ଫ୍ଲାଟ୍‌ ଦେବା ନାଁରେ ୨୦ କୋଟି ଠକେଇ : ଓଡ଼ିଶା ହୋମ୍ସ ନିର୍ଦ୍ଦେଶକ ଠକ ଅରବିନ୍ଦ ଗିରଫ

ଫ୍ଲାଟ୍‌ ଦେବା ନାଁରେ ୨୦ କୋଟି ଠକେଇ

ଅନ୍ୟ ଦୁଇ ସହଯୋଗୀଙ୍କୁ ଖୋଜୁଛି ଇଓଡବ୍ଲ୍ୟୁ

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ ୨୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ଅରବିନ୍ଦ ସାମନ୍ତରା। ଏନେଇ ଇଓଡବ୍ଲ୍ୟୁ କେସ ନଂ-୧୪/୨୨ରେ ଆଇପିସି ଦଫା ୪୦୬, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦(ବି)ରେ ମାମଲା ରୁଜୁକରି ତାଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପଟେ ସଂସ୍ଥାର ଦୁଇ ସହଯୋଗୀଙ୍କୁ ଗିରଫ ପାଇଁ ଇଓଡବ୍ଲ୍ୟୁ ତନାଘନା ଜାରି ରଖିଛି।
ସୂଚନା ମୁତାବକ, ୨୦୧୩ ମସିହାରେ ଅରବିନ୍ଦ ଓ ମନୋଜ ପଣ୍ଡା ନୂଆପଲ୍ଲୀ ଅଞ୍ଚଳରେ ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ବିଲ୍ଡର ଅଫିସ୍‌ ଖୋଲିଥିଲେ। ପରବର୍ତ୍ତୀ ସମୟରେ ସରୋଜ ପଣ୍ଡା ଅନ୍ୟତମ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ଲୋକଙ୍କୁ କଳିଙ୍ଗ ଷ୍ଟୁଡିଓ ନିକଟ ଶ୍ୟାମପୁର ଅଞ୍ଚ‌ଳରେ ଶସ୍ତାରେ ଫ୍ଲାଟ ଦେବାର ଲୋଭ ଦେଖାଇ ଗଣପତି ହୋମ୍ସ ନାମରେ ବୁକିଂ ନେଇଥିଲେ। ୨୦୧୩ରୁ ୨୦୧୬ ମଧ୍ୟରେ ୪୨ଜଣ ଲୋକଙ୍କଠାରୁ ୨୦ କୋଟି ଟଙ୍କା ଆଦାୟ କରିଥିଲେ। ଜମାକାରୀଙ୍କୁ ୨୦୧୮ ସୁଦ୍ଧା ଘରଦେବାକୁ ଚୁକ୍ତି କରିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବି କୌଣସି ଜଣେ ଜମାକାରୀଙ୍କୁ ଘର ଦେବା ତ ଦୂରର କଥା ପାଲଟା ଅର୍ଦ୍ଧନିର୍ମିତ ଫ୍ଲାଟରୁ ୭ଟି ଘରକୁ ପୁଣି ଥରେ ଅନ୍ୟ ଜମାକାରୀଙ୍କୁ ବିକ୍ରି କରିଦେଇଛନ୍ତି। ୨୦୧୬ ମସିହାରେ ରଞ୍ଜନ କୁମାର ମହାପାତ୍ର ନାମକ ଜଣେ ଜମାକାରୀ ଏକ ୩ ବିଏଚ୍‌କେ ଫ୍ଲାଟ ପାଇଁ ବୁକିଂ କରିଥିଲେ। ଆଉ ଏଥିପାଇଁ ୬୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ବୁକିଂର ୬ବର୍ଷ ପରେ ଫ୍ଲାଟ ନମିଳିବାରୁ ସେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତେବେ ରଞ୍ଜନଙ୍କ ଭଳି ୪୦ରୁ ଉର୍ଦ୍ଧ୍ବ ଜମାକାରୀ ଠକାମୀର ଶିକାର ହୋଇଥିବା ଜଣାପଡ଼ିବା ପରେ ଆଜି ଇଓଡବ୍ଲ୍ୟୁ ନୂଆପଲ୍ଲୀ ସ୍ଥିତ ଅଫିସ୍‌ରେ ଚଢ଼ଉ କରି ଅରବିନ୍ଦଙ୍କୁ ଗିରଫ କରିଥିଲା। ଚଢ଼ଉ ସମୟରେ ସେଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର, ରସିଦ ଆଦି ଜବତ କରିଛି। ଅନ୍ୟ ସହଯୋଗୀ ଫେରାର୍‌ ଥିବାରୁ ସେମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।

Share Now:

Kalinga News Beuro

Next Post

ପୂର୍ବ ଶତ୍ରୁତାରୁ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ : ମୋବାଇଲରେ ଫଟୋ ଉଠାଇବାକୁ ନେଇ ହାତାହାତି ପରିସ୍ଥିତି

Fri Aug 26 , 2022
ଭୋଗରାଇ: ପୂର୍ବ ଶତ୍ରୁତାରୁ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ। ସ୍କୁଲ ଆସିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କ ଫଟୋ ଅନ୍ୟ ଜଣେ ଶିକ୍ଷୟିତ୍ରୀ ନିଜ ମୋବାଇଲରେ ଉଠାଇବା ଘଟଣାକୁ ନେଇ ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ନିଜ ନିଜର ବ୍ୟକ୍ତିଗତ କଥାକୁ ନେଇ ବୃତ୍ତିଗତ ଆକ୍ରୋଶରୁ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାରେ ୨ ଶିକ୍ଷୟିତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୁଣ୍ଡ ଫାଟିଛି। ଏନେଇ ଥାନାରେ […]
ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial