ପୁଣି ଜଣେ ନାବାଳିକା ବାହାବେଦିରୁ ଉଦ୍ଧାର : ରାଜଧାନୀରେ ବଢ଼ୁଛି ନାବାଳିକା ବିବାହ

ରାଜଧାନୀରେ ବଢ଼ୁଛି ନାବାଳିକା ବିବାହ

ଚନ୍ଦ୍ରଶେଖରପୁର: ବର୍ଷ ବର୍ଷର ସଚେତନତା ଓ କଠୋର ଆଇନ ପ୍ରଣୟନ ସତ୍ତ୍ୱେ ଖୋଦ୍‌ ରାଜଧାନୀରେ ବଢ଼ୁଛି ନାବାଳିକା ବିବାହ ଭଳି କୁତ୍ସିତ ପ୍ରଥା। ଗତ ୩୦ ତାରିଖରେ ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ଓ ଚନ୍ଦକା ଥାନା ପୁଲିସ ବଧୂବେଶରେ ଥିବା ଜଣେ ନାବାଳିକାଙ୍କୁ ବାହାବେଦିରୁ ଉଦ୍ଧାର କରିଥିଲେ। ଏହି ମାମଲାର ମାତ୍ର ୭ ଦିନ ପରେ ପୁଣି ଏକ ସମାନ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଅଞ୍ଚଳରେ। ସେଠାରେ ଏକ ମନ୍ଦିର ପରିସରରେ ଆୟୋଜିତ ବିବାହ କାର୍ଯ୍ୟକ୍ରମ ଅବସରରେ ଖୋର୍ଦ୍ଧା ସିଡବ୍ଲୁସି ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ବାହାବେଦୀରୁ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ରାଜଧାନୀର ବସ୍ତି ଅଞ୍ଚଳରେ ଏଭଳି ମାମଲା ବଢ଼ୁଥିବାରୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାନୁସାରେ ନାବାଳିକାଙ୍କ ବୟସ ମାତ୍ର ୧୫ ବର୍ଷ। ତାଙ୍କୁ ଜଣେ ୨୮ବର୍ଷିୟ ଯୁବକ ସହିତ ବିବାହ କରାଯାଉଥିଲା। ନାବାଳିକାଜଣକ ଏଥିରେ ରାଜିନଥିଲେ ମଧ୍ୟ ତାଙ୍କ ବାପାମା’ ଓ ପରିବାର ଲୋକେ ତାଙ୍କୁ ବାଧ୍ୟ କରାଇଥିଲେ। ସେହିଭଳି ବରପକ୍ଷ ମଧ୍ୟ ୧୫ ବର୍ଷୀୟା ନାବାଳିକାକୁ ଘରକୁ ବୋହୂ କରିନେବା ପାଇଁ ରାଜି ହୋଇଥିଲେ। ଏହା ବେଆଇନ କାମ ବୋଲି ଜାଣିବା ସତ୍ତ୍ୱେ ବର ଓ ବରପକ୍ଷର ସମସ୍ତେ ଏହି ବିବାହ ପ୍ରସ୍ତାବକୁ ଗ୍ରହଣ କରିନେଇଥିଲେ। ଆଜି ବାହାଘର ଦିନ ଥିଲା। ନୀଳାଦ୍ରିବିହାରସ୍ଥିତ ଏକ ମନ୍ଦିରରେ ହାତଗଣ୍ଠି ପଡ଼ିବାର ଥିଲା। ଏମିତିକି ଉଭୟ ବର ଓ କନ୍ୟା ପକ୍ଷ ଭୋଜିଭାତର ଆୟୋଜନ ମଧ୍ୟ କରିଥିଲେ। କିନ୍ତୁ ମନ୍ଦିରରେ ନାବାଳିକାକୁ ବଧୂବେଶରେ ସଜେଇ ଦେଉଥିବା ବେଳେ ସେ କାନ୍ଦି କାନ୍ଦି ବିରୋଧ କରୁଥିଲେ। ଠାକୁର ଦର୍ଶନ ପାଇଁ ମନ୍ଦିର ଆସିଥିବା ଜଣେ ଭଦ୍ରବ୍ୟକ୍ତି ଏସବୁ ଦୃଶ୍ୟ ଦେଖିବା ପରେ ନାବାଳିକା ବିବାହ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଠଉରାଇପାରିଥିଲେ। ତେଣୁ ତୁରନ୍ତ ସେ ଜଣେ ସ୍ବେଚ୍ଛାସେବୀ ବନ୍ଧୁଙ୍କ ସହଯୋଗରେ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍‌କୁ ଖବର ଜଣାଇଥିଲେ। ଖବର ପାଇ ଭୁବନେଶ୍ବର ଚାଇଲ୍‌ଡ ଲାଇନ୍ ଅଧିକାରୀ ତୁରନ୍ତ ଖୋର୍ଦ୍ଧା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ)ଙ୍କୁ ଜଣାଇବା ସହ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ନେଇ ମନ୍ଦିରରେ ଚଢ଼ଉ କରିଥିଲେ। ପରିବାର ଲୋକେ ନାବାଳିକାଙ୍କୁ ବିବାହଯୋଗ୍ୟା ଯୁବତୀ ବୋଲି ଦର୍ଶାଇ ଯୁକ୍ତିତର୍କ କରିଥିଲେ। ମାତ୍ର ଆଧାରକାର୍ଡ ଯାଞ୍ଚ କରିବା ପରେ ତାଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ସିଡବ୍ଲୁସି ନାବାଳିକାକୁ କାଉନ୍‌ସେଲିଂ ପାଇଁ ଏକ ସେଲ୍‌ଟର ହୋମ୍‌କୁ ନେଇଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏକ ଅଭିଯୋଗ କରାଯାଇଛି ଏବଂ ପୁଲିସ ବର ଓ ବରପକ୍ଷରୁ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା‌ କରିଥିଲା। ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ।

Share Now:

Kalinga News Beuro

Next Post

ରାଫେଲ ପ୍ରେମରେ ନୌସେନା : ଫ୍ରାନ୍ସ ସହ ହୋଇପାରେ ପୁଣିଥରେ ଡ଼ିଲ

Fri Dec 9 , 2022
ନୂଆଦିଲ୍ଲୀ: ଭାରତ ପୁଣି ଥରେ ଫ୍ରାନ୍ସ ସହିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତି କରିପାରେ। କାରଣ ସ୍ୱଦେଶୀ ବିମାନ ପରିବହନକାରୀ, ଆଇଏନଏସ ବିକ୍ରାନ୍ତ ପାଇଁ ୨୬ଟି ଯୁଦ୍ଧ ବିମାନ ଆବଶ୍ୟକ ଏବଂ ନୌସେନା ଦ୍ୱାରା ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରାଯାଇଛି। ଭାରତୀୟ ନୌସେନା ଏହାର ସ୍ୱଦେଶୀ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ପାଇଁ ଡେକବେସ ଯୁଦ୍ଧ ବିମାନ ଆବଶ୍ୟକ କରୁଛି। ଯେହେତୁ ସ୍ୱଦେଶୀ ଯୁଦ୍ଧ […]
ବାୟୁସେନା ପରେ ରାଫେଲ ପ୍ରେମରେ ନୌସେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial