ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲା ପରେ ପୁଣି ଜେଲ୍‌କୁ ଫେରିଗଲେ ଅର୍ଚ୍ଚନା ନାଗ

ଜେଲ୍‌କୁ ଫେରିଲେ ମାୟାବିନୀ ଅର୍ଚ୍ଚନା ନାଗ

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ପୁଣି ଥରେ ଝାରପଡ଼ା ଜେଲ୍‌ ଫେରିଯିବାକୁ ପଡ଼ିଛି। ଆଜି ଅପରାହ୍ନରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୁଣି ଥରେ ପୁଲିସର କଡ଼ା ସୁରକ୍ଷା ଭିତରେ ଝାରପଡ଼ା ଜେଲକୁ ନିଆଯାଇଛି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାକୁ ଏସ୍‌ଡିଜେଏମ୍‌ କୋର୍ଟରେ ‌ହାଜର କରାଯାଇଥିଲା। ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ୍‌ ଆବେଦନର ଶୁଣାଣି ଶେଷ ହୋଇଛି। ରାୟ ସଂରକ୍ଷିତ ରଖାଯାଇଛି। ତେବେ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜିର କରାଯିବା ପରେ ଜାମିନ ନେଇ ଓକିଲ ଦେବାଶିଷ ମହାପାତ୍ର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆଇନଜୀବୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଅର୍ଚ୍ଚନା ନାଗଙ୍କ ପାଇଁ ଆମେ ଜାମିନ୍‌ ଆବେଦନ କରିଛୁ। ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ଗତ ୭ ତାରିଖରେ ଗିରଫ ହେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିପାରିଥିଲେ। ସେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ, ‘ବିନା କୌଣସି ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ।’ ପ୍ରବଳ ଭିଡ ଭିତରେ ସେ ଗଣମାଧ୍ୟମକୁ ଏହି ପଦକ କଥା କହୁଥିବା ଶୁଣିବାକୁ ମିଳିଥିଲା। ଜ‌ନୈକ ଯୁବତୀଙ୍କ ସହ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିବା ଧମକ ଦେଇ ଅର୍ଚ୍ଚନା ନାଗ ତିନି କୋଟି ଟଙ୍କା ଦାବି କରିଥିବା ଅଭିଯୋଗ ରହିଛି। ନୂଆପଲ୍ଳୀ ଥାନାରେ ଏ ନେଇ ମା‌ମଲା ରୁଜୁ ହୋଇଛି।
ଗତ ସେପ୍ଟେମ୍ବର ୨୯ ତାରିଖ ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ କିଛି ଅଶ୍ଳୀଳ ଫଟୋ ଓ ତାଙ୍କ ବିରୋଧରେ ଏକ ଏତଲା କପି ଘୂରି ବୁଲିଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶ୍ରୀ ପରିଜା ରାତାରାତି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହେଲେ। ଅଭିଯୋଗ ଥିଲା, ଜଣେ ଯୁବତୀ ଓ ଅର୍ଚ୍ଚନା ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲରେ ରଖିଛନ୍ତି। ଉକ୍ତ ଫଟୋ ଡିଲିଟ୍ ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟେଲ୍‌ରେ ତାଙ୍କୁ ୩ କୋଟି ଟଙ୍କା ମଗା ଯାଇଥିଲା। ମାତ୍ର ମୂଲଚାଲରେ ରାଜି ନ ହେବାରୁ ଯୁବତୀ ଓ ଅର୍ଚ୍ଚନା ସେସବୁ ଭାଇରାଲ୍ କରିଛନ୍ତି ବୋଲି ଶ୍ରୀ ପରିଜା ଅଭିଯୋଗ ଆଣିଥିଲେ। ଏଭଳି ଏକ ସଙ୍ଗିନ୍‌ ଅଭିଯୋଗ ଆଣିବା ପରେ ନୂଆପଲ୍ଲୀ ଥାନା ପୁଲିସ ଦଫା ୩୮୪, ୩୮୫, ୩୮୭, ୫୦୬, ୧୨୦-ବି ଓ ଆଇଟି ଆକ୍ଟ ୬୭ରେ ମାମଲା ରୁଜୁ କରିଥିଲା। ନିଜେ ଥାନା ଅଧିକାରୀ ବିଶ୍ବରଂଜନ ସାହୁ ଏହାର ତଦନ୍ତ ଆରମ୍ଭ କରିଥିଲେ।

Share Now:

Kalinga News Beuro

Next Post

ମାଟିରେ ମିଶିବ ହସ୍ପିଟାଲ : ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ସାଲାଇନ କହି ‌ଜୁସ ଦେଲେ

Wed Oct 26 , 2022
ପ୍ରୟାଗରାଜ: ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ସାଲାଇନ କହି ମୌସମ୍ବି ‌ଜୁସ ଦେଇଥିବା ହସ୍ପିଟାଲ ମାଟିରେ ମିଶିବ।| ଉତ୍ତରପ୍ରଦେଶରର ପ୍ରୟାଗରାଜରେ ଥିବା ଏହି ଡାକ୍ତରଖାନାକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରୟାଗରାଜ ପ୍ରାଧିକରଣ (ପିଡିଏ) ଏହି ଡାକ୍ତରଖାନାରେ ବୁଲଡୋଜର ଚଳାଇବାକୁ ପ୍ରସ୍ତୁତ ହେଉଛି। ଅନୁସନ୍ଧାନରୁ ପିଡିଏ ଜାଣିବାକୁ ପାଇଛି ଯେ ଡାକ୍ତରଖାନା ଭବନର ନକ୍ସା ପାସ୍ ହୋଇନାହିଁ। ଏହା ପରେ ୧୯ ଅକ୍ଟୋବରରେ ଗ୍ଲୋବାଲ ହସ୍ପିଟାଲର ମାଲିକଙ୍କୁ ପିଡିଏ ପକ୍ଷରୁ […]
ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଜୁସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial