ଆଜି ଜାତୀୟ ଶିଶୁ ଯତ୍ନ ଦିବସ : ଫୁଟ୍‌ପାଥରେ ବନ୍ଧାପଡ଼ିଛି ଶୈଶବ

ଫୁଟ୍‌ପାଥରେ ବନ୍ଧାପଡ଼ିଛି ଶୈଶବ-1

ଶିଶୁ ଯତ୍ନ ଅନୁଷ୍ଠାନକୁ ନେଲେ ପିତାମାତା କରୁଛନ୍ତି ଆକ୍ରମଣ

ପୁରୀ : ବଞ୍ଜାରା ଶିଶୁମାନଙ୍କ ଭବିଷ୍ୟତ ଫୁଟପାଥରେ ବନ୍ଧା ପଡ଼ିଛି। କେବଳ ବଞ୍ଜାରା ନୁହଁନ୍ତି, ବାପା ମା’ ଉଭୟ ଶ୍ରମିକ ଭାବେ କାମ କରୁଥିବା ପରିବାରରେ ମଧ୍ୟ ପିଲାମାନେ ବାପାମା’ଙ୍କ ସହ ଯଥେଷ୍ଟ ସମୟ ବିତାଇ ପାରୁନାହାନ୍ତି। କେତେବେଳେ ସେମାନେ ଛକରେ ଭିକ୍ଷାଥାଳ ଧରିଥିବା ଦେଖିବାକୁ ମିଳୁଛି ତ କେବେ ବେଲୁନ ଧରି ଲୋକଙ୍କ ପଛରେ ଗୋଡ଼ାଉଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଜାତୀୟ ଶିଶୁ ଯତ୍ନ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଅନ୍ତତଃ ବଞ୍ଜାରା ଶିଶୁ ଓ ଅନ୍ୟ ଅବହେଳିତ ଶିଶୁମାନଙ୍କୁ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରଶାସନ ପକ୍ଷରୁ ବିକଳ୍ପ ଖସଡ଼ା ପ୍ରସ୍ତୁତ କରାଯିବା ଉଚିତ୍‌ ବୋଲି ସ୍ବେଚ୍ଛାସେବୀମାନେ କହିଛନ୍ତି। ଶ୍ରୀକ୍ଷେତ୍ରରେ ଦିନକୁ ଦିନ ବଞ୍ଜାରାଙ୍କ ସଂଖ୍ୟା ବୃଦ୍ଧିପାଉଛି। ହେଲିପ୍ୟାଡ୍ ଓ ଲୋକନାଥ ରୋଡ୍‌ରୁ ଆରମ୍ଭ କରି ମଙ୍ଗଳାଘାଟ ନିକଟରେ ମଧ୍ୟ ବଞ୍ଜାରାମାନେ ଅସ୍ଥାୟୀ ତମ୍ବୁ ତଳେ ରହୁଛନ୍ତି। କୁନିକୁନି ଶିଶୁମାନଙ୍କୁ ପିତାମାତାମାନେ ହିଁ ଭିକ୍ଷା ବୃତ୍ତି କରିବାକୁ ଠେଲି ଦେଉଛନ୍ତି। କଥା କହି ଶିଖିନଥିବା ପିଲାଙ୍କ ହାତରେ ବଂଶୀ ଓ ବେଲୁନ ଧରାଇ ଦେଇ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ଦୃଷ୍ଟିରୁ ଯଦି କୌଣସି ସ୍ଥାନରେ ଚଢ଼ଉ କରି ପିଲାମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନକୁ ଆଣିବାକୁ ଉଦ୍ୟମ ହେଉଛି ସେଠାରେ ସେମାନଙ୍କ ପିତାମାତାମାନେ ଗଣ୍ଡଗୋଳ କରୁଛନ୍ତି। ହିଂସ୍ର ହୋଇ ଆକ୍ରମଣ କରିବାକୁ ପଛାଉନାହାନ୍ତି। ଯଦି କିଛି ପିଲାଙ୍କୁ ବାଟରୁ ଉଦ୍ଧାର କରି ଶିଶୁ ଯତ୍ନ ଅନୁଷ୍ଠାନକୁ ନିଆଯାଉଛି ସେଠାରେ ସେମାନଙ୍କ ପିତାମାତା ପହଞ୍ଚି ସେମାନଙ୍କୁ ନେଇ ଯାଉଛନ୍ତି। ଫଳରେ ଅବୋଧ ଶିଶୁମାନେ କେବଳ ପିତାମାତାଙ୍କ କଥାରେ ପରିଚାଳିତ ହେଉନାହାନ୍ତି। ବରଂ ଅଜାଣତରେ ନିଜ ଭବିଷ୍ୟତକୁ ରାସ୍ତାରେ ନିଲାମ କରି ଦେଉଛନ୍ତି।

ଏନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ରମାଶଙ୍କର ପାତ୍ର କହିଛନ୍ତି, ବଞ୍ଜାରାଙ୍କ ପିଲାମାନଙ୍କ କ୍ଷେତ୍ରରେ ସେପରି କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ତେବେ ସେମାନଙ୍କୁ ଅବହେଳିତ କିମ୍ବା ଭିକ୍ଷାବୃତ୍ତି କରୁଥିବା ନଜରକୁ ଆସିଲେ ଚାଇଲ୍‌ଡ କେୟାର ଟିମ୍‌ ପକ୍ଷରୁ ସେମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନକୁ ଅଣାଯାଉଛି। ‌କିନ୍ତୁ ଶିଶୁମାନଙ୍କୁ ବେଶିଦିନ ରହିବା ପାଇଁ ଦିଆଯାଉନାହିଁ। ସେମାନଙ୍କ ପିତାମାତା ଆସି ଶିଶୁମାନଙ୍କୁ ନେଇଯାଉଛନ୍ତି। ତେବେ ସେମାନଙ୍କୁ କିଭଳି ସେମାନଙ୍କ ରାଜ୍ୟକୁ ପଠାଯାଇ ପାରିବ ଏବଂ ସେଠାକାର ଶିଶୁ ମଙ୍ଗଳ କମିଟି ସହ ଯୋଗାଯୋଗ ଭିତ୍ତିରେ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ ହୋଇପାରି‌ବ ସେନେଇ କିଛିଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ଶିଶୁଶ୍ରମିକ ମୁକ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ଟାସ୍କ ଫୋର୍ସ ଗଠନ ସହ ଯାଞ୍ଚ କରାଯାଉଛି। ଅଥଚ ବଞ୍ଜାରା ଶିଶୁମାନଙ୍କୁ ନା ପ୍ରଶାସନ ନିଜ ଆୟତ୍ତକୁ ଆଣିପାରୁଛି ନା ସେମାନଙ୍କ ସୁରକ୍ଷିତ ଭବିଷ୍ୟତ ଲାଗି କିଛି ବିକଳ୍ପ ପନ୍ଥା ସୃଷ୍ଟି ହୋଇପାରୁଛି।

Share Now:

Kalinga News Beuro

Next Post

ରାଜ୍ୟରେ ଉଦ୍‌ବେଗଜନକ ଆତ୍ମହତ୍ୟା ସ୍ଥିତି : ମୁଣ୍ଡ ନେଉଛି ପରକୀୟା ପ୍ରୀତି

Tue Sep 20 , 2022
ଭୁବନେଶ୍ବର: କାଳ ସାଜୁଛି ପରକୀୟା ପ୍ରୀତି। ଆଉ ଜୀବନ ହରାଉଛନ୍ତି ଜଣକ ପରେ ଜଣେ। ରାଜଧାନୀ ଭୁବନେଶ୍ବରରେ ଏବେ ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳୁଛି। କେତେବେଳେ କିଏ ପ୍ରେମ ପ୍ରତାରଣା ଅସହ୍ୟ ହେବାରୁ ଜୀବନ ହାରୁଛି ତ ’ ଆଉ କିଏ ପ୍ରେମରେ ବିଫଳ ହୋଇ କରୁଛି ଆତ୍ମହତ୍ୟା। ଚଳିତ ବର୍ଷ ୮ମାସ ମଧ୍ୟରେ ରାଜଧାନୀରେ ବିଫଳ ପ୍ରେମ, ପରକୀୟା ପ୍ରୀତି, ପ୍ରତାରଣା ଭଳି ମାଳମାଳ ଘଟଣା ସାମ୍ନାକୁ […]
ମୁଣ୍ଡ ନେଉଛି ପରକୀୟା ପ୍ରୀତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial