ଆଇଟିଆଇ ଛାତ୍ରଙ୍କୁ ଅପହରଣ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଜଣେ ଆଇଟିଆଇ ଛାତ୍ରଙ୍କୁ ଅପହରଣ ଏବଂ ଅପହର୍ତ୍ତା ମାନେ ତାଙ୍କ ମୁକ୍ତି ବଦଳରେ ୩ ଲକ୍ଷ ଟଙ୍କା ଦାବି କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅପହରଣର ଶିକାର ଛାତ୍ର ଜଣକ ହେଉଛନ୍ତି ଇରିଗେସନ୍‌ କଲୋନୀ ବାସିନ୍ଦା କାହ୍ନଚରଣ ପଟ୍ଟନାୟକଙ୍କ ପୁଅ କିଶୋର କୁମାର ପଟ୍ଟନାୟକ (୧୮)।

ଗତ ୧୯ ତାରିଖରେ କିଶୋର କ୍ରିକେଟ୍‌ ଖେଳିବାକୁ ଯାଇ ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ବି ତାଙ୍କୁ ଠାବ କରାଯାଇପାରି ନଥିଲା। ଗତ ୨୦ ତାରିଖ ସକାଳ ୧୧ଟା ଏବଂ ସନ୍ଧ୍ୟା ୮ଟାରେ ଦୁଇଟି ଭିନ୍ନ ଭିନ୍ନ ମୋବାଇଲ୍‌ ନମ୍ବରରୁ ହଠାତ୍‌ ଅପହର୍ତାଙ୍କ ଧମକଭରା ଫୋନ୍‌କଲ୍‌ ଆସିଥିଲା।

ଯେଉଁଥିରେ ଅପହର୍ତ୍ତା ମାନେ କିଶୋରଙ୍କୁ ମୁକୁଳାଇବାକୁ ଟଙ୍କା ଦାବି କରିଥିଲେ। କିନ୍ତୁ ପାଞ୍ଚ ଦିନ ହେଲା ଆଉ କୌଣସି କଲ୍‌ ଆସି ନଥିବାରୁ କିଶୋରଙ୍କ ପରିବାର ଲୋକେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଘଟଣା ପରଠୁ ଘରେ ଚୁଲି ଜଳୁ ନାହିଁ। ଏନେଇ ବାପା କାହ୍ନଚରଣ ବୁଗୁଡ଼ା ଥାନାରେ ଏତଲା ଦେବା ପରେ ପୁଲିସ ସମସ୍ତ ମୋବାଇଲ୍‌ ନମ୍ବରର ଟ୍ରାକିଂ କରୁଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, କିଶୋର ଗତ ୧୯ ତାରିଖରେ ନିଖୋଜ ହୋଇ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୮ଟାରେ କିଶୋରଙ୍କ ମୋବାଇଲ୍‌ ନମ୍ବରରୁ ବାପା କାହ୍ନଚରଣଙ୍କୁ କଲ୍‌ ଆସିଥିଲା। ଜଣେ ଅଜଣା ଯୁବକ ଏଥିରେ ଧମକ ଦେଇ କହିଥିଲା, ‘ତମ ପୁଅ ଆମ ପାଖରେ ଅଛି, ୩ ଲକ୍ଷ ଟଙ୍କା ଧରି ରମ୍ଭା ବାଇପାସ୍‌କୁ ଆସ। ଟଙ୍କା ଦେଇ ପୁଅକୁ ନେଇ ଯିବ। ଏହା ପରେ ନିଜେ କିଶୋର ବି ଫୋନ୍‌ରେ ବାପାଙ୍କ ସହ କଥା ହୋଇ ତାଙ୍କୁ କିଛି ନିଶାଦ୍ରବ୍ୟ ଶୁଘାଂଇ ଅଣାଯାଇ ଏକ ଘରେ ରଖାଯାଇଥିବା କହିବା ସହ ସେ କେଉଁଠି ଅଛନ୍ତି ଜାଣି ନଥିବା କହିଥିଲେ। ଏହା ପରେ ଫୋନ୍‌ ରଖି ଦେଇଥିଲେ। ଏହି କ୍ଷଣଠୁ କିଶୋରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଥିଲା।

ପୁଣି ୨୦ ତାରିଖ ସକାଳ ୧୧ଟାରେ କାହ୍ନଚରଣଙ୍କ ମୋବାଇଲ୍‌କୁ (୭୭୯୬୮-୦୩୮୮୨) ମୋବାଇଲ ନମ୍ବରରୁ କଲ୍‌ ଆସିଥିବା ବେଳେ ଅଢେଇ ଲକ୍ଷ ଟଙ୍କା ଧରି ପୋଲସରା ଆସିବାକୁ ଅପହର୍ତ୍ତା ମାନେ ଚେତାବନୀ ଦେଇଥିଲେ। ପରେ ସନ୍ଧ୍ୟା ୮ଟାରେ (୮୪୫୭୦-୦୦୫୮୬) ମୋବାଇଲ୍‌ ନମ୍ବରରୁ କଲ୍‌ ଆସିଥିବା ବେଳେ ଜଲ୍‌ଦି ଟଙ୍କା ଆଣିବାକୁ ଚେତାବନୀ ଦେଇ ଫୋନ୍‌ କାଟି ଦେଇ ଥିଲେ। କିନ୍ତୁ ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବାରୁ ଟଙ୍କା କେଉଁଠୁ ଆଣିବି ବୋଲି ବାପା କାହ୍ନଚରଣ କାକୁତିମିନତି ହୋଇ କହିଥିଲେ। ତେବେ ଟଙ୍କା ଦେବାକୁ ମନା କରୁଥିବାରୁ ପୁଅକୁ କାଟିକି ଫୋପାଡ଼ି ଦିଅ ବୋଲି ସେପଟୁ ଉତ୍ତର ମିଳିଥିଲା। ଏହା ପରଠୁ ଆଉ କୌଣସି ଫୋନ୍‌ କଲ୍‌ ଆସି ନଥିବା କାହ୍ନଚରଣ କହିଛନ୍ତି।

ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଅ କେମିତି ସୁରକ୍ଷିତ ଭାବେ ଘରକୁ ଫେରିବ ଏହାକୁ ନେଇ କିଶୋରଙ୍କ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ସେପଟେ ପୁଲିସ ବର୍ତମାନ ସୁଦ୍ଧା ଅପହର୍ତ୍ତାଙ୍କୁ ଠାବ କରିପାରିନି। ଧମକଭରା କଲ୍‌ ଆସିଥିବା ଦୁଇଟି ମୋବାଇଲ୍‌ ଫୋନ୍‌ ବର୍ତମାନ ସୁଇଚ୍‌ଅଫ୍‌ ଅଛି।

Share Now:

Kalinga News Beuro

Leave a Reply

Next Post

ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

Mon Jun 25 , 2018
ବଲାଙ୍ଗିର: ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଏବଂ ନବନିର୍ମାଣ କୃଷକ ସଙ୍ଗଠନ। ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚାଷୀଙ୍କୁ ଅତିଶୀଘ୍ର ୨୦୧୬-୧୭ ଏବଂ୨୦୧୭-୧୮ ବର୍ଷର କୃଷି ବୀମା ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ତିନି ହଜାର ଟଙ୍କା କରିବା, ଜିଲ୍ଲାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial