ବେଜିଂ : ଚୀନରେ କଠୋର କୋଭିଡ କଟକଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ ଧୀରେ ଧୀରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଓ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। ଦୁଇ ଦିନ ପୂର୍ବେ ସିଜିଆନ ପ୍ରଦେଶରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହେବା ପରେ ଶନିବାର ଦିନ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକମାନଙ୍କ ଅଭିଯୋଗ ଅନୁସାରେ ଆପାର୍ଟମେଣ୍ଟରେ ନିଆଁ ଲାଗିବା ସତ୍ତ୍ବେ ସେଠାରେ ରହୁଥିବା ଲୋକମାନଙ୍କୁ ଘର ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଏହା ଫଳରେ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ ଓ ୯ ଜଣ ଆହତ ହୋଇଥିଲେ। ମାସ ମାସ ଧରି ଲକଡାଉନରେ ରହିବା ପରେ ଚୀନର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିବାରେ ଲାଗିଛି। ଚୀନର କଠୋର ଆଇନ ଓ ନିର୍ଦ୍ଦୟ ସୁରକ୍ଷାବାହିନୀ ସତ୍ତ୍ୱେ ଲୋକମାନେ ରାସ୍ତାକୁ ଓହ୍ଲାଇଆସୁଛନ୍ତି ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏପରିକି ଲୋକମାନେ ସୋସିଆଲ ମିଡିଆରେ ବି ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। କିଛି ଦିନ ପୂର୍ବେ ଝାଙ୍ଗଝୁଠାରେ ଥିବା ଆପଲ କମ୍ପାନି ପାଇଁ ଆଇଫୋନ ତିଆରି କରୁଥିବା ଫକ୍ସକନ କାରଖାନାରେ କଠୋର କୋଭିଡ କଟକଣା ଯୋଗୁଁ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। ପରେ ତାହା ହିଂସାତ୍ମକ ରୂପ ନେଇଥିଲା।
ଚୀନରେ କଠୋର ଲକଡାଉନ୍ : ନିଆଁ ଲାଗିଥିବା ଆପାର୍ଟମେଣ୍ଟରୁ ବି ଲୋକଙ୍କୁ ଛାଡ଼ିଲେନି, ୧୦ ମୃତ

Share Now: