୨୦ରୁ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ

ଗୋଆ : ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ଏଥିରେ କଳା, ଚଳଚ୍ଚିତ୍ର ଏବଂ ସଂସ୍କୃତିର ସମାହାର ଦେଖିବାକୁ ମିଳିବ। ଚଳିତ ବର୍ଷ ଏହି ମହୋତ୍ସବରେ ୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ‘ଇଣ୍ଡିଆନ ପାନୋରାମା’ରେ ୨୫ଟି ଫିଚର ଏବଂ ୨୦ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବ। ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ୧୮୩ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ଅବସରରେ ସତ୍ୟଜିତ ରାୟ ଜୀବନବ୍ୟାପୀ ସାଧନା ପୁରସ୍କାର ସ୍ପେନୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ କାର୍ଲୋସ ସୌରାଙ୍କୁ ଦିଆଯିବ। ଫ୍ରାନ୍ସକୁ ଏଥର ‘ସ୍ପଟ୍‌ଲାଇଟ୍‌’ ରାଷ୍ଟ୍ର ଭାବେ ସାମିଲ କରାଯାଇଛି ଏବଂ କଣ୍ଟ୍ରି ଫୋକସ ପ୍ୟାକେଜରେ ୮ଟି ଫରାସୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ମହୋତ୍ସବର ଉଦ୍‌ଘାଟନୀ ଚଳଚ୍ଚିତ୍ର ଭାବେ ଅଷ୍ଟ୍ରୀୟ ଚଳଚ୍ଚିତ୍ର ଆଲମା ଏଣ୍ଡ ଓସ୍କାର ପ୍ରଦର୍ଶିତ ହେବ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଡିଟର ବର୍ଣ୍ଣର। ଉଦ୍‌ଯାପନୀ ଚଳଚ୍ଚିତ୍ର ଭାବେ କିର୍ଗିଜସ୍ତାନର ଚଳଚ୍ଚିତ୍ର ପର୍ଫେକ୍ଟ ନମ୍ବର ପ୍ରଦର୍ଶିତ ହେବ। ଚଳିତ ବର୍ଷ ଆଇଏଫ୍‌ଏଫ୍‌ଆଇରେ କେତେକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଫିଲ୍ମ ବଜାର ମଧ୍ୟ ପ୍ରଦର୍ଶିତ ହେବ। ମୁକ୍ତ ବେଳାଭୂମିରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଆଶା ପାରେଖଙ୍କ ଅତୀତର ସ୍ମୃତି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ଦାଦାସାହେବ ଫାଲକେ ପୁରସ୍କାର ବିଜେତା ଚଳଚ୍ଚିତ୍ର ତିସରୀ ମଞ୍ଜିଲ, ଦୋ ବଦାଁ ଏବଂ କଟି ପତଙ୍ଗ ପ୍ରଦର୍ଶିତ ହେବ। ‘ଶ୍ରଦ୍ଧାଞ୍ଜଳି’ ବର୍ଗରେ ୧୫ଟି ଭାରତୀୟ ଏବଂ ୫ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଉତ୍ତରପୂର୍ବ ଭାରତର ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି ମଣିପୁରୀ ସିନେମାର ସ୍ବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୫ଟି ଫିଚର ଏବଂ ୫ଟି ଅଣ-ଫିଚର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ନଭେମ୍ବର ୨୬ରେ ଶିଗମୋତ୍ସବ (ବସନ୍ତ ମହୋତ୍ସବ) ଏବଂ ୨୭ରେ ଗୋଆ କାର୍ଣ୍ଣିଭାଲ ହେବ ବିଶେଷ ଆକର୍ଷଣ। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସିବିସି ପକ୍ଷରୁ ପ୍ରଦର୍ଶନୀ ଆୟୋଜନ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ, ମତ୍ସ୍ୟପାଳନ, ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟରଠାରେ ମହୋତ୍ସବ ସମ୍ପର୍କରେ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି। ୫୩ତମ ଆଇଏଫ୍‌ଏଫ୍‌ଆଇକୁ ଭର୍ଚୁଆଲ ମାଧ୍ୟମରେ ଦେଖି ହେବ। ପଞ୍ଜୀକୃତ ବ୍ୟବହାରକାରୀ ମାଷ୍ଟରକ୍ଲାସରେ ଅଂଶଗ୍ରହଣ କରିପାରିବେ। ସେମାନେ ଗୋଆଠାରୁ ଦୂରରେ ରହି ମଧ୍ୟ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ସମାରୋହ, ପାନେଲ ଆଲୋଚନା ଓ ମତବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।
ଆୟୁଷ ମନ୍ତ୍ରଣାଳୟ ସରକାରୀ କଲ୍ୟାଣ ସହଯୋଗୀ ଭାବେ ମହୋତ୍ସବରେ ଅଂଶଗ୍ରହଣ କରିବ ଏବଂ ମହୋତ୍ସବ ସମୟରେ ଯୋଗ ଏବଂ ସାମଗ୍ରିକ ସ୍ବାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯିବ। ଆୟୁଷର ୪ଟି ବିଭାଗ- ହୋମିଓପାଥି, ନେଚରୋପାଥି, ଆୟୁର୍ବେଦ ଏବଂ ଯୋଗକୁ ପ୍ରୋତ୍ସାହିତ କରାଯିବ। ଉଦ୍‌ଘାଟନୀ ଏବଂ ଉଦ୍‌ଯାପନୀ ସମାରୋହରେ ୧୪ରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ଏଥିରେ ଚଳଚ୍ଚିତ୍ର ତାରକାଙ୍କ ସହିତ ଫ୍ରାନ୍ସ, ସ୍ପେନ ଓ ଗୋଆର ବିଭିନ୍ନ ନୃତ୍ୟ ଦଳ ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ସମାରୋହରେ ଆଜାଦୀ କା ଅମୃତ ମହୋତ୍ସବ ବର୍ଗରେ ଭାରତୀୟ ଚଳଚ୍ଚିତ୍ରର ଗତ ୧୦୦ ବର୍ଷର ଯାତ୍ରା ପ୍ରଦର୍ଶିତ ହେବ। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ, ଆଇଏଫ୍‌ଏଫ୍‌ଆଇର ଫିଲ୍ମ ବଜାର ବର୍ଗରେ ଏଥର ପ୍ରଥମ ଥର ପାଇଁ ବିଭିନ୍ନ ଦେଶ, ରାଜ୍ୟ ଓ ଚଳଚ୍ଚିତ୍ର ସଂଗଠନର ପାଭିଲିଅନ ନିର୍ମାଣ କରାଯାଇଛି। ଆଇଏଫ୍‌ଏଫ୍‌ଆଇର ପ୍ରତିନିଧିମାନେ ଏହି ପାଭିଲିଅନରେ ଯେକୌଣସି ସମୟରେ ଅଂଶଗ୍ରହଣ କରିପାରିବେ ଏବଂ ଏହା ସାଧାରଣ ଜନତାଙ୍କ ପାଇଁ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ।

Share Now:

Kalinga News Beuro

Next Post

ଟ୍ରାଫିକ୍‌ ପରିଚାଳନାରେ ଚରମ ବିଶୃଙ୍ଖଳା: ଥାନା ମଞ୍ଚେଶ୍ବର, ଟ୍ରାଫିକ୍ କଟକ

Tue Nov 15 , 2022
ଭୁବନେଶ୍ବର: ସ୍ତ୍ରୀ, ପିଲାଛୁଆ ଓ ବୟସ୍କ ମା’କୁ ନେଇ କୋଳଥିଆର ସୁବ୍ରତ ଦାଶ ଗତକାଲି ଅପରାହ୍ନରେ ଭୁବନେଶ୍ବର ବାଲିଯାତ୍ରା ବୁଲିବାକୁ ଯାଇଥିଲେ। ୨ ଘଣ୍ଟା ଧରି ସେଠାରେ ବୁଲାବୁଲି କରିବା ପରେ ସଂଧ୍ୟା ୬ଟାରେ ଭଡ଼ା ଅଟୋରେ ଘରକୁ ଫେରିଥିଲେ। କିନ୍ତୁ ଘରେ ପହଞ୍ଚିବା ବେଳକୁ ରାତି ସାଢ଼େ ୧୦ଟା ବାଜି ସାରିଥିଲା। ବାଲିଯାତ୍ରା ପଡ଼ିଆରେ ସେମାନେ ଯେତିକି ସମୟ ବୁଲିଲେ, ଟ୍ରାଫିକ୍‌ ଜାମ୍‌ ପାଇଁ ତା’ର ଦୁଇଗୁଣରୁ ଅଧିକ […]
ଟ୍ରାଫିକ୍‌ ପରିଚାଳନାରେ ଚରମ ବିଶୃଙ୍ଖଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial