ଭୁବନେଶ୍ୱର: ଟାର୍ଗେଟ୍ଠାରୁ ବହୁତ ପଛରେ ରାଜସ୍ୱ ଆଦାୟ ରହିଥିବାରୁ ବିଏମ୍ସିର ମୁଣ୍ଡ ବିନ୍ଧିଛି। ସପ୍ତାହକୁ ଥରେ ସମୀକ୍ଷା ହେଉଛି। ୱାର୍ଡ ଅଫିସରଙ୍କ ଉପରେ ଅଧିକାରୀମାନେ ବର୍ଷୁଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେଲେ ଦରମା ବନ୍ଦ କରିବୁ, ବଦଳି କରିବୁ, ଏଭଳି କେତେ କ’ଣ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଉଛନ୍ତି। ହେଲେ ମୂଳ ପ୍ରସଙ୍ଗକୁ ଯାଉ ନାହାନ୍ତି। ଫଳରେ ଏ ସବୁ ଚେତାବନୀ କିଛି କାମ କରୁନାହିଁ କି ହୋଲ୍ଡିଂ ଟାକ୍ସ ଆଦାୟ ମଧ୍ୟ ଆଶାନୁରୂପ ହେଉ ନାହିଁ। ବାସ୍ତବରେ ଲୋକେ ନିଜଆଡ଼ୁ ଏହି ଟ୍ୟାକ୍ସ ଦେବାକୁ ଚାହୁନାହାନ୍ତି। ଗୋଟିଏ ୱାର୍ଡରେ ଏଭଳି ଅଧାରୁ ଅଧିକ ରହିଛନ୍ତି। ଏମାନଙ୍କଠାରୁ କେମିତି ଆଦାୟ କରାଯିବ ସେ ନେଇ ଆଜି ମାନସମନ୍ଥନ ହୋଇଛି। ବିଏମ୍ସିରେ ବସିଥିବା ସମୀକ୍ଷା ବୈଠକରେ ଏହାକୁ ନେଇ ତନାଘନା ହେବା ସହ ୱାର୍ଡ ଅଫିସରମାନେ ଏହି ଖିଲାପକାରୀଙ୍କୁ ଚିହ୍ନଟ କରି ‘ସୋ-ମୋଟୋ ଆକଳନ’ କରିବା ସହ ସମ୍ପୃକ୍ତ ଖିଲାପକାରୀଙ୍କୁ ନୋଟିସ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ନୋଟିସ୍ରେ ବରିଷ୍ଠ ଅଧିକାରୀ ଦସ୍ତଖତ କରିବେ ନାହିଁ, ବରଂ ଏହା ୱାର୍ଡ ଅଫିସରଙ୍କ ଦସ୍ତଖତରେ ଦିଆଯିବାକୁ ସ୍ଥିର ହୋଇଛି। ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ହୋଲ୍ଡିଂ ଟ୍ୟାକ୍ସ ପାଇଁ ବିଏମ୍ସି ନୋଟିସ୍ ଇସ୍ୟୁ କରିପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଆଦେଶ ଥିବାରୁ ୱାର୍ଡ ଅଫିସରଙ୍କୁ ବିବାଦରେ ଛନ୍ଦି ବଡ଼ ଅଫିସର ଖସିଯିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି।
୨୦୨୦ ମସିହାରେ ବିଏମ୍ସି ନୂଆ ବେଞ୍ଚ ମାର୍କ ଭାଲ୍ୟୁଏସନ ଆଧାରରେ ହୋଲ୍ଡିଂ ଟ୍ୟାକ୍ସ ବଢ଼ାଇ ଦେଇଥିଲା। ଯାହାକୁ ନେଇ ମାମଲା ହାଇକୋର୍ଟକୁ ଯାଇଥିଲା। କୋର୍ଟ ଏହା ଉପରେ ରହିତାଦେଶ ଲାଗୁ କରିବା ସହ ବିଏମ୍ସି ଟ୍ୟାକ୍ସ ଆଦାୟ କରିବା ପାଇଁ ନୋଟିସ୍ ଇସ୍ୟୁ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ବିଏମ୍ସି ବଢ଼ା ଦରରେ ସବୁ ହୋଲ୍ଡିଂ ଟାକ୍ସ କମ୍ପ୍ୟୁଟରରେ ଚଢ଼ାଇ ଦେଇଥିଲା। ଏଥିପାଇଁ ପାଖାପାଖି ୬ମାସ ସମୟ ଲାଗିଥିଲା। କୋର୍ଟ ଆଦେଶ ଆସିବା ପରେ ପୁଣି ବଢ଼ା ଦରକୁ କାଟି ପୁରୁଣା ଦର ଚଢ଼ାଇଥିଲା। ଯାହା ଏ ପର୍ଯ୍ୟନ୍ତ ସରିନାହିଁ। ଅନେକ ଲୋକଙ୍କର ପୁରୁଣା ଦର ଦେଖାଉଛି। ଏଣୁ ସେମାନେ ହୋଲ୍ଡିଂ ଦେଉନାହାନ୍ତି କିମ୍ବା ବିଏମ୍ସି ସେଗୁଡ଼ିକୁ ସମାଧାନ କରୁନାହିଁ। ଏମାନଙ୍କ ବ୍ୟତୀତ ଆହୁରି ଅନେକ ଲୋକ ଜାଣି ଜାଣି ହୋଲ୍ଡିଂ ଟ୍ୟାକ୍ସ ଜମା କରୁନାହାନ୍ତି। ଏବେ କେବଳ ଅନ୍ଲାଇନ୍ରେ ଜମା ହେଉଛି। ନଗଦ କିମ୍ବା ଘରକୁ ଘର ବୁଲି ସଂଗ୍ରହ କରିବା ବ୍ୟବସ୍ଥା ମଧ୍ୟ ନାହିଁ। ଏଣୁ ଏଗୁଡ଼ିକ କେମିତି ଆଦାୟ ହେବ ସେ ନେଇ ଚିନ୍ତା ବଢ଼ିଛି। ସେହିଭଳି ପ୍ରତ୍ୟେକ ଦିନ ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ନୂଆ ଘର ତିଆରି ହେଉଛି। ଘର ତିଆରି ପୂର୍ବରୁ କେହି ନିଜଆଡ଼ୁ ନିଜ ଘରର ଅନ୍ଲାଇନ୍ରେ ଆସେସ୍ମେଣ୍ଟ କରୁନାହାନ୍ତି। ଏହା ମଧ୍ୟ ଆହୁରି ଚିନ୍ତାଜନକ ହୋଇଛି। ଏହାକୁ ନେଇ ଆଜି ବୈଠକରେ ତନାଘନା ହୋଇଛି। ୱାର୍ଡ ଅଫିସରମାନେ ଏହି ସବୁ ନୂଆ ଜାଗା ବୁଲି ଆସେସ୍ମେଣ୍ଟ କରିବାକୁ କୁହାଯାଇଛି। ସମ୍ପୃକ୍ତ ଜାଗାର କାଗଜପତ୍ର, ଘର ନିର୍ମାଣ ପାଇଁ ଅନୁମୋଦନ ହୋଇଥିବା ପ୍ଲାନ୍ ସବୁ ଦେଖି ଆସେସ୍ମେଣ୍ଟ ପ୍ରସ୍ତୁତ କରିବେ। ଆବଶ୍ୟକ ପଡ଼ିଲେ ଡିମାଣ୍ଡ ନୋଟିସ୍ ଦେବେ। ଯେଉଁଠି ଘରମାଲିକ ସହଯୋଗ ନ କରିବ ତେବେ ୱାର୍ଡ ଅଫିସରମାନେ ‘ସୋ-ମୋଟୋ ଆକଳନ’ କରିବେ। ଅର୍ଥାତ୍ କେତେ ଜାଗାରେ ଘର ତିଆରି ହେଉଛି ତାହା ଅନୁମାନ କରିବେ। କେତେ ମହଲା ହେଉଛି ତାହା ଗଣିବେ। କେତେ ଘର ହେଉଛି ତାହା ମଧ୍ୟ ଗଣିବେ। ଏହା ପରେ ହୋଲ୍ଡିଂ ଧାର୍ଯ୍ୟ କରି ସମ୍ପୃକ୍ତ ଲୋକ ବା ସଂସ୍ଥାକୁ ନୋଟିସ୍ ଦେବେ। ଏଭଳି ନ କଲେ ୱାର୍ଡ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। କିନ୍ତୁ ଏହାକୁ ନେଇ ବିବାଦ ଦେଖାଦେଇଛି। ନୋଟିସ୍ ଦେବାକୁ କୋର୍ଟ ବାରଣ କରିଥିବାରୁ ଅଧିକାରୀମାନେ ଏହି ନୋଟିସ୍ରେ ଦସ୍ତଖତ କରିବେ ନାହିଁ, ୱାର୍ଡ ଅଫିସରଙ୍କ ଦସ୍ତଖତରେ ନୋଟିସ୍ ଯିବ। ଅଧିକାରୀମାନେ ଖସିଯିବେ। ଦ୍ଵିତୀୟତଃ, ଏହି ଆକଳନ ବାସ୍ତବ ହେବ ନାହିଁ। ଏଣୁ ମାମଲା କୋର୍ଟ ଯିବା ଆଶଙ୍କା ରହିଛି। ଫଳରେ ସମଗ୍ର ପ୍ରକ୍ରିୟା ବିବାଦ ଭିତରକୁ ଠେଲି ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ କେତେ ସଂଗ୍ରହ ହେଲା, କେତେ ଆସେସ୍ମେଣ୍ଟ ହେଲା, କେତେଜଣଙ୍କୁ ନୋଟିସ୍ ହେଲା, ତାହାର ବିବରଣୀ ୱାର୍ଡ ଅଫିସର ଦାଖଲ କରିବେ। ଟାର୍ଗେଟ୍ ନ ହେଲେ କିମ୍ବା ଦୈନିକ ରିପୋର୍ଟ ପ୍ରସ୍ତୁତ ନ କଲେ ୱାର୍ଡ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି। କିନ୍ତୁ ୱାର୍ଡ ସୁପରଭାଇଜର ଓ ଜେଡ୍ଡିସିଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେବ, ସେ ସମ୍ପର୍କରେ ସ୍ପଷ୍ଟ କରାଯାଇନି।
ହୋଲ୍ଡିଂ ଟାକ୍ସ ଆଦାୟକୁ ନେଇ ତନାଘନା : ନିଜ ଆଡ଼ୁ ଜମା କରୁନାହାନ୍ତି ଲୋକେ

Share Now: