ଧାମନଗର ଉପନିର୍ବାଚନ: ଅନୁକମ୍ପା ବନାମ ମିସନ୍ ଶକ୍ତି

ଧାମନଗର ଉପନିର୍ବାଚନ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବାବେଳେ ଷ୍ଟ୍ରଙ୍ଗରୁମ୍‌ରେ ସିଲ୍ ହୋଇ ରହିଛି ଇଭିଏମ୍‌। କେନ୍ଦ୍ରୀୟ ପୁଲିସ ଟିମ୍‌ର କଡ଼ା ସୁରକ୍ଷା ବଳୟ ଭିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ଭିଭିପାର୍ଟ ମେସିନ୍। ତୀବ୍ର ପ୍ରତିଦ୍ବନ୍ଦ୍ବିତା ବିଶେଷ କରି ଅନୁକମ୍ପା ବନାମ ମିସନ୍‌ ଶକ୍ତି ଲଢ଼େଇ ଭିତରେ କାହାର ହେବ ବିଜୟ, ସେ ନେଇ କିଛି ସ୍ପଷ୍ଟ ଜଣାପଡୁନଥିଲେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର୍‌ ହେବ ବୋଲି କୁହାଯାଉଛି। ଉପନିର୍ବାଚନରେ ଦିବଂଗତ ନେତା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ଅନୁକମ୍ପା ଭୋଟ୍‌ ଯାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ମିସନ୍‌ ଶକ୍ତିର ମହିଳା ଭୋଟ୍‌ ଅଧିକ ଯାଇଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ୍‌ହାରକୁ ନେଇ ଚାଲିଛି ଅଙ୍କକଷା। ରାଜେନ୍ଦ୍ରଙ୍କ ଭୋଟ୍‌ ସଂଖ୍ୟା ୧୫ ହଜାର ଉପରେ ହେଲେ ଏହା କାହା ପାଇଁ ଫରକ ପଡୁ ବା ନପଡୁ ବିଜେଡି ପାଇଁ ଫରକ୍‌ ପଡିପାରେ ବୋଲି କୁହାଯାଉଛି। ବିଜେପି ଓ ବିଜେଡିର ହାର୍‌ଜିତ୍‌କୁ ନେଇ କଂଗ୍ରେସ ଭୋଟ୍‌ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ।
କଂଗ୍ରେସ ପ୍ରାର୍ଥୀ ବାବା‌ ହରେକୃଷ୍ଣ ସେଠୀ ଯେତେ କମ୍‌ ଭୋଟ୍‌ ପାଇବେ, ଅର୍ଥାତ୍‌ ୫ ହଜାର ତଳକୁ ଖସିଲେ ତାହା ବିଜେଡି ପ୍ରାର୍ଥୀଙ୍କ ପାଇଁ ସୁହାଇବ ବୋଲି କୁହାଯାଉଛି। କଂଗ୍ରେସର କିଛି ଭୋଟ୍‌ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ବେଳେ କିଛି ଅସନ୍ତୁ‌ଷ୍ଟ ବିଜେଡି ଭୋଟ୍‌ ବିଜେପି ଆଡକୁ ଯାଇଥିବା ଆଲୋଚନା ହେଉଛି। ମତଦାନ ପରଠାରୁ ହାର୍‌ଜିତକୁ ନେଇ ସବୁ ମହଲରେ ସମୀକ୍ଷା ଚାଲିଛି। ନିଜ ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ବିଜେପି, ବିଜେଡିର ତୁଙ୍ଗନେତା ଦମ୍ଭୋକ୍ତି ପ୍ରକାଶ କରୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ୍‌ ମଧ୍ୟ ୨୦ ହଜାର ତଳକୁ ଖସିବ ନାହିଁ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଏସବୁ ପରେ ମଧ୍ୟ ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ କ୍ରସ୍ ଭୋଟିଂ ହୋଇଥିବା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ମୋଟାମୋଟି କଂଗ୍ରେସ ପ୍ରାର୍ଥୀ ବାବା ହରେକୃ‌ଷ୍ଣ ସେଠୀ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ୍‌ ହିଁ ବିଜେପି, ବିଜେଡି ପାଇଁ ନିର୍ଣ୍ଣାୟକ ହେବ।

Share Now:

Kalinga News Beuro

Next Post

ଅଳିଆ ଅଡ଼ୁଆ ନାଟର ମୂଳ ନଗର ଉନ୍ନୟନ ବିଭାଗ

Sun Nov 6 , 2022
ଭୁବନେଶ୍ୱର: ସ୍ୱତନ୍ତ୍ର ପରିମଳ କର୍ପୋରେସନ୍‌ ବୈଠକରେ କର୍ପୋରେଟର୍‌ମାନେ ନୂଆ ପରିମଳ ପ୍ୟାକେଜ୍‌ରେ ହୋଇଥିବା ବ୍ୟାପକ ତ୍ରୁଟିକୁ ଧରି ହୋ-ହଲ୍ଲା କରିବା ପରେ ତନାଘନା ଆରମ୍ଭ ହୋଇଛି। ଟେଣ୍ଡର୍‌ ବାତିଲ ହେବା ନେଇ ସରକାରଙ୍କୁ ବିଏମ୍‌ସି ଚିଠି ଲେଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିବାରୁ ଏହି କେଳେଙ୍କାରୀରେ ସାମିଲ ଥିବା ପ୍ରତ୍ୟେକ ଅଧିକାରୀଙ୍କ ନିଦ ହଜିଛି। କେଳେଙ୍କାରୀରେ ନାଟର ଗୋବର୍ଦ୍ଧନ କିଏ, ସେନେଇ ବିଏମ୍‌ସିଠାରୁ ଆରମ୍ଭ କରି ଗୃହ ଓ ନଗର […]
ନାଟର ମୂଳ ନଗର ଉନ୍ନୟନ ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial