଲାଇ ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି ଡକ୍ଟର ପ୍ରଧାନ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଫେମିନା ମିସ୍‌ ଇଣ୍ଡିଆ ୨୦୧୮ର ମୁକୁଟ ପିନ୍ଧିଲେ ଅନୁକ୍ରୀତି ୱାସ୍‌

Wed Jun 20 , 2018
ମୁମ୍ବାଇ: ଫେମିନା ମିସ୍‌ ଇଣ୍ଡିଆ ୨୦୧୮କଣ୍ଟେଷ୍ଟର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏଥର ବାଜିମାତ୍‌ କରିଛନ୍ତି ଅନୁକ୍ରୀତି ୱାସ୍‌। ଅନୁକ୍ରୀତି ତାମିଲନାଡ଼ୁର ବାସିନ୍ଦା। ସେ ୨୯ଟି ପ୍ରତିଯୋଗିତାରେ ହାରିବା ପରେ ଏହି କ୍ରାଉନ୍‌ ନିଜ ନାଁରେ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ହରିୟାଣାରେ ରହୁଥିବା ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ-ଅପ୍‌ ଓ ଆନ୍ଧ୍ରପ୍ରଦେସର ଶ୍ରେୟା ରାଓ ଦ୍ୱିତୀୟ ରନର୍ସ-ଅପ୍‌ ହୋଇଥିଲେ। ଅନ୍ୟପଟେ ଟପ୍‌ ୫ ପହଞ୍ଚିଥିବା ପ୍ରତିଯୋଗୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial