ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ବିପଦ : ଟ୍ରେଞ୍ଚ ପାଲଟିଛି ଡ୍ରେନ୍‌

ଟ୍ରେଞ୍ଚ ପାଲଟିଛି ଡ୍ରେନ୍‌

ଖଣ୍ଡଗିରି : ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ହାତୀ ଯେପରି ଜନବସତି ମଧ୍ୟକୁ ଆସିବେ ନାହିଁ ସେଥିପାଇଁ ପାଚେରିକୁ ଲାଗି ଖୋଳା ଯାଇଥିବା ଟ୍ରେଞ୍ଚ୍ ଏବେ ପୋତି ହୋଇଗଲାଣି। କେଉଁଠି ଅଳ୍ପ ପୋତି ହୋଇଛି ତ ଆଉ କେଉଁଠି ବହୁତ। କେତେକ ସ୍ଥାନରେ ତ ଟ୍ରେଞ୍ଚ୍‌ ବୋଲି କିଛି ନାହିଁ। ସେଥିରେ କେବଳ ଆବର୍ଜନା ପାଣି ଲହଡ଼ି ଭାଙ୍ଗୁଛି। ଟ୍ରେଞ୍ଚ୍‌ କେଉଁଠି ତାହା ବି ଜଣାପଡ଼ୁ ନାହିଁ। ସ୍ଥାନେ ସ୍ଥାନେ ଟ୍ରେଞ୍ଚ୍‌କୁ ଡ୍ରେନ୍‌ ଭାବି ସହରବାସୀ ଅଳିଆ ଆବର୍ଜନା ସେଥିରେ ପକାଉଛନ୍ତି। ଯାହାକି ଏବେ ବନ୍ୟପ୍ରାଣୀଙ୍କ ଲାଗି ବିପଦ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଟ୍ରେଞ୍ଚ୍‌ ପୋତି ହୋଇଯାଉଥିବାରୁ କେତେବେଳେ ବି ଚନ୍ଦକା ହାତୀ ପାଚେରି ଡେଇଁ ସହର ମଧ୍ୟକୁ ପ୍ରବେଶ କରିବେ ତାହା କହି ହେବ ନାହିଁ। ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ ଲାଗି ବିପଦ ସୃଷ୍ଟି ହୋଇଥିଲେ ମଧ୍ୟ ସମସ୍ତେ ଆଖି ବୁଜି ଦେଇଛନ୍ତି। ବନ ବିଭାଗ କି ବିଏମ୍‌ସି କେହି ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି।
ନିୟମକୁ ବେଖାତିର, ଚିନ୍ତାପ୍ରକଟ କଲେ ପରିବେଶବିତ୍‌
୧୯୩.୩୯ ବର୍ଗ କିମି ପରିଧିକୁ ନେଇ ଗଠିତ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟର ଚୂଡ଼ଙ୍ଗ, ଦାସପୁର, ଚନ୍ଦକା, ଭରତପୁର, ରେଣ୍ଟାଲ କଲୋନିସ୍ଥିତ ବେହେରା ବସ୍ତିକୁ ଲାଗି ପଥର ପାଚେରି ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଧୀରେ ଧୀରେ ପୋତି ହେବା‌ରେ ଲାଗିଛି। ରାସ୍ତାର ଉଚ୍ଚତା ବୃଦ୍ଧି ଓ ଟ୍ରେଞ୍ଚ୍‌ ପୋତି ହେବା ଯୋଗୁଁ ପା‌ଚେରି ଉଚ୍ଚତା ହ୍ରାସ ପାଇଛି। ଫଳରେ ଅବାଧରେ ବନ୍ୟଜନ୍ତୁ ଶିକାର ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଯେଉଁଥିପାଇଁ ପାଚେରି ଉଚ୍ଚତା ଏବେ ବୃଦ୍ଧି କରାଯାଉଛି। ସେହିପରି ଏହି ଜଙ୍ଗଲରେ ଥିବା ହାତୀ ପଲ ଯେପରି ପାଚେରି ଡେଇଁ ଜନବସତି ଭିତରକୁ ପଶି ନ ଆସନ୍ତି ଏବଂ ଧନଜୀବନ କ୍ଷତି ନ କରନ୍ତି, ସେଥିପାଇଁ ୧୦ ଫୁଟ୍‌ରୁ ଅଧିକ ଗଭୀର ଟ୍ରେଞ୍ଚ୍ ମଧ୍ୟ ଖୋଳାଯାଇଛି। ଯାହାଦ୍ବାରା ହାତୀ ପାଚେରି ଡେଇଁଲେ ବି ଟ୍ରେଞ୍ଚ୍ ଅତିକ୍ରମ କରି ଆସିବା ସମ୍ଭବ ହେବ ନାହିଁ। ମାତ୍ର ଏହି ଟ୍ରେଞ୍ଚ୍ ଏବେ ବିଏମ୍‌ସି ପାଇଁ ଅଘୋଷିତ ଡ୍ରେନ୍‌ରେ ପରିଣତ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ଅଳିଆ ଆବର୍ଜନା କୁଣ୍ଡ ଭାବେ ବ୍ୟବହାର କରୁଛନ୍ତି। କେବଳ ଲୋକ ନୁ‌ହଁନ୍ତି, ବିଏମ୍‌ସି ମଧ୍ୟ ସହର ଭିତରେ ତିଆରି କରିଥିବା ଡ୍ରେନ୍‌କୁ ଆଣି ଏହି ଟ୍ରେଞ୍ଚ୍‌ ସହ ମିଶାଇ ଦେଇଛି। ଫଳରେ ଆବର୍ଜନା ପାଣି ହାତୀଙ୍କ ପାଇଁ ନିର୍ମିତ ହୋଇଥିବା ପଥର ପାଚେରିକୁ ଦୁର୍ବଳ କରୁଛି। ଟ୍ରେଞ୍ଚରେ ଜମା ହୋଇଥିବା ନାଳ ପାଣି କୌଣସି ସ୍ଥାନକୁ ଯାଇପାରୁ ନଥିବାରୁ ପାଣି ପାଚେରି ବାଟେ ଜଙ୍ଗଲ ଭିତରକୁ ପ୍ରବେଶ କରୁଛି। ଯେଉଁଥିପାଇଁ ସେପ୍‌ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହୁଛି ବୋଲି ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପରିବେଶବିତ ଦିଲ୍ଲୀପ ସାମନ୍ତରାୟଙ୍କ କହିବାନୁଯାୟୀ ୧୯୭୨ ବନ୍ୟପ୍ରାଣୀ ସଂରକ୍ଷଣ ଅଧିନିୟମ, ୧୯୮୬ ମସିହା ପରିବେଶ ସୁରକ୍ଷା ଆଇନ, ୧୯୮୦ ମସିହା ବାୟୁ ପ୍ରଦୂଷଶ ନିୟନ୍ତ୍ରଣ ଅଧିନିୟମ, ୧୯୭୪ ମସିହା ଭୂଜଳ ସଂରକ୍ଷଣ ଅଧିନିୟମକୁ ବିଏମସି ଉଲ୍ଲଂଘନ କରିଛି। ଡ୍ରେନ୍‌ କିମ୍ବା ନାଳ ନିର୍ମାଣ ଲାଗି ଜଙ୍ଗଲ ବିଭାଗରୁ ଫରେଷ୍ଟ କ୍ଲିୟରାନ୍‌ସ ଆଣିବାକୁ ପଡ଼ିବ। ଜମି କିସମ ଅଦଳବଦଳ ହେଲେ ଯାଇ ଗୃହ, ରାସ୍ତା, ଡ୍ରେନ୍‌ ଆଦି ନିର୍ମାଣ ହୋଇପାରିବ। ମାତ୍ର ବନ ବିଭାଗର ବିନା ଅନୁମୋଦନରେ ବିଏମ୍‌ସି ଡ୍ରେନ୍‌ ତିଆରି କରିଛି, ଯାହା ବେଆଇନ ଓ ଦଣ୍ଡନୀୟ। ବନ ବିଭାଗ ଅବହେଳା ଯୋଗୁଁ ହାତୀଙ୍କ ପାଇଁ ତିଆରି ଟ୍ରେଞ୍ଚ୍ ଓ ପାଚେରିକୁ ଲାଗି ଜନବସତି ବଢ଼ିବାରେ ଲାଗିଛି। ବେଆଇନ ଘର ଗଢ଼ୁଥିବା ଲୋକେ ଗାଈ ମଇଁଷି ଭଳି ପଶୁଙ୍କୁ ପାଳନ କରୁଛନ୍ତି। ଗାଈ ଗୋବର, ମୂତ୍ର ସ୍ଥାନୀୟ ଅଞ୍ଚଳର ଯାବତୀୟ ଅଳିଆ ବିଏମ୍‌ସିର ନାଳ ଦେଇ ଏହି ଟ୍ରେଞ୍ଚ୍‌ରେ ପଶୁଛି। ବର୍ଷାରେ ନାଳ ଭର୍ତ୍ତି ହେଲେ ପାଣି ଜଙ୍ଗଲ ଭିତରକୁ ସହଜରେ ଯାଉଛି, ଯାହାକି ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଲୋକଙ୍କ କହିବା କଥା ହେଉଛି ଯେ ୨୦୧୪ ଆଗରୁ ବିଏମ୍‌ସି ଡ୍ରେନ୍‌ ଖୋଳି ଟ୍ରେଞ୍ଚ୍‌ରେ ପକାଇଛି। ଯେଉଁଥିପାଇଁ ଆମଙ୍କୁ ମଧ୍ୟ କଷ୍ଟ ଭୋଗିବାକୁ ପଡ଼ୁଛି। ବର୍ଷା ଦିନେ ମଇଳା ପାଣି ଘରେ ପଶୁଛି। ଦୁଇ ହଜାରରୁ ଅଧିକ ଲୋକଙ୍କୁ ଏଥିପାଇଁ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। କେବଳ ବର୍ଷା ଦିନ ନୁହେଁ, ଅନ୍ୟାନ୍ୟ ସମୟରେ ମଧ୍ୟ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି। ଏନେଇ ଚନ୍ଦକା ଡିଏଫଓ ମହମ୍ମଦ ଜମିଲ୍‌ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଜଙ୍ଗଲ ଭିତରକୁ ଆବର୍ଜନା ପାଣି ପଶିବା ଦ୍ବାରା ଜୀବଜନ୍ତୁଙ୍କ ଲାଗି ବିପଦ ସୃଷ୍ଟି ହୋଇପାରେ। ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ। ଡ୍ରେନ୍‌ ପାଣି ଟ୍ରେଞ୍ଚ୍‌ରେ ଛଡ଼ା‌ଯିବା ନେଇ ବିଏମ୍‌ସିକୁ ଚିଠି ଲେଖିବୁ।

Share Now:

Kalinga News Beuro

Next Post

ବାଂଲାଦେଶରେ ଦେବୀ କାଳୀ ଓ ସରସ୍ୱତୀଙ୍କ ମନ୍ଦିରକୁ ଭାଙ୍ଗିଲେ ଉଗ୍ରପନ୍ଥୀ

Wed Oct 26 , 2022
ଢ଼ାକା: ବାଂଲାଦେଶର ଦିନାଜପୁର ଏବଂ ସିରାଜଗୁଞ୍ଜରେ ଉଗ୍ରବାଦୀମାନେ ଦୁଇଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୨୪ ତାରିଖ ମଧ୍ୟରାତ୍ରିରେ ଦିନାଜପୁର ଜିଲ୍ଲାରେ ଦେବୀ କାଳୀଙ୍କ ଏକ ମନ୍ଦିରରେ ଉଗ୍ରବାଦୀମାନଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୨୩ରେ ସିରାଜଗଞ୍ଜର କାଲାଚାନ୍ଦ ମନ୍ଦିର ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। କାଲାଚାନ୍ଦ ମନ୍ଦିରର ସଭାପତି କହିଛନ୍ତି ଯେ ଭଙ୍ଗାରୁଜା ଯୋଗୁଁ ମନ୍ଦିରରେ […]
ଦେବୀ କାଳୀ ଓ ସରସ୍ୱତୀଙ୍କ ମନ୍ଦିରକୁ ଭାଙ୍ଗିଲେ ଉଗ୍ରପନ୍ଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial