ରାଜ୍ୟରେ ୧୬ ହାତୀ ଶିକାର କରିଥିବା ରଜାକ ଖାଁ ଗିରଫ

ରଜାକ ଖାଁ ଗିରଫ

ଖୋର୍ଦ୍ଧା: ରାଜ୍ୟରେ ଗତ କିଛି ମାସ ଧରି ଚାଲିଥିବା ହାତୀମଡ଼କ ଘଟଣାରେ ଏକ ଚାଞ୍ଚଲ୍ୟକର ମୋଡ ଆସିଛି। ଆଜି ରାଜ୍ୟ ସରକାରଙ୍କ ଗଠିତ ଏସ୍ଆଇଟି ଖୋର୍ଦ୍ଧାର ବେଗୁନିଆ ଥାନା ଅଞ୍ଚଳରୁ ରଜାକ ଖାଁନ ନାମକ ଜଣେ ଶିକାରୀକୁ ଗିରଫ କରିବା ସହ ବିପୁଳ ହାତୀଦାନ୍ତ ଜବତ କରିଥିବା ଜଣାଯାଇଛି। ଗିରଫ ବ୍ୟକ୍ତି ଜଣକ ଆଠଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ଟି ହାତୀ ଶିକାର ମାମଲାରେ ସମ୍ପୃକ୍ତ ରହିଥିବା ସୂଚନା ରହିଛି। ତେବେ ଗିରଫଦାରୀ ସମ୍ପର୍କରେ ବନ ବିଭାଗଠାରୁ ଆରମ୍ଭ କରି ପୁଲିସ ଓ ଏସଟିଏଫ୍ କେହି ମୁହଁ ଖୋଲୁ ନଥିବା ମାମଲାକୁ ଅଧିକ ରହସ୍ୟମୟ କରିଛି। ସୂଚନାନୁସାରେ, ହାତୀ ଶିକାର ମାମଲାର ତଦନ୍ତ କରିବାକୁ ଗଠିତ ହୋଇଥିବା ଏସ୍ଆଇଟି, ଖୋର୍ଦ୍ଧା ଓ ଆଠଗଡ଼ ବନଖଣ୍ଡର ବନବିଭାଗ କର୍ମଚାରୀ, ଖୋର୍ଦ୍ଧା ସ୍ୱତନ୍ତ୍ର ସ୍କ୍ୱାଡ୍, ଏସ୍ଟିଏଫ୍, ଖୋର୍ଦ୍ଧା ପୁଲିସ ଗତ ଚାରି ଦିନ ଧରି ଖୋର୍ଦ୍ଧାର ବୋଲଗଡ଼, ବେଗୁନିଆ ଓ ଟାଙ୍ଗୀ ଆଦି ବ୍ଲକର ଏକାଧିକ ସ୍ଥାନରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ଅଭିଯାନ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରହିଥିଲା। ତେବେ ଗତକାଲି ରାତିରେ ବେଗୁନିଆର ପାରିମୂଳରୁ ରଜାକ ଖାଁ (୪୦) ଗିରଫ କରିଥିଲେ। ରଜାକ ଖାଁର ଘର ବେଗୁନିଆ ଥାନା ଅନ୍ତର୍ଗତ ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ଦକ୍ଷୀଣ ପାରିକ୍ଷେତ ନିକଟ ଅନନ୍ତପଲ୍ଲୀ ଅଟେ। ରଜାକ ଖାଁନ ମଧ୍ୟ ଗତ ଚାରିଦିନ ଧରି ଏହି ଯୁଗ୍ମ ଟିମକୁ ଚକମା ଦେଖାଇ, ଟିକାତାଳ, ଦେଉଳି, ବାଙ୍କୀ ଆଦି ଅଞ୍ଚଳରେ ଘୁରି ବୁଲୁଥିଲା। ରଜାକ ଖାଁ ଯେଉଁ ସ୍ଥାନରୁ ଗିରଫ ହେଲା ସେଠାରୁ ହାତୀଦାନ୍ତ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି। ଗତକାଲି ରାତିରେ ଖୋର୍ଦ୍ଧାରେ ଏନେଇ ପଚରାଉଚୁରା କରିବା ପରେ ଆଠଗଡ଼ ବନଖଣ୍ଡକୁ ହସ୍ତାନ୍ତର କରାଯାଇଛି। ସେଠାରେ କେନ୍ଦ୍ରର ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ପଚରାଉଚୁରା କରିବ ବୋଲି ଜଣାଯାଇଛି।
ପଚରାଉଚୁରାରେ ରଜାକ ଖାଁନ ରାଜ୍ୟରେ ୧୬ଟି ହାତୀ ଶିକାର କରିଥିବା ସ୍ୱୀକାର କରିଛି। କେବଳ ଏହା ନୁହେଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଆଦି ରାଜ୍ୟରେ ହୋଇଥିବା ଏକାଧିକ ହାତୀ ଶିକାର ଓ ହାତୀଦାନ୍ତ ଚାଲାଣରେ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ହାତୀ ଶିକାରର ନେଟ୍ୱାର୍କ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ସହ ଏଥିରେ ତା ୧୪ରୁ ଊର୍ଦ୍ଧ୍ବ ସହଯୋଗୀ ରହିଛନ୍ତି। ଏଥିରେ ବନବିଭାଗର କର୍ମଚାରୀ ସମ୍ପୃକ୍ତ ଥିବା ଓ ଓଡ଼ିଶାର କେତେକ ସରକାରୀ କର୍ମଚାରୀ ଓ ରାଜନେତାଙ୍କୁ ସେମାନେ ହାତୀଦାନ୍ତ ଯୋଗାଇଥିବା ମଧ୍ୟ ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତବର୍ଷ ମେ’ ଓ ଜୁନ ମାସରେ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ମାଟିରେ ପୋତାଯାଇଥିବା ୪ଟି ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହାପରେ ଜୁଲାଇ ମାସରେ ଆଠଗଡ଼-ବଡ଼ମ୍ବା ଅଞ୍ଚଳରେ ଦୁଇଟି ଗୁଳିବଦ୍ଧ ହାତୀ ମିଳିବା ପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା। ରାଜ୍ୟ ସରକାର ଜୁନ ୧୬ ତାରିଖରେ ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଥିଲେ। ୧ ମାସ ମଧ୍ୟରେ ଏହାର ରିପୋର୍ଟ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପୁଣି ୧ ମାସକୁ ବୃଦ୍ଧି କରାଯାଇଥିଲା। ଏହି ଘଟଣାରେ ଜଣେ ଫରେଷ୍ଟର ସହ ଦୁଇଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।

Share Now:

Kalinga News Beuro

Next Post

ଓଡ଼ିଶା ହାଇକୋର୍ଟ‌ରେ ଦୁଇ ନୂଆ ବିଚାରପତି

Fri Aug 12 , 2022
କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ହାଇକୋର୍ଟର ଏହି ଦୁଇ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୨, ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ […]
ଓଡ଼ିଶା ହାଇକୋର୍ଟ‌ରେ ଦୁଇ ନୂଆ ବିଚାରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial