“ଲୋକେ ରେସନ୍‌ କିଣନ୍ତି, କିନ୍ତୁ ‘ବିଜେପି’ ବିଧାୟକ କିଣୁଛନ୍ତି” – ହେମନ୍ତ ସୋରେନ୍‌

ଆସ୍ଥା ଭୋଟ୍‌ରେ ବିଜୟୀ ହେମନ୍ତ ସୋରେନ୍‌

ରାଞ୍ଚି: ଲୋକେ ରେସନ୍‌ କିଣନ୍ତି, କିନ୍ତୁ ‘ବିଜେପି’ ବିଧାୟକମାନଙ୍କୁ କିଣୁଛି ବୋଲି ଆଜି ବିଧାନସଭାରେ ଆସ୍ଥା ଭୋଟ୍‌ ଆଗତ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଥିବା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କହିଛନ୍ତି। ଏହି ଆସ୍ଥା ଭୋଟ୍‌ରେ ସୋରେନ୍‌ଙ୍କ ସପକ୍ଷରେ ସମୁଦାୟ ୪୮ଟି ଭୋଟ୍‌ ପଡ଼ିଥିଲା। ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡ଼ଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା ଭୋଟ୍‌ ପାଇଁ ପ୍ରସ୍ତାବ ଦେବା ସହ କହିଥିଲେ, ବିରୋଧୀ ଦଳ ଗଣତନ୍ତ୍ରକୁ ନଷ୍ଟ କରି ଦେଇଛି। ‘ବିଜେପି’ ବିଧାୟକମାନଙ୍କ ଘୋଡ଼ା ବେପାରରେ ମାତିଛି। ଆମେ ବିଧାନସଭା‌ରେ ଆମର ସାମର୍ଥ୍ୟ ପ୍ରତିପାଦନ କରିବୁ। ସେ ଆହୁରି ମଧ୍ୟ କହିଥିଲେ, ଲୋକେ ଲୁଗାପଟା, ରେସନ୍‌, ସଉଦାପତ୍ର ଆଦି କିଣିବା କଥା ଆମେ ଶୁଣିଛୁ। କିନ୍ତୁ, କେବଳ ‘ବିଜେପି’ ହିଁ ବିଧାୟକମାନଙ୍କୁ କିଣୁଛି।
ସୂଚନାଯୋଗ୍ୟ, ବିରୋଧୀ ‘ବିଜେପି’ର ବିଧାୟକ କିଣା ପ୍ରତିହତ କରିବା ପାଇଁ ଝାଡ଼ଖଣ୍ଡର ଶାସକ ମେଣ୍ଟ ବିଧାୟକମାନଙ୍କୁ କଂଗ୍ରେସ ଶାସିତ ଛତିଶଗଡ଼ରେ ଗୋଟାଏ ସୌଖିନ ରିସର୍ଟରେ ରଖାଯାଇଥିଲା। ଗତକାଲି ଏକ ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିକୁ ଅଣାଯାଇଥିଲା। ରାଜ୍ୟ ଅତିଥି ଭବନରେ ବିଧାୟକମାନେ ଏକତ୍ର ରାତ୍ରଯାପନ କରିବା ପରେ ଆଜି ସକାଳେ ସିଧା ବିଧାନସଭାରେ ପହଞ୍ଚିଥିଲେ। ଆସ୍ଥା ଭୋଟ୍‌ କାହିଁକି ନିଆଯାଉଛି ବୋଲି ପଚାରନ୍ତେ, ହେମନ୍ତ ସୋରେନ୍‌ ସାମ୍ବାଦିକମାନଙ୍କୁ କହିଥିଲେ, ଆସ୍ଥା ଭୋଟ୍‌ ନେବ କିଏ? ବିରୋଧୀ ଦଳ? ମତେ ହଟାଇବା ପାଇଁ ବିରୋଧୀ ଷଡ଼ଯନ୍ତ୍ର ଜାଲ ବିଛାଇଛି। ସେମାନଙ୍କ ନିର୍ମିତ ଜାଲରେ ସେମାନେ ହିଁ ପଡ଼ିବେ। ନିଜ ନାମରେ ଖଣି ଲିଜ୍‌ କରି ନିର୍ବାଚନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହେଉଥିବାରୁ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ କରାଯିବା ଉଚିତ ବୋଲି ବିରୋଧୀ ‘ବିଜେପି’ ଦାବି କରିଛି। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ସହ ରାଜ୍ୟରେ ପୁଣି ଥରେ ନିର୍ବାଚନ କରାଇବା ପାଇଁ ସେମାନେ ଦାବି କରିଛନ୍ତି। ବିଧାୟକ ପଦରୁ ଅଯୋଗ୍ୟ ହେଲେ ସୋରେନ୍‌ ଆଉ ମୁଖ୍ୟମନ୍ତ୍ରୀ ଭାବେ ରହିପାରିବେ ନାହିଁ।

Share Now:

Kalinga News Beuro

Next Post

ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା: ମାନସିକ ଚାପରେ ଥିଲେ ମୃତା

Mon Sep 5 , 2022
ଭୁବନେଶ୍ୱର: ଭୁବନେଶ୍ୱର ଯେଉଁ ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଥିଲେ ତାଙ୍କର ପରିଚୟ ମିଳିଛି। ସେ ହେଲେ କୁନି କୁ୍ଅଁର। ତାଙ୍କ ଘର ବଲାଙ୍ଗୀରରେ ବୋଲି ସୂଚନା ମିଳିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ମୃତା କୁନି ନର୍ସିଂର ପ୍ରଥମ ବର୍ଷର ଛାତ୍ରୀ ଯେ କି ଦୁଇଦିନ ଧରି ମାନସିକ ଚାପରେ ଥିଲେ। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଘର ଲୋକକୁ ଫୋନ କରି ଜଣାଇ ଥିଲେ।ତାଙ୍କୁ ଆସିକି ନେଇଯିବାକୁ ବି […]
ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial