‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ସଂଘର୍ଷ : ଗୃହ ମୁଲତବୀ

ଦିଲ୍ଲୀ ମେୟର୍‌ ନିର୍ବାଚନ

ନୂଆଦିଲ୍ଲୀ: ମେୟର୍‌ ନିର୍ବାଚନ ପୂର୍ବରୁ ନବନିର୍ବାଚିତ ‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଲାଗିବାରୁ ଆଜି ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌ରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ସଦ୍ୟତମ ସୂଚନା ଅନୁସାରେ, ମେୟର୍‌ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ଆଗରୁ ‘ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ଗୃହ ମୁଲତବୀ ଘୋଷଣା କରାଯାଇଛି। ‘ସିଭିକ୍‌ ସେଣ୍ଟର୍‌’ର ମଧ୍ୟସ୍ଥଳରେ ‘ଆପ୍‌’ ଓ ‘ବିଜେପି’ କର୍ମୀମାନେ ସ୍ଲୋଗାନ୍‌ ଦେଇଥିଲେ। ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ସଦସ୍ୟମାନେ ପରସ୍ପରଙ୍କୁ ଠେଲାପେଲା କରୁଥିବା ବେଳେ କେତେକ ତଳେ ପଡ଼ିଯାଉଛନ୍ତି। ଉପରାଜ୍ୟପାଳ ଭି. କେ. ସାକ୍‌ସେନାଙ୍କଦ୍ୱାରା ନିଯୁକ୍ତ କାମଚଳା ବାଚସ୍ପତି ସତ୍ୟ ଶର୍ମା ମନୋନୀତ ସଦସ୍ୟମାନଙ୍କର ଶପଥ ପାଠ ଆରମ୍ଭ କରାଇବାରୁ ପ୍ରତିବାଦ ଆରମ୍ଭ ହୋଇଥିଲା। ‘ଆପ୍‌’ ସଦସ୍ୟମାନେ କହିଥିଲେ ଯେ, ମନୋନୀତ ସଦସ୍ୟମାନଙ୍କ ଆଗରୁ ନିର୍ବାଚିତ କାଉନ୍‌ସିଲର୍‌ମାନଙ୍କ ଶପଥ ପାଠ କରାଯିବା ଉଚିତ। ‘ଆପ୍‌’ ସଦସ୍ୟ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଗୁଡ଼ାଏ ଯୁକ୍ତିତର୍କ ଲାଗିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ‘ଆପ୍‌’ ଅଭିଯୋଗ କରିଛି ଯେ, ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ୱାଧୀନ ‘ଆପ୍‌’ ସରକାରଙ୍କ ସହିତ ପରାମର୍ଶ ନ କରି ଉପରାଜ୍ୟପାଳ କେତେଗୁଡ଼ିଏ ନିଯୁକ୍ତି ଦେବା ସହିତ ମେୟର୍‌ ନିର୍ବାଚନକୁ ‘ବିଜେପି’ ଆଡ଼କୁ ଢଳାଇବା ପାଇଁ ଉଦ୍ୟମ କରୁଛନ୍ତି। ‘ଆପ୍‌’ ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଉପରାଜ୍ୟପାଳ ଜାଣିଶୁଣି ‘ବିଜେପି’ ପ୍ରତି ଅନୁଗତ ଥିବା ୧୦ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ସଦସ୍ୟମାନଙ୍କୁ ମନୋନୀତ କରିସାରିବା ପରେ, ମେୟର୍‌ ନିର୍ବାଚନରେ ଅଧ୍ୟକ୍ଷତା କରିବା ଲାଗି ସାକ୍ସେନା ‘ବିଜେପି’ କାଉନ୍‌ସିଲର୍‌ ସତ୍ୟ ଶର୍ମାଙ୍କୁ କାମଚଳା ବାଚସ୍ପତି ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି। ବୟୋଜ୍ୟେଷ୍ଠ କାଉନ୍‌ସିଲର୍‌ ମୁକେଶ ଗୋୟଲ୍‌ଙ୍କୁ ଏହି ପଦବୀ ପାଇଁ ‘ଆପ୍‌’ ପ୍ରସ୍ତାବ ଦେଇଥି‌ଲା। ତିନି ଥର କ୍ଷମତାରେ ରହିବା ପରେ ପୌର ନିର୍ବାଚନରେ ପରାଜିତ ହୋଇଥିବା ‘ବିଜେପି’ ଦାବି କରିଛି ଯେ, ସେମାନେ ମେୟର୍‌ ପଦବୀ ଜିଣିବେ। ଆଜିର ମେୟର୍‌ ନିର୍ବାଚନରେ ‘ଆପ୍‌’ ଶେଲୀ ଓବେରୟି ଓ ‘ବିଜେପି’ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ ଭାବେ ଠିଆ କରାଇଛନ୍ତି।

Share Now:

Kalinga News Beuro

Next Post

ଜାତିଆଣ ଆକ୍ଷେପ ଅଭିଯୋଗ : ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ

Fri Jan 6 , 2023
କଟକ: କଟକ ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ଜାତିଆଣ ଆକ୍ଷେପକୁ ନେଇ ମାମଲା ରୁଜୁ ହୋଇଛି। ଜଣେ ଅସବର୍ଣ୍ଣ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ଭଳି ସାଙ୍ଘାତିକ ମାମଲା ଆଣିଛନ୍ତି ମହିଳା। ଏହି ମାମଲା ରୁଜୁ ହେବା ପରେ ଏହାର ସ୍ୱତନ୍ତ୍ର ତଦନ୍ତ କରୁଛନ୍ତି ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା। ସୂଚନା ମୁତାବକ ଟାଙ୍ଗୀ ଇଲେକ୍ଟ୍ରିକ୍ ଅଫିସରେ ମାରପିଟ ଘଟଣାକୁ କେନ୍ଦ୍ର କରି ଟାଙ୍ଗୀ ଥାନାରେ କୋଟସାହିର […]
ଟାଙ୍ଗୀ ଥାନା ଅଧିକାରୀ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial