ନିୟମ ମାନୁନି ମୋ’ ବସ୍‌ : ଅସୁରକ୍ଷିତ ଯାତ୍ରା, ଅଣନିଶ୍ୱାସୀ ଯାତ୍ରୀ

ନିୟମ ମାନୁନି ମୋ’ ବସ୍‌

ଭୁବନେଶ୍ୱର: ସୁଲଭ ମୂଲ୍ୟରେ ଉତ୍ତମ ପରିବହନ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ’ ବସ୍‌ ସେବା ଏବେ ବିଭିନ୍ନ କ୍ଷେତ୍ରରେ ଅପବାଦ ମୁଣ୍ଡାଇଲାଣି। ଚାଳକଙ୍କ ବେପରୁଆ ଚାଳନା ଯୋଗୁଁ ଦୁର୍ଘଟଣା, ବସ୍‌ ଭିତରୁ ଘନଘନ ଚୋରି, କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେବା ଆରମ୍ଭ ହୋଇ ନପାରିବା ଆଦିକୁ ନେଇ ଟ୍ବିଟର୍‌ରେ ମୋ’ ବସ୍‌ ବିରୋଧରେ ଦୈନିକ ମାଳମାଳ ଅଭିଯୋଗ ଆସିବା ଏହାର ପ୍ରମାଣ। ଏବେ ଏଇ ଅଭିଯୋଗର ତାଲିକାରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ତାହା ହେଲା, ଓଭରଲୋଡିଂ। ବସ୍‌ ଭିତରେ ଯେତିକି ସିଟ୍‌, ସେତିକି ଯାତ୍ରୀଙ୍କୁ ନେବା ପାଇଁ ସ୍ପଷ୍ଟ ନିୟମ ଥିଲେ ହେଁ ମୋ’ ବସ୍‌ ଏହାକୁ ମାନୁନଥିବା ଅଭିଯୋଗ ହେଉଛି। ବସ୍‌ରେ ୨୮ରୁ ୩୨ଟି ସିଟ୍‌ ରହିଥିବା ବେଳେ ଏହାର ଦୁଇଗୁଣାରୁ ଅଧିକ ଯାତ୍ରୀଙ୍କୁ ପରିବହନ କରାଯାଉଛି। ପ୍ରାୟ ସମୟରେ ମୋ’ ବସ୍‌ ଭିତରେ ଏମିତି ଅସମ୍ଭାଳ ଭିଡ଼ ହେଉଛି ଯେ ଯାତ୍ରୀମାନେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି। ବସ୍‌ରେ ଚଢ଼ିବା ସମୟରେ ଲୋକେ ଠେଲାପେଲା ହୋଇ ଅତି ଅସୁରକ୍ଷିତ ଭାବେ ଚଢ଼ୁଥିବା ବେଳେ ଖସି ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ଏଭଳି ଘଟଣା ନଜରକୁ ଆସୁଛି। ସେହିପରି ବସ୍‌ ଭିତରେ ହେଉଥିବା ଭିଡ଼କୁ ପାର୍‌ ହୋଇ ଅନେକ ଯାତ୍ରୀ ନିଜ ଷ୍ଟପେଜ୍‌ରେ ଓହ୍ଲାଇ ନପାରିବାର ମଧ୍ୟ ଅନେକ ନଜିର ରହିଛି। ଅପରପକ୍ଷେ ଏହି ଗହଳି ଅସାମାଜିକ ତତ୍ତ୍ୱଙ୍କୁ ସୁହାଉଛି। ଭିଡ଼ର ଫାଇଦା ନେଇ ଚୋର, ଲୁଟେରାମାନେ ଯାତ୍ରୀଙ୍କ ପର୍ସ, ମୋବାଇଲ୍‌, ବ୍ୟାଗ୍‌ ଆଦି ଚୋରି କରି ନେଉଛନ୍ତି। ମାସକ ତଳେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ପୁଲିସ୍‌ କିଛି ଲୁଟେରାଙ୍କୁ ଧରିଥିଲା। ତଥାପି ବି ଏବେ ଚୋରି ଅଭିଯୋଗ ଆସୁଛି। ସେହିପରି ଭିଡ଼ର ସୁଯୋଗ ନେଇ କିଛି ଦୁର୍ବୃତ୍ତ ମହିଳା ଯାତ୍ରୀଙ୍କୁ ଖୁଲମ୍‌ଖୁଲା ଅସଦାଚରଣ କରୁଛନ୍ତି। ପ୍ରତିବାଦ କଲେ ସେମାନେ ଭିଡ଼ର ବାହାନା ଦେଇ ଓଲଟି ମହିଳାଙ୍କୁ ଗାଳିଗୁଲଜ କରୁଛନ୍ତି। ତେଣୁ ଯେଉଁ ମହିଳାମାନଙ୍କ ପାଇଁ ଦିନେ ଏହା ସୁରକ୍ଷିତ ପରିବହନର ଠିକଣା ପାଲଟିଥିଲା, ଏବେ ସେମାନେ ଏଥିରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ତେବେ ମୋ’ ବସ୍‌ ପରିଚାଳନା କରୁଥିବା ସଂସ୍ଥା କ୍ରୁଟ୍‌କୁ ସୋସିଆଲ ମିଡିଆରେ ଏମିତି ଅନେକ ଅଭିଯୋଗ ଆସୁଥିଲେ ହେଁ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ମୋ’ ବସ୍‌ର ଜଣେ କଣ୍ଡକ୍ଟର୍‌ କହିଛନ୍ତି ଯେ ପ୍ରତି ଷ୍ଟପେଜ୍‌ରେ ବସ୍‌ ଅଟକିବାର ନିୟମ ଅଛି। ଏଣୁ ସେଠାରେ ଅପେକ୍ଷା କରି ରହୁଥିବା ଯାତ୍ରୀ କିଛି ନମାନି ବସ୍‌ ଚଢ଼ି ଯାଉଛନ୍ତି। ଏଥିପାଇଁ ଭିଡ଼ ହେଉଛି। ଏହି ସବୁ ରୁଟ୍‌ରେ ଅଧିକ ବସ୍‌ ଚାଲିଲେ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି।
ରସୁଲଗଡ଼ ଛକରେ ଦୁଇ କାର୍‌କୁ ଧକ୍କା
ରସୁଲଗଡ଼ ଛକରେ ଆଜି ମୋ’ ବସ୍‌ ଦୁଇଟି କାର୍‌କୁ ଧକ୍କା ଦେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପ୍ରଶାନ୍ତ କୁମାର ପରିଡ଼ା ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱର କାମ ସାରି କଟକ ଫେରୁଥିଲେ। ସେ ରସୁଲଗଡ଼ ଛକ ଅତିକ୍ରମ କରୁଥିବା ବେଳେ ପେଟ୍ରୋଲ୍‌ ପମ୍ପ ନିକଟରେ ମୋ’ ବସ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଏହା ପରେ ପୁଣି ଆଉ ଏକ ସ୍କର୍ପିଓକୁ ପଛରୁ ଧକ୍କା ଦେଇଥିଲା। ଏହାକୁ ନେଇ ଦୁଇ ଗାଡ଼ି ମାଲିକଙ୍କ ସହ ମୋ’ ବସ୍‌ ଚାଳକ ଓ କଣ୍ଡକ୍ଟର୍‌ଙ୍କ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିଲା। ଖବର ପାଇ ମଞ୍ଚେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକ ଅଶୋକ ବେହେରାକୁ କାବୁ କରିବା ସହ ବସ୍‌କୁ ଜବତ କରି ଥାନାକୁ ଆଣିଥିଲା। ଏନେଇ ପ୍ରଶାନ୍ତ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସିଆର୍‌ପିସି ୪୧ରେ ଚାଳକଙ୍କୁ ନୋଟିସ୍‌ ଦେଇ ଛାଡ଼ିଥିବା ଜଣାଯାଇଛି।

Share Now:

Kalinga News Beuro

Next Post

୧୦୦ଅତିଥିଙ୍କୁ ନିମନ୍ତ୍ରଣ କରି ଶ୍ମଶାନରେ ଜନ୍ମଦିନ ପାଳିଲେ ବୃଦ୍ଧ

Thu Nov 24 , 2022
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ନିଜର ଜନ୍ମଦିନକୁ ବିଭିନ୍ନ ଶୈଳୀରେ ପାଳନ କରୁଛନ୍ତି। କିଏ ସମୁଦ୍ର ମଝିକୁ ଯାଇ କେକ କାଟିଲାଣି ତ ଆଉ କିଏ ପାହାଡ ଉପରେ। ଏଥିସହିତ କିଛିଲୋକ ମନ୍ଦିରକୁ ଯାଇ ଏକ ସୁନ୍ଦର ଜୀବନ ପାଇଁ ପ୍ରାର୍ଥନା ବି କରିଥାଆନ୍ତି। ଭାରତରେ ଅନେକ ହିନ୍ଦୁ ଘରମାନଙ୍କରେ ବି ଏବେ ଜନ୍ମଦିନରେ କେକ କାଟିବା ପ୍ରଥା ଚାଲି ଆସିଲାଣି। ଲୋକେ ନିଜର ଜନ୍ମଦିନ କେକ କାଟିବା ପାଇଁ ଘର, […]
ଶ୍ମଶାନରେ ପାଳିଲେ ଜନ୍ମଦିନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial