ଶ୍ବେତା ଆତ୍ମହତ୍ୟା ମାମଲା : ବ୍ୟାଙ୍କ ଲୋନ୍‌ ଟଙ୍କା ଗଲା କୁଆଡ଼େ?

ଶ୍ବେତା ଆତ୍ମହତ୍ୟା ମାମଲା

ଚନ୍ଦ୍ରଶେଖରପୁର: ସପ୍ଟୱେର ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ଖୋଳତାଡ଼ରୁ ‌ଆଜି ଆଉ ଏକ ସନ୍ଦେହଜନକ କଥା ପୁଲିସ ତଦନ୍ତ ପରିସରଭୁକ୍ତ ହୋଇଥିବା ଜଣାପଡ଼ିଛି। ଶ୍ବେତା ଏକ ବ୍ୟାଙ୍କରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିବା ଜଣାପଡ଼ିଛି। ଉକ୍ତ ଋଣରୁ ମାସିକ କିସ୍ତି ହିସାବରେ ସେ ସୁଝିଚାଲିଥିବା ମଧ୍ୟ ଜଣାପଡ଼ିଛି। ମାସିକ ଅଧ ଲକ୍ଷରୁ ଅଧିକ ଟଙ୍କା ଦରମା ପାଉଥିବା ଶ୍ବେତା କେଉଁ କାରଣରୁ ଏହି ବ୍ୟାଙ୍କ ଲୋନ୍‌ କରିଥିଲେ ଓ ଉକ୍ତ ଟଙ୍କା‌ ସେ କେଉଁ ବାଟରେ ଖର୍ଚ୍ଚ କରିଥିଲେ, ସେନେଇ ପୁଲିସ ଖୋଳତାଡ଼ କରିବା ଆରମ୍ଭ କରିଛି। ତେଣୁ ପୁଲିସ ଶ୍ବେତାଙ୍କ ଫୋନ୍‌ ପେ’ ବା ସେଭଳି କିଛି ଅନ୍‌ଲାଇନ୍‌ ଆପ୍‌ ଉପରେ ଛାନ୍‌ଭିନ ଆରମ୍ଭ କରିଛି। ଅପରପକ୍ଷେ ତଦନ୍ତକାରୀ ଟିମ୍‌ ସ୍ବାଭାବିକ ଭାବେ ଶ୍ବେତାଙ୍କ ବନ୍ଧୁ ତଥା ସହକର୍ମୀମାନଙ୍କୁ ପଚରାଉଚରା ଚଳାଇଛି। ଶ୍ବେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍‌ଙ୍କ ବାବଦରେ ପୁଲିସ ସେମାନଙ୍କଠାରୁ ତଥ୍ୟ ଯୋଗାଡ଼ କରୁଛି। ପୁରୁଷବନ୍ଧୁ ସୌମ୍ୟଜିତ୍‌ ବ୍ଲାକ୍‌ମେଲ୍‌ କରିବା ସହ ଶ୍ବେତାଙ୍କଠାରୁ ପ୍ରଚୁର ପଇସା ନେଇନେଇ ତାଙ୍କୁ ଶୋଷି ଚାଲିଥିଲେ ବୋଲି ବାପା ଓ ଭାଇ ଅଭିଯୋଗ କରିଆସୁଛନ୍ତି। ଏହା ପଛରେ କେତେ ସତ୍ୟତା ଅଛି, ତାକୁ ନେଇ ପୁଲିସ ବି ତଦନ୍ତ କରୁଛି। ଏହା ଭିତରେ ମିଳିଛି ଶ୍ବେତାଙ୍କ ବ୍ୟାଙ୍କ ଲୋନ୍‌ ବାବଦରେ କିଛି ତଥ୍ୟ। ତାଙ୍କ ବାପା ଏହି ଲୋନ୍‌ କଥା ଶୁଣିବା ପରେ ବିସ୍ମିତ ହୋଇଛନ୍ତି। ସେ ମାସିକ ଅଧ ଲକ୍ଷ ଟଙ୍କାରୁ ଅଧିକ ଦରମା ପାଉଥିଲା ଓ ତା’ ପଇସା ଉପରେ ପରିବାର ଆଦୌ ନିର୍ଭର କରୁନଥିଲା। ତା’ ପଇସା ସେ ନିଜେ ମନଇଛାରେ ମଜଲିସ୍‌ରେ ଖର୍ଚ୍ଚ କରୁଥିଲା। ଭଲ ଭଡ଼ା ଘର ନେଇ ରହୁଥିଲା ଓ ଅନ୍ୟାନ୍ୟ ଖର୍ଚ୍ଚ କରୁଥିଲା। ତେଣୁ ବ୍ୟାଙ୍କରୁ ଲୋନ୍‌ କ’ଣ ପାଇଁ କରିଥିଲା ବୋଲି ତାଙ୍କ ବାପା ବୁଝିପାରୁନଥିବା‌ କହିଛନ୍ତି।
ସୌମ୍ୟଜିତ୍‌ ହିଁ ଏସବୁ ଟଙ୍କା ନେଇଥିବ ବୋଲି ସନ୍ଦେହ କରାଯାଉଛି। ପୁଲିସ ମଧ୍ୟ ଏହି ଟଙ୍କା ବାବଦରେ ଛାନ୍‌ଭିନ ଆରମ୍ଭ କରିଛି। ଲୋନ୍‌ କରିଥିବା ତାରିଖ ପରଠୁ ଶ୍ବେତା କାହା କାହା ସହ ଟଙ୍କା ଦେଣନେଣ କରିଛନ୍ତି, ଜାଣିବା ପାଇଁ ପୁଲିସ ତାଙ୍କ ଅନ୍‌ଲାଇନ ଆପ୍‌ ସବୁକୁ ତଦନ୍ତ ପରିସରକୁ ଆଣିଛି। ଶ୍ବେତାଙ୍କ ମୋବାଇଲ ଫୋନ୍‌ ଓ ଲାପ୍‌ଟପ୍‌ରୁ ମିଳିଥିବା ସନ୍ଦେହଜନକ ଚାଟିଂ ସହିତ ଟଙ୍କା ଦେଣନେଣର କି ସମ୍ପର୍କ ରହିଛି, ସେନେଇ ପୁଲିସ ଖୋଳତାଡ଼ କରୁଛି। ସେମାନଙ୍କ ପ୍ରେମ ବ୍ରେକ୍‌ଅପ୍‌ ହେବା ପରେ ଏହି ଟଙ୍କା ଦେଣନେଣକୁ ନେଇ ସେମାନଙ୍କ ଭିତରେ ତିକ୍ତତା ବଢ଼ିଥିବା ସନ୍ଦେହ ଉପରେ ପୁଲିସ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଟଙ୍କା ଦେଣନେଣ ପଛରେ ସୌମ୍ୟଙ୍କ ବ୍ଲାକ୍‌ମେଲ୍‌ କରିବା ରହିଛି କି ନାହିଁ, ପୁଲିସ ତଦନ୍ତରୁ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଏହା ଭିତରେ ପୁଲିସ ‌‌‌ଶ୍ବେତାଙ୍କ ଘନିଷ୍ଠ ୪ଜଣ ସାଙ୍ଗଙ୍କ ବୟାନ ରେକର୍ଡ କରିଛି। ଶ୍ବେତା କିଭଳି ସୌମ୍ୟଜିତ୍‌ ପାଇଁ ବହୁ ପଇସା ଖର୍ଚ୍ଚ କରୁଥିଲେ, ତାହା‌ ଉପରେ ସେମାନେ ପୁଲିସକୁ ବହୁ ତଥ୍ୟ ଦେଇଥିବା ଜଣାପଡ଼ିଛି। ଏମିତିକି ସୌମ୍ୟଜିତ୍‌ଙ୍କ ଜନ୍ମଦିନ ପାଳନ ବାବଦରେ ବି ‌ଶ୍ବେତା ହିଁ ସବୁ ଖର୍ଚ୍ଚ କରୁଥିଲେ ବୋଲି ସେମାନେ କହିଛନ୍ତି। ଏସବୁ ପରେ ପୁଲିସ ସୌମ୍ୟଜିତ୍‌କୁ ଜେରା କରିନଥିବା ପ୍ରସଙ୍ଗ ମାମଲାର ଉତ୍କଣ୍ଠା ବଢ଼ାଉଛି। ସେପଟେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିବା ସୌମ୍ୟକୁ ପୁଲିସ ଜେରା କରିପାରୁନଥିବାରୁ ପୁଲିସ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡ଼ା କରାଇଛି।

Share Now:

Kalinga News Beuro

Next Post

୧୨ ବର୍ଷ ପରେ ଦ୍ବିତୀୟ ଥର ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କଲେ ପୁନମ

Sun Aug 28 , 2022
ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ପୁନମ କେତେଜଣ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ। ଏହାପରେ ପୁନମ୍ ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କ ପରି କେତେକଙ୍କ ସହ କାମ କରିଛନ୍ତି। ୨୦୧୦ରେ ମୁକ୍ତିଲାଭ କରିଥିବା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ‘ଲଭ୍ […]
ନାୟିକା ପୁନମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial