ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗ

ମାସକ ମଧ୍ୟରେ ୧୧୫ କୋଟି ଦାଖଲ କର

କଟକ: ଓଟିଏମ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାଖଲ ମାମଲାର ଶୁଣାଣି କରି ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ମାସ ମଧ୍ୟରେ ଏହି ୧୧୫ କୋଟି ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡ଼କୋ ପକ୍ଷରୁ ୫ କୋଟି ଏମିତି ମୋଟ ୩୫ କୋଟି ଦାଖଲ ହୋଇଥିଲା। ତେବେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ସେହିପରି କ୍ବାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ପ୍ରସଙ୍ଗକୁ ନେଇ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା। ଅଫିସିଆଲ ଲିକ୍ୟୁଡେଟର କର୍ମଚାରୀଙ୍କ କଥା ଶୁଣୁନଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ। କ୍ବାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ନେଇ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଶୁଣାଣିରେ ଶ୍ରମିକମାନଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହାସହିତ ପୂର୍ବ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମ୍ପାନୀର କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ଉଚ୍ଚ ନ୍ୟାୟାଳୟ କହିଥିଲେ।ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ। ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଛି। କେବଳ ସେତିକି ନୁହେଁ, ଗୋଟିଏ ମିଟରରେ ୯୦ଟି କ୍ବାର୍ଟରରେ ବିଦ୍ୟୁତ ସଂଯୋଗ ହୋଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏନେଇ କୋର୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ କ୍ବାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କ୍ବାର୍ଟରର କର୍ମଚାରୀମାନେ ଏନେଇ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ କହିଥିଲେ କୋର୍ଟ। ତେବେ ରାଜ୍ୟ ସରକାର ଓଟିଏମକୁ ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଥିଲେ। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପ୍ରାୟ ୫୨୧ ଏକର ଜମିରେ ସରକାର ଏକ ନୂତନ ପ୍ଲାଣ୍ଟ ନିର୍ମାଣ କରିପାରନ୍ତି ବୋଲି କୁହାଯାଉଥିଲା। ସୂଚନାଯୋଗ୍ୟ, ଓଟିଏମକୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ଆବେଦନ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୪୬ ମସିହାରେ କମ୍ପାନିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୫୦ ମସିହାରୁ ଏଠାରେ କପଡ଼ା ଉତ୍ପାଦନ ଆରମ୍ଭ ହୋଇଥିଲା। ୧୯୮୦ ମସିହା ପର୍ଯ୍ୟନ୍ତ ଏହା ଘରୋଇ କମ୍ପାନି ଅଧୀନରେ ପରିଚାଳିତ ହୋଇଆସୁଥିଲା ବେଳେ ୧୯୮୧ରେ ରାଜ୍ୟସରକାର ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ। ୧୯୮୬ ମସିହା ପର୍ଯ୍ୟନ୍ତ ଓଟିଏମ୍ ଲାଭ ଦେଖାଇ ପାରୁଥିଲା। କିନ୍ତୁ, ଏହାପରଠୁ ଧୀରେଧୀରେ କ୍ଷତି ଆରମ୍ଭ ହୋଇଥିଲା। ଶେଷରେ ୨୦୦୧ ମସିହା ଜୁଲାଇ ୩୧ ତାରିଖରେ ଓଟିଏମ୍ ଗେଟରେ ତାଲା ପଡ଼ିଯାଇଥିଲା। ଓଟିଏମ୍ ବନ୍ଦ ହେବାବେଳକୁ ସେଥିରେ ପାଖାପାଖି ୩୭୦୦ ଶ୍ରମିକ କାର୍ଯ୍ୟ କରୁଥିଲେ। ଇତିମଧ୍ୟରେ ଓଟିଏମର ୭ଶହରୁ ଅଧିକ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି।

Share Now:

Kalinga News Beuro

Next Post

ଜମ୍ମୁ ଓ କଶ୍ମୀର ସୁରକ୍ଷା ବାହିନୀ ହାତରେ ହାଇବ୍ରିଡ୍ ଆତଙ୍କବାଦୀ

Thu Sep 15 , 2022
ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ସୁରକ୍ଷା ବାହିନୀକୁ ଗୁରୁବାରଦିନ ଏକ ବଡ଼ ସଫଳତା ମିଳିଛି। ରାଜୌରୀ ଜିଲ୍ଲାରୁ ଏକ ହାଇବ୍ରିଡ୍ ଆତଙ୍କବାଦୀକୁ ଗିରଫ କରାଯାଇଛି। ସେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଥିଲା। ତା ନିକଟରୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ପ୍ରାୟ ୧ ଲକ୍ଷ ୮୧ ହଜାର ଟଙ୍କା ଜବତ ହୋଇଛି। ଗିରଫ ଆତଙ୍କବାଦୀର ନାଁ ହେଉଛି ଜାଫର ଇକବାଲ। ସେ ଲସ୍କର-ଇ-ତୋଇବା ଆତଙ୍କବାଦୀ […]
ହାଇବ୍ରିଡ୍ ଆତଙ୍କବାଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial