‘ଏଲ୍‌ଇଡି’ ଟେଲିଭିଜନ୍‌ ଫାଟି ୧୬ ବର୍ଷିୟ ବାଳକ ମୃତ

ଟେଲିଭିଜନ୍‌ ଫାଟି ୧୬ ବର୍ଷିୟ ବାଳକ ମୃତ

ଗାଜିଆବାଦ: ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ଜଣକ ଘରେ ଗୋଟାଏ ‘ଏଲ୍‌ଇଡି’ ଟେଲିଭିଜନରେ ବିସ୍ଫୋରଣ ଘଟିବାରୁ ଜଣେ ୧୬ ବର୍ଷିୟ ବାଳକର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଉକ୍ତ ବିସ୍ଫୋରଣ ଘଟଣାରେ ତା’ର ମାଆ, ଭାଉଜ ଓ ଜଣେ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ବିସ୍ଫୋରଣ ଏଡ଼େ ପ୍ରଚଣ୍ଡ ଥିଲା ଯେ, କଂ‌କ୍ରିଟ୍‌ ସ୍ଲାବ୍‌ ଓ ଘର କାନ୍ଥରୁ ଗୋଟାଏ ଅଂଶ ମଧ୍ୟ ଭାଙ୍ଗିପଡ଼ିଛି। ଏହି ଘଟଣାରେ ପଡ଼ୋଶୀମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ ବୋଲି ପୁଲିସ କହିଛି। ପୁଲିସ କହିଛି, ମୃତ ବାଳକ ଓମେନ୍ଦ୍ରଙ୍କ ମୁହଁ, ଛାତି ଓ ବେକରେ ଫାଟିଯାଇଥିବା ଟେଲିଭିଜନ୍‌ର ଅନେକ ଧାତବ ଟୁକୁରା ପଶିଯାଇଛି। ମୃତ ବାଳକଙ୍କ ପଡ଼ୋଶୀ ବିନୀତା କହିଛନ୍ତି, ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ମୋର ମନେହେଲା, ବୋଧହୁଏ ଗ୍ୟାସ୍‌ ସିଲିଣ୍ଡର୍‌ ଫାଟିଛି। ଆମେ ସମସ୍ତେ ଧାଇଁ ଆସି ଦେଖିଲୁ ତାଙ୍କ ଘରୁ ଧୂଆଁ ବାହାରୁଛି। ଟେଲିଭିଜନ୍‌ ଫାଟିବା ସମୟରେ ଓମେନ୍ଦ୍ର, ତା’ର ମାଆ, ଭାଉଜ ଓ ତା’ ସାଙ୍ଗ କରଣ ସେ କୋଠରିରେ ଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଓମେନ୍ଦ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଲା। ସାମାନ୍ୟ ଆହତ ହୋଇଥିବା ଓମେନ୍ଦ୍ରର ମା’ ଓ ସାଙ୍ଗ କରଣ ଚିକିତ୍ସାଧୀନ ଅଛନ୍ତି। ମୃତ ବାଳକର ଅନ୍ୟତମ ପରିବାର ସଦସ୍ୟ ମୋନିକା କହିଛନ୍ତି, ବିସ୍ଫୋରଣ ଘଟିବା ବେଳେ ମୁଁ ଆର ଘରେ ଥିଲି। ବିସ୍ଫୋରଣ ‌ଏଡ଼େ ପ୍ରଚଣ୍ଡ ଥିଲା ଯେ, ସମଗ୍ର ଘର ଥରି ଉଠିଲା ଓ କାନ୍ଥରୁ କିଛି ଅଂଶ ଭାଙ୍ଗିପଡ଼ିଲା। ସାମ୍ବାଦିକମାନଙ୍କୁ ଗାଜିଆବାଦ ପୁଲିସ ଅଧିକାରୀ ଜ୍ଞାନେନ୍ଦ୍ର ସିଂହ କହିଛନ୍ତି, ଦୁଇଜଣ ମହିଳା ଓ ଦୁଇଜଣ ବାଳକଙ୍କୁ ମିଶାଇ ୪ଜଣ ଆହତ ହୋଇଥିଲେ। ଦୁର୍ଯୋଗକୁ ଜଣେ ବାଳକ ମରିଗଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କାନ୍ଥରେ ଲାଗିଥିବା ‘ଏଲ୍‌ଇଡି’ ଟେଲିଭିଜନ୍‌ଟି ଫାଟିଯାଇଛି। ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

Share Now:

Kalinga News Beuro

Next Post

ଓଲା ଇଲେକ୍ଟ୍ରି ସ୍କୁଟର କିଣିବାକୁ ଯାଇ ଠକାମିର ଶିକାର ହେଲେ ଯୁବକ

Wed Oct 5 , 2022
ଭୁବନେଶ୍ୱର: ଆପଣ ଓଲା ଦ୍ୱାରା ଲଞ୍ଚ ହୋଇଥିବା ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି କି ? ଯଦି ହଁ ତେବେ ସ୍କୁଟର କିଣିବା ବେଳେ ସଚେତନ ରୁହନ୍ତୁ। ନଚେତ ଆପଣଙ୍କୁ ଚୁନା ଲଗାଇପାରନ୍ତି ସାଇବର ଠକ। ଆଜି ଭୁବନେଶ୍ୱରରେ ଏମିତି ଏକ ଘଟଣା ଜଣେ ଯୁବକଙ୍କ ସହ ଘଟିଛି। ଆଉ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠକାମିର ଶିକାର ହୋଇଥିବା ଯୁବକ। ମିଳିଥିବା ସୂଚନା ମୁତାବକ […]
ଓଲା ଇଲେକ୍ଟ୍ରି ସ୍କୁଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial