ପୁଣି ଝୁଲିଲା ବାୟୋମାଇନିଂ : ୯ ମାସରେ ଭୁଆସୁଣିକୁ ବନ୍ଦ ହେବ ତ ଆବର୍ଜନା ?

ପୁଣି ଝୁଲିଲା ବାୟୋମାଇନିଂ

ଭୁବନେଶ୍ବର: ଏ ବର୍ଷ ହେବ ନାହିଁ ବାୟୋମାଇନିଂ ପ୍ରକଳ୍ପ। ଦୁଇ ଦିନ ତଳେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ସମାଧାନ କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ସ୍ପଷ୍ଟ ହୋଇଛି। କୌଣସି ପ୍ରାକ୍ ପ୍ରସ୍ତୁତି ନଥାଇ ବାୟୋମାଇନିଂ ପ୍ରକଳ୍ପର ଟେଣ୍ଡର୍‌ ବିଏମ୍‌ସି କାହିଁକି ଡାକିଥିଲା ଓ ଠିକାଦାରଙ୍କ ସହ କାହିଁକି ଚୁକ୍ତି କରିଥିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍‌ ବିଏମ୍‌ସିର ପ୍ରଶାସକ ଥିଲା ବେଳେ ଏହି ଚୁକ୍ତି ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ସେହି ସଚିବଙ୍କ ଉପସ୍ଥିତିରେ ହିଁ ୯ ମାସ ପର୍ଯ୍ୟନ୍ତ ବାୟୋମାଇନିଂ ପ୍ରକଳ୍ପ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଗଲା। ନଗର ଉନ୍ନୟନ ବିଭାଗ ଓ ବିଏମ୍‌ସିର ଅଧିକାରୀମାନେ ଯେ ଅତ୍ୟନ୍ତ ବେପରୱା ଢଙ୍ଗରେ ନିଷ୍ପତ୍ତି ନେଉଛନ୍ତି, ତାହା ସ୍ପଷ୍ଟ ହୋଇଛି। ଭୁଆସୁଣିରେ ଆବର୍ଜନା ପଡ଼ିବା ଦିନଠାରୁ ଅର୍ଥାତ୍‌ ୨୦୦୮ ମସିହାରୁ ବିରୋଧ ହୋଇଆସୁଛି। ବିଭିନ୍ନ ସମୟରେ ବିଏମ୍‌ସି ଏହି ଆବର୍ଜନାକୁ ପରିଚାଳନା କରି ଏହି ସ୍ଥାନର ମୂଳ ଅବସ୍ଥାକୁ ଫେରାଇ ଆଣିବାକୁ ଯୋଜନା କରିଛି। ୨୦୧୪ ମସିହାରେ ଏସେଲ୍‌(ଇଏସ୍‌ଏସ୍‌ଇଏଲ୍‌) ନାମକ ଏକ ସଂସ୍ଥା ଏହି ଆବର୍ଜନାକୁ ପରିଚାଳନା କରି ଶକ୍ତି ଉତ୍ପାଦନ କରିଥାନ୍ତା। ହେଲେ ବିଏମ୍‌ସିର ଏଭଳି ପରିଚାଳନାଗତ ତ୍ରୁଟି ଯୋଗୁ ସମ୍ପୃକ୍ତ ସଂସ୍ଥା ପ୍ରକଳ୍ପ ଆରମ୍ଭ କରିନପାରି ଫେରି ଯାଇଥିଲା। ଏବେ ଠିକ୍‌ ଅନୁରୂପ ପରିସ୍ଥିତି ଉପୁଜିଛି। ଏଭଳି ବିଭ୍ରାଟ ଜାରି ରହିଲେ ଏହି ପ୍ରକଳ୍ପର ଭବିଷ୍ୟତ କଣ ହେବ ସେ ନେଇ ପ୍ରଶ୍ନ ଉଠିଛି। ‘ଆବର୍ଜନାରୁ ଶକ୍ତି’ ଯୋଜନାରେ ବିଏମ୍‌ସିର ଅବହେଳା ଯୋଗୁ ସମ୍ପୃକ୍ତ ସଂସ୍ଥା ଚାଲିଯିବା ପରେ ୨୦୧୯ ମସିହାରେ ବା‌ୟୋମାଇନିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। ସେତେବେଳେ ୬୩ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା।
ହେଲେ ବିଏମ୍‌ସିର ଅପାରଗତା ଯୋଗୁଁ ତାହା ମଧ୍ୟ ହୋଇପାରିଲା ନାହିଁ। ଦାରୁଠେଙ୍ଗବାସୀଙ୍କ ଆନ୍ଦୋଳନ, ବିରୋଧ ଯୋଗୁ ପୁଣି ଦୁଇ ବର୍ଷ ପରେ ଅର୍ଥାତ୍‌ ୨୦୨୧ ଏପ୍ରିଲ ମାସରେ ବାୟୋମାଇନିଂ ପ୍ଲାଣ୍ଟ ପାଇଁ ଯୋଜନା ହେଲା। ହେଲେ ଏଥର ପ୍ରକଳ୍ପ ମୂଲ୍ୟ ୪୦ ‌କୋଟି ବଢ଼ିଗଲା। ଅର୍ଥାତ୍‌ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହେଲା। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ସ୍ବୀକୃତି ମିଳିଲା। ବିଏମ୍‌ସି ଟେଣ୍ଡର କରିବା ପରେ ଦୁଇଟି ସଂସ୍ଥା ଜାଗୃତି ୱେଲ୍‌ଫେୟାର ଅର୍ଗାନାଇଜେସନ୍‌ ଓ ଜନଆଧାର ସେବାଭାବି ସଂସ୍ଥା ସହ ବିଏମ୍‌ସି ଗତ ଫେବ୍ରୁଆରି ୨୩ ତାରିଖରେ ଚୁକ୍ତି ହୋଇଥିଲା। ଚୁକ୍ତି ପରେ ପରେ କାମ ଆରମ୍ଭ ହୋଇଥାନ୍ତା। ୩ ବର୍ଷ ମଧ୍ୟରେ ୬୦ ଏକର ଜାଗାରେ ଜମା ହୋଇ ରହିଥିବା ୧୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଆବର୍ଜନାକୁ ପରିଚାଳନା କରି ସମ୍ପୃକ୍ତ ସଂସ୍ଥାଦ୍ବୟ ୨୦୨୫ ଜୁଲାଇ ସୁଦ୍ଧା କାମ ସାରିଥାନ୍ତେ। ହେଲେ ଆବର୍ଜନା ଗଦା କରିବା ପାଇଁ ବିଏମ୍‌ସି ଭୁଆସୁଣିର ବିକଳ୍ପ ବାହାର କରିନପାରିବାରୁ ଏହି ସବୁ ଯୋଜନା ଝୁଲି ରହିଛି। ବାୟୋମାଇନିଂ ପ୍ରକଳ୍ପ ପାଇଁ ଠିକାଦାରଙ୍କ ସହ ଚୁକ୍ତି ସ୍ବାକ୍ଷର କଲା ବେଳେ ବିଏମ୍‌ସି ପ୍ରାକ୍‌ ପ୍ରସ୍ତୁତି କରି ନଥିବା ସ୍ପଷ୍ଟ ହୋଇଛି। କାରଣ ନୂଆ ଆବର୍ଜନା ପକାଇବାକୁ ବିଏମ୍‌ସି ଆବଶ୍ୟକ ଜାଗା ପ୍ରସ୍ତୁତ କରି ନଥିଲା। ଏହା ସତ୍ତ୍ବେ ଅତ୍ୟନ୍ତ ତରବରିଆ ଭାବେ ଚୁକ୍ତି ସ୍ବାକ୍ଷର କରିଦିଆଗଲା। ଏବେ ଚୁକ୍ତି ସ୍ବାକ୍ଷରର ୧୬ ମାସ ପରେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହେବ। ଏହା ଦ୍ବାରା ବିଏମ୍‌ସି ନିଜେ ଟେଣ୍ଡର୍‌ ସର୍ତ୍ତରେ ଖିଲାପ କରୁଛି। ଭବିଷ୍ୟତରେ ଏହା ବିଏମ୍‌ସି ପାଇଁ ଆଇନଗତ ସମସ୍ୟା ସୃଷ୍ଟି କରିପାରେ। କୌଣସି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଯେତିକି ହୋମ୍‌ୱାର୍କ ଦରକାର, ସମ୍ଭବତଃ ତାହା ନଗର ଉନ୍ନୟନ ବିଭାଗର ଅଧିକାରୀମାନେ କରୁନାହାନ୍ତି। ଯେଉଁଥିପାଇଁ ବାରମ୍ବାର ଏମିତି ବିଭ୍ରାଟ ହେଉଛି। ଅଧିକାରୀମାନଙ୍କର ଏମିତି ଆଭିମୁଖ୍ୟ ଯୋଗୁ ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟିଯାଉଥିବା ଅଭିଯୋଗ ହେଉଛି। ବଡ଼କଥା ହେଉଛି ୨୦୧୯ରେ ବାୟୋମାଇନିଂ ପ୍ରକଳ୍ପ ବାତିଲ ହୋଇ ୨୦୨୧ରେ ପୁଣି ଥରେ ଯୋଜନା ହୋଇଥିଲା। ଦୁଇବର୍ଷରେ ପ୍ରକଳ୍ପର ମୂଲ୍ୟ ୪୦ କୋଟି ବଢ଼ି ଯାଇଥିଲା। ସମୟ ଗଡ଼ିଲେ ପ୍ରକଳ୍ପର ମୂଲ୍ୟ ବଢ଼ିବା ଆଶଙ୍କା ଥିବାରୁ ଏଠାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିବାକୁ ଯାଉଛି। ୯ ମାସ ପରେ ବିଏମ୍‌ସି ଦାରୁଠେଙ୍ଗକୁ ଆବର୍ଜନା ଯିବା ବନ୍ଦ ହେବା ପରେ ବାୟୋମାଇନିଂ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି। ୯ମାସ ମଧ୍ୟରେ ବିଏମ୍‌ସି ୧୯ ଏମ୍‌ସିସି, ୧୨ ଏମ୍‌ଆରଏଫ୍‌ ଓ ଦୁଇଟି ବଡ଼ ବଡ଼ ଏମ୍‌ସିସି(୨୦୦ ଟନ୍‌ କ୍ଷମତା ସମ୍ପନ୍ନ) ପ୍ରତିଷ୍ଠା କରିବା ପରେ ଆବର୍ଜନା ଭୁଆସୁଣିକୁ ନେବ ନାହିଁ ବୋଲି କହିଛି। ପୂର୍ବରୁ ୫ଟି ଏମ୍‌ସିସି କାର୍ଯ୍ୟକ୍ଷମ କରିବାକୁ ବିଏମ୍‌ସି ୨ବର୍ଷରୁ ଅଧିକ ସମୟ ନେଇଥିବା ବେଳେ ଏହି ସବୁ ପ୍ରକଳ୍ପ ପ୍ରତିଷ୍ଠା ୯ ମାସରେ କିଭଳି ସମ୍ଭବ ହେବ ଓ ୯ ମାସ ପରେ ବା ଆସନ୍ତାବର୍ଷ ମେ’ ବେଳକୁ ବାୟୋମାଇନିଂ କିଭଳି କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆହୁରି ମଧ୍ୟ ନ୍ୟାସ୍‌ନାଲ୍‌ ଗ୍ରିନ୍ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ର ଭର୍ତ୍ସନା ଯୋଗୁ ଭୁଆସୁଣି ଡମ୍ପିଂୟାର୍ଡର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଏମ୍‌ସି ତତ୍ପରତା ପ୍ରକାଶ କରି ବାୟୋମାଇନିଂ ପ୍ରକଳ୍ପର ପରିକଳ୍ପନା କରିଥିଲା। କିନ୍ତୁ ଏବେ ଅହେତୁକ ବିଳମ୍ବ ହେଉଥିବାରୁ ଏନ୍‌ଜିଟି କଠୋର ଆଭିମୁଖ୍ୟ ଦେଖାଇବାର ଆଶଙ୍କା ରହିଛି। ଟ୍ରିବ୍ୟୁନାଲ୍‌ରେ ବିଏମ୍‌ସି କି ସଫେଇ ଦେବ, ତାହା ପରେ ଜଣାପଡ଼ିବ।

Share Now:

Kalinga News Beuro

Next Post

ଶ୍ରୀଲଙ୍କା ଫେରିଲେ ରାଜପକ୍ଷେ : ସରକାର ଯୋଗାଇଦେଲେ ଘର, ସୁରକ୍ଷା

Sat Sep 3 , 2022
କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ରାତିରେ ସ୍ବଦେଶ ଫେରିଛନ୍ତି। ପ୍ରାୟ ୫୧ ଦିନ ପରେ ସେ ସ୍ବଦେଶ ଫେରିଛନ୍ତି। ଏହାକୁ ନେଇ ଦେଶରେ ପୁଣି ବିରୋଧ ଦେଖାଯିବାର ଆଶଙ୍କା ଥିବାରୁ ତାଙ୍କ ପାଇଁ କଡ଼ା ସୁରକ୍ଷା ବନ୍ଦବୋସ୍ତ କରାଯାଇଛି। ତାଙ୍କ ପାଇଁ ଶ୍ରୀଲଙ୍କା ସରକାର ଏକ ସରକାରୀ ବାସଗୃହ, ସହାୟକ କର୍ମଚାରୀ ଓ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ରାତିରେ ସେ […]
ଶ୍ରୀଲଙ୍କା ଫେରିଲେ ରାଜପକ୍ଷେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial