ଦେବେନ୍ଦ୍ର କୁମାର ଦାଶଙ୍କ ସ୍ମୃତିସଭା: ‘ଅହଂକାରଶୂନ୍ୟ, ସତ୍ୟନିଷ୍ଠ ଓ ଅନନ୍ୟ ଗବେଷକ ଥିଲେ ଦେବେନ୍ଦ୍ର’

ଦେବେନ୍ଦ୍ର କୁମାର ଦାଶଙ୍କ ସ୍ମୃତିସଭା

ଭୁବନେଶ୍ବର: ବିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ଦେବେନ୍ଦ୍ର କୁମାର ଦାଶଙ୍କ ଦ୍ବାଦଶାହ ଅବସରରେ ଏକ ସ୍ମୃତିସଭା ଗତକାଲି ସନ୍ଧ୍ୟାରେ ସ୍ବର୍ଗତ ଦାଶଙ୍କ ପରିବାର ଓ ଅନୁରାଗୀଙ୍କ ପକ୍ଷରୁ ଓଏଏସ୍‌ ଅଫିସର ସଂଘ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାକୁ ଶୈଳଜ ରବି, ଅଭିରାମ ବିଶ୍ବାଳ ଓ ଦେବେନ୍ଦ୍ର ଦାଶଙ୍କ ସାନ ପୁଅ ସଙ୍କେତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଶୈଳଜ ରବି, ଦାଶ ବେନହୁର, ମହେନ୍ଦ୍ର ଦାଶ, ବିଜୟାନନ୍ଦ ସିଂ, ହିମାଂଶୁ ମହାପାତ୍ର, ମିହିର ରାୟ, ଅଭିରାମ ବିଶ୍ବାଳ, ବିଭୂତି ପଣ୍ଡା, ଗୁରୁଚରଣ ବେହେରା, ଶଙ୍କର ତ୍ରିପା‌ଠୀ, ଏସ୍‌.ଏନ୍‌ ତ୍ରିପା‌ଠୀ, ମନୋଜ ଦାସ, କୃଷ୍ଣଚନ୍ଦ୍ର ପ୍ରଧାନ, କ୍ଷୀରୋଦ ବେହେରା, ବସନ୍ତ ତ୍ରିପାଠୀ ଓ ଅଭୟ ପ୍ରଧାନ ପ୍ରମୁଖ ଶ୍ରୀ ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ଜଣେ ସାରସ୍ବତ ପ୍ରତ୍ନତତ୍ତ୍ୱବିତ ଓ ଋଷି ମଣିଷ ବୋଲି ବିବେଚନା କରିଥିଲେ। ଯିଏକି ନିଜର ସାହିତ୍ୟ ସାଧନା ବଳରେ ଶାସ୍ତ୍ରୀୟକୁ ସମସାମୟିକ ସହ ଗୁନ୍ଥିବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଇଂରାଜୀ ଭାଷା ଓ ସାହିତ୍ୟ ସହ ଯୋଡ଼ିବାର ସେତୁ ଭଳି କାମ କରିଥିଲେ। ସ୍ମୃତିସଭାରେ ଭାଗ ନେଇଥିବା ସ‌ମସ୍ତେ ଶ୍ରୀ ଦାଶଙ୍କ ସାହିତ୍ୟିକ ଅବଦାନ ସାଙ୍ଗକୁ ବିରଳ ମଣିଷ ପଣିଆ ଓ ସହୃଦୟତା ଉପରେ ଆଲୋକପାତ କରିଥିଲେ।
ଶ୍ରୀ ପଟ୍ଟନାୟକ ନିଜ ସଭାପତୀୟ ବକ୍ତବ୍ୟରେ କହିଲେ, ଦେବେନ୍ଦ୍ର କୁମାର ଦାଶଙ୍କ ବ୍ୟକ୍ତିତ୍ବ ଭଳି ଏ ସଭାଟି ମଧ୍ୟ ଅତ୍ୟନ୍ତ ସରଳ କିନ୍ତୁ ଅସାଧାରଣ। ସେ ଜଣେ ଅହଙ୍କାର ଶୂନ୍ୟ ଓ ସତ୍ୟନିଷ୍ଠ ମଣିଷ ଥିଲେ ଯିଏ ତାଙ୍କର ଅତୁଳନୀୟ ପ୍ରତିଭା ଓ ନିରବଛିନ୍ନ ସାଧନା ବଳରେ ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ରାଧାନାଥ ରାୟ ପ୍ରଭୃତିଙ୍କ ଉପରେ ପଥପ୍ରଦର୍ଶକ ଗବେଷଣା ଓ ସମ୍ପାଦନା କାର୍ଯ୍ୟ କରିଥିଲେ। ସର୍ବଭାରତୀୟ ଓଡ଼ିଆ ଅଧ୍ୟାପକ ସଂଘର ସଭାପତି ଭାବରେ ସେ ପ୍ରମାଣିତ କରିଥିଲେ ଯେ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକମାନେ ମଧ୍ୟ ଅନ୍ୟ ଭାଷାର ବିଦ୍ବାନଙ୍କ ଭଳି ମୌଳିକ କାମ କରିପାରନ୍ତି। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ସାହିତ୍ୟକୋଷ’ ସମ୍ପାଦନା କ୍ଷେତ୍ରରେ ଅନ୍ୟତମ ସମ୍ପାଦକ ଭାବରେ ଶ୍ରୀ ଦାଶଙ୍କର ଯଥେଷ୍ଟ ଅବଦାନ ରହିଥିଲା। ତାଙ୍କ ଭଳି ବ୍ୟକ୍ତିମାନଙ୍କ ତିରୋଧାନ ପରେ ଅନୁଷ୍ଠିତ ହେଉଥିବା ସଭା ପ୍ରକୃତରେ ଶୋକ ସଭା ନୁହେଁ, ବରଂ ଏକ ଉତ୍ସବ, ଏକ ସ୍ମୃତିସଭା। ଶ୍ରୀ ଦାଶଙ୍କ ତିରୋଧାନକୁ ଖାଲି ଅପୂରଣୀୟ କ୍ଷତି କହି ଶୋକ ପ୍ରକାଶ କଲେ ହେବନାହିଁ। ସେ ‌ଯେଉଁ ଧରଣର ଅନନ୍ୟ ଗବେଷଣା କାର୍ଯ୍ୟ କରିଥିଲେ, ସେଭଳି ଗବେଷଣା କାର୍ଯ୍ୟ ହାତକୁ ନେବା ପାଇଁ ନୂଆ ପିଢ଼ିର ଲେଖକ/ଲେଖିକା ଆଗେଇ ଆସିଲେ ହିଁ ତାହା ହିଁ ହେବ ଶ୍ରୀ ଦାଶଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବଂଶୀଧର ଦାଶ, ଗୌରାଙ୍ଗ ଚରଣ ଦାସ, ଅରବିନ୍ଦ ଦାସ, ‌ଗୌତମବୁଦ୍ଧ ଦାସ, ହୃଷୀକେଶ ମଲ୍ଲିକ, ଫଣୀନ୍ଦ୍ର ଭୂଷଣ ନନ୍ଦ, ବସନ୍ତ ପଣ୍ଡା, ମନୋଜ ମହାନ୍ତି, ପ୍ରଜାପତି ଷଡ଼ଙ୍ଗୀ, ଶଶିଭୂଷଣ ରଥ, ନିବେଦିତା ମହାନ୍ତି, ଅଶ୍ବିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦେବେନ୍ଦ୍ର କୁମାର ଦାଶଙ୍କ କୃତିତ୍ବ ଓ ବ୍ୟକ୍ତିତ୍ବ ସମ୍ବଳିତ ୮୭ ଗୋଟି ‌ଲେଖାକୁ ନେଇ ସଙ୍କଳିତ ସ୍ମରଣିକା ‘ସ୍ମୃତିରେ ଦେବେନ୍ଦ୍ର’ ଉନ୍ମୋଚିତ ହୋଇଥିଲା। ଶେଷରେ ଅସିତ ମହାନ୍ତି ଧନ୍ୟବାଦ ଦେଇଥିଲେ।

Share Now:

Kalinga News Beuro

Next Post

ପୁଣି ଅଲୋଡ଼ା ନବଜାତ : ଜଙ୍ଗଲରୁ ଉଦ୍ଧାର ହେଲା ମୃତ ଶିଶୁପୁତ୍ର

Wed Sep 7 , 2022
କରଞ୍ଜିଆ: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଳା କରଞ୍ଜିଆ ଥାନା ଅଞ୍ଚଳରୁ। କରଞ୍ଜିଆ ଥାନା ଅନ୍ତର୍ଗତ ସାନବଡ଼ପୋଷି ଗ୍ରାମ ଜଙ୍ଗଲରେ ଏକ ସଦ୍ୟଜାତ ଶିଶୁ ପୁତ୍ରକୁ କେହି ଦୁର୍ବୁତ୍ତ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଆଜି ସକାଳୁ କିଛି ମହିଳା ଛତୁ ଗୋଟାଇବାକୁ ଯାଇଥିବା ବେଳେ ଶିଶୁକୁ ଦେଖି ନିକଟ ମାଣିକା ଦୁମା ଗ୍ରାମରେ ଖବର ଦେଇଥିଲେ। ଖବର ପାଇ କିଛି […]
ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁପୁତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial