ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ପ୍ରସଙ୍ଗ: ଭଣ୍ଡେଇ ଚାଲିଛି ଏନ୍‌ଏଚ୍‌ଏଆଇ

ହଂସପାଳ ଫ୍ଲାଏଓଭର୍‌ ନିର୍ମାଣ ପ୍ରସଙ୍ଗ

ଭୁବନେଶ୍ବର : ୨୦୧୯ ଅଗଷ୍ଟ ୧୯। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଟ୍ବିଟର୍‌ ପୋଷ୍ଟ୍‌ରେ ହଂସପାଳ ଛକରେ ଫ୍ଲାଏଓଭର୍‌ ବ୍ରିଜ୍‌ ନିର୍ମାଣ ହେବା ‌ନେଇ ପୋଷ୍ଟ୍‌ କଲେ। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍‌ ଗଡ୍‌କରୀଙ୍କୁ ଧନ୍ୟବାଦ ଜଣାଇବା ସହ ୩୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବ୍ରିଜ୍‌ ୧୨୦ ଦିନ ଭିତରେ ଟେଣ୍ଡର ଓ ୧୮ମାସ ଭିତରେ କାମ ସରିବ ବୋଲି ସେହି ପୋଷ୍ଟ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ହେଲେ କରୋନା ଯୋଗୁଁ ଏଥିରେ ବିଳମ୍ବ ହୋଇଥିଲା। ୯ ଜୁନ୍‌ ୨୦୨୦ରେ ଖୋଦ୍‌ ସାଂସଦ ଏହାର ଶୁଭ ଦେବା ସହ ଡିସେମ୍ବର ୨୦୨୧ରେ ଏହା ସରିବ ବୋଲି କହିଥିଲେ। ଶିଳାନ୍ୟାସ ପରେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ କାମ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ପ୍ରାୟ ଅଢ଼େଇ ବର୍ଷ ବିତି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଧା କାମ ହୋଇନି। ଏନ୍‌ଏଚ୍‌ଏଆଇ ଯେଉଁ ଭଳି କଚ୍ଛପ ଗତିରେ କାମ କରୁଛି, ଆହୁରି ଦୁଇ ବର୍ଷ ପର୍ଯ୍ୟନ୍ତ ନିର୍ମାଣ କାମ ସରିବା ଭଳି ଦେଖାଯାଉନି। ଅନ୍ୟପକ୍ଷରେ ‌ଏହା ରାଜଧାନୀର ପ୍ରବେଶ ପଥ ହୋଇଥିବାରୁ ଅଧିକାଂଶ ସମୟରେ ଏହି ଛକରୁ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୋଇ ସତ୍‌ସଙ୍ଗ ବିହାର ପର୍ଯ୍ୟନ୍ତ ରାସ୍ତା ଜାମ୍‌ ରହୁଛି। ରାଜଧାନୀ ଟ୍ରାଫିକ୍‌ ଜାମ୍‌ର ଅନ୍ତୁଡ଼ିଶାଳ ପାଲଟିଛି ହଂସପାଳ ଛକ। ଏହି ବ୍ରିଜ୍‌ କାମ କେବେ ସରିବ ତାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।
ସୂଚନା ଅନୁସା‌ରେ, ୨୦୨୦ ଜୁନ୍‌ରୁ କାମ ଆରମ୍ଭ ହେବା ପରେ କରୋନାର ଦ୍ବିତୀୟ ଲହର ଆସିବା ଯୋଗୁଁ କାମ ପ୍ରଭାବିତ ହୋଇଛି ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଲେ। ସେଥିପାଇଁ ୧୮ ମାସ ପରିବର୍ତ୍ତେ ୨୭ମାସ ଲାଗିବ ବୋଲି ସେତେବେ‌ଳେ କହିଥିଲେ। ପରେ ଗଛକଟା ସମସ୍ୟା ହେଉଥିବା ଆଳ କରି ୩୦ମାସ ଲାଗିବ ବୋଲି କହିଲେ। ଏବେ ପୁଣି ଟ୍ରାଫିକ୍‌ ଜାମ୍‌ ସମସ୍ୟା ଯୋଗୁଁ କାମ ହୋଇପାରୁନଥିବା‌ବେଳେ ୩୬ମାସରେ ଶେଷ ହେବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହୁଛନ୍ତି। ଠିକା ସଂସ୍ଥା ମନ୍ଥର ଗତିରେ କାମ କରୁଥିବା‌ବେଳେ ଉକ୍ତ ସଂସ୍ଥାକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଆଳ ଦେଖାଇ କର୍ତ୍ତୃପକ୍ଷ ଏଭଳି ଦିନ ଗଡ଼ାଇ ଚାଲିଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ଯେତେବେଳେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଠିକା ସଂସ୍ଥାକୁ କାମ ଦିଆଗଲା ଓ ଅବଧି ସ୍ଥିର କରାଗଲା, ସେତେବେଳେ କର୍ତ୍ତୃପକ୍ଷ କେମିତି ଜାଣିପାରିଲେ ନାହିଁ ଏଠି ଭବିଷ୍ୟତରେ ବହୁତ ସମସ୍ୟା ଉପୁଜିବ। ଏବେ ବ୍ରିଜ୍‌ ନିର୍ମାଣ ସରୁ ନଥିବା‌‌ବେଳେ ନିର୍ମାଣ ସାମଗ୍ରୀ ରାସ୍ତାରେ ଗଦା ହୋଇଥିବା‌ ଯୋଗୁଁ ଲୋକମାନେ ବେଶି ସମସ୍ୟାର ସମୁଖୀନ ହେଉଛନ୍ତି। ସେହିଭଳି ନିର୍ମାଣ ସମୟରେ ରାସ୍ତାରେ ପାଣି ପକାଇ କାମ ନକରିବା ଯୋଗୁଁ ପ୍ରଦୂଷଣ ବଢ଼ୁଛି। ଫଳରେ ଆଖପାଖରେ ଥିବା ଦୋକାନ ଓ ଆବାସିକ ଘର ଗୁଡ଼ିକ ଧୂଳି ଧୂଆଁରେ ସନ୍ତୁଳି ହେଉଛନ୍ତି। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବା ସହ କାମ ସାରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ସିଂହଙ୍କ କହିବାନୁସାରେ, ବର୍ତ୍ତମାନ ୫୦ ଭାଗ କାମ ଶେଷ ହେବା ଉପରେ। ଗୋଟିଏ ପାର୍ଶ୍ବର ପିଅର୍‌, ଆବେର୍ଟମେଣ୍ଟ୍‌, ଫାଉଣ୍ଡେସନ ସ୍ଲାବ ଓ ସର୍ଭିସ୍‌ ରୋଡ କାମ ଶେଷ ହୋଇଛି। ଅନ୍ୟ ଏକ ପାର୍ଶ୍ବରେ ସର୍ଭିସ ରୋଡ କାମ ହେଲା ପରେ ଟ୍ରାଫିକ୍‌ ଡାଇଭର୍ସନ୍‌ କରି ତ୍ବରିତ ବେଗରେ କାମ କରାଯିବ। ବାରମ୍ବାର କର୍ତ୍ତୃପକ୍ଷ ଏଭଳି ମନ୍ତବ୍ୟ ଦେଉଥିଲେ ସୁଦ୍ଧା କାମରେ ଆଖିଦୃଶିଆ ପରିବର୍ତ୍ତନ ଦେଖାଯାଉନି। କର୍ତ୍ତୃପକ୍ଷ ମାସ ପରେ ମାସ ଗଡ଼ାଇ ଚାଲିଛନ୍ତି।

Share Now:

Kalinga News Beuro

Next Post

ସହିଦନଗର ରାସ୍ତାକଡ଼ରେ ପାର୍କିଂ ମନା : ଗାଡ଼ି ଉଠାଇ ନେବ ପୁଲିସ

Thu Dec 1 , 2022
ଭୁବନେଶ୍ବର: ସହିଦନଗରର ବିଭିନ୍ନ ଜାଗାରେ ରାସ୍ତାକଡ଼ରେ ପାର୍କିଂ ବାରଣ କରାଯାଇଛି। କଟକଣା ଲାଗୁ ହୋଇଥିବା ଅଞ୍ଚଳଗୁଡ଼ିକ ହେଉଛି, ଆଇଡିବିଆଇ ବ୍ୟାଙ୍କ୍‌ ଛକରୁ ଭେଟେନାରି କଲେଜ୍‌ ଓ ଏମ୍ପାୟର୍ସ ହୋ‌ଟେଲ୍‌ ଦେଇ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡ଼, ଆଲୋକ ଭାରତୀ ବିଲ୍ଡିଂ ଠାରୁ ସହିଦନଗର ଦୁର୍ଗାପୂଜା ମଣ୍ଡପ ଯାଇଥିବା ରାସ୍ତା କଡ଼, ଜନପଥରେ ଥିବା କଲ୍ୟାଣ ଜୁଏଲର୍ସରୁ ସ୍ପର୍ଶ ହସ୍‌ପିଟାଲ ଦେଇ ଚରକ ମେଡିକାଲ ଷ୍ଟୋର ପର୍ଯ୍ୟନ୍ତ ଯାଇଥିବା […]
ସହିଦନଗର ରାସ୍ତାକଡ଼ରେ ପାର୍କିଂ ମନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial