ସୁଟକେଶରେ ଯୁବକଙ୍କ ମୃତଦେହ ଘଟଣା : ମାଷ୍ଟରମାଇଣ୍ଡ ପତ୍ନୀ ସମେତ ୩ ଅଭିଯୁକ୍ତ ଗିରଫ

ସୁଟକେଶରେ ଯୁବକଙ୍କ ମୃତଦେହ ଘଟଣା

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଅଧୀନରେ ରହିଥିବା ସ୍ଥାନୀୟ ୧୬ ନଂ ଜାତୀୟ ରାଜପଥ ଠାରୁ ଅନତି ଦୁରସ୍ଥିତ ହରିପୁର ଜଙ୍ଗଲରୁ ଟ୍ରଲି ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିବା ସହ ପୁଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି। ନାଚୁଣୀ ଥାନା ପୁଲିସ ମୃତ ଯୁବକଙ୍କ ପତ୍ନୀ ମିଲି ମହାପାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ଏବାବଦରେ ଆନୁଷ୍ଠାନିକ ଭାବେ ସାମ୍ବାଦିକ ସମ୍ମିଳନୀ ଡ଼ାକି ବିସ୍ତୃତ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମନୋରଞ୍ଜନ ମହାପାତ୍ର (୩୨)ଙ୍କ ପତ୍ନୀ ମିଲି ମହାପାତ୍ର(୨୫) ଏବଂ ତାଙ୍କ ସମ୍ପର୍କୀୟ ଭାଇ ତଥା ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମର ତ୍ରିନାଥ ଦାସଙ୍କ ପୁଅ ମିଟୁ ଦାସ(୨୬)ଙ୍କ ସହିତ ନିଲିଙ୍କ ପୁରୁଷ ବନ୍ଧୁ ତଥା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡିପାଟଣା ସାହିର ବିଜୟ କୁମାର ସାହୁଙ୍କ ପୁଅ ବିକ୍ରମ କୁମାର ସାହୁ (୨୯), ଯିଏକି ବର୍ତ୍ତମାନ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ଡୋମଣୀ ସାହିରେ ବସବାସ କରନ୍ତି।

ପୁଲିସ ଏହି ଘଟଣାରେ ମୃତଦେହ ଭର୍ତ୍ତି ହୋଇଥିବା ଟ୍ରଲି ସୁଟକେଶ, ଗୋଟିଏ ପ୍ଲାଷ୍ଟିକ ଦଉଡ଼ି ଓ ଚୁନି ଜବତ କରିଛି। ଏହି ଘଟଣାରେ ବ୍ୟବହାର ହୋଇଥିବା ପଲସର ଗାଡ଼ି (ନ°- ଓ ଡି ୦୨ ଏସ୍ ୧୯୧୭)କୁ ଜବତ କରି ଏବାବଦରେ ନାଚୁଣୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ କହିବା ଅନୁସାରେ ମୃତ ଯୁବକ ନୟାଗଡ଼ ଜିଲ୍ଲାର ବଳଭଦ୍ରପୁର ପଞ୍ଚାୟତର ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ମନୋରଞ୍ଜନ ମହାପାତ୍ର। ସେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମର ମିଲିଙ୍କୁ ବିବାହ କରିଥିଲେ। କୁଆଡେ ମୃତ ଯୁବକ ଜଣେ ଅସାମାଜିକ ବ୍ୟକ୍ତି, ଯାହାଙ୍କ ନାମରେ ୨ ରୁ ୩ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନାରେ ଏକାଧିକ ଡ଼କାୟତି ମାମଲା ରହିଥିବା ପ୍ରକାଶ। ଏଣୁ ତାଙ୍କ ଗିରଫଦାରୀ ପାଇଁ ପୁଲିସ ଓ୍ବାଣ୍ଟେଡ ଓ୍ବାରେଣ୍ଟ ରହିଥିବା ପ୍ରକାଶ। ଏଥି ସହିତ ମୃତ ଯୁବକ ପୂର୍ବରୁ ରହୁଥିବା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଲାଖପଡା ନିଜ ବାସ ସ୍ଥାନ ଅଞ୍ଚଳରେ ବିଭିନ୍ନ ମାମଲାରେ ସମସ୍ୟା ଉପୁଜିବାରୁ ସେ ସପରିବାର ଚିଲିକା ବ୍ଲକର ଚଣ୍ଡେଶ୍ବର ଅଧିନ ଦାରୁ ଗାଁରେ ଘର ଭଡା ନେଇ ରହୁଥିଲେ। ମୃତ ଯୁବକ ମନୋରଞ୍ଜନ ସବୁଦିନେ ମଦ୍ୟପାନ କରି ନିଜର ପତ୍ନୀଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏଣୁ ତାଙ୍କ ପତ୍ନୀ ମିଲି କୁଆଡେ ଏବାବଦରେ ଅତିଷ୍ଠ ହୋଇ ଏପରି କାଣ୍ଡ ଘଟାଇ ଥିବା ପ୍ରକାଶ। ମୃତ ମନୋରଞ୍ଜନ ଗତ ୨୦ ତାରିଖ ରେ ପତ୍ନୀ ମିଲିଙ୍କୁ କୁଆଡେ ପ୍ରବଳ ମାଡ଼ ମାରିଥିବାରୁ ପତ୍ନୀ ଅସହାୟ ହୋଇ ସ୍ବାମୀଙ୍କୁ ଜୀବନରେ ମାରି ଦେବାକୁ ଷଡ଼ଯନ୍ତ୍ର ରଚିଥିଲେ। ଏଣୁ ଗତ ୨୧ ତାରିଖ ରାତିରେ ଅଭିଯୁକ୍ତ। ମିଲି ନିଜର ସମ୍ପର୍କୀୟ ଭାଇ ମିଟୁ ଦାସ ଓ ନିଜର ପୁରୁଷ ବନ୍ଧୁ ବିକ୍ରମ କେଶରୀ ସାହୁଙ୍କୁ ଡକାଇ ଘରେ ଭୋଜି ଆସର କରିବା ସହ ସ୍ଵାମୀ ମନୋରଞ୍ଜନଙ୍କୁ ମାତ୍ରାଧିକ ମଦ ପିଆଇ ଅଚେତ କରିବା ପରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ପ୍ରକାଶ। ତାପରେ ଚାନ୍ଦପୁର ବଜାରରୁ ଏକ ଟ୍ରଲି ସୁଟକେଶ କିଣି ତା ମଧ୍ୟରେ ମୃତଦେହ ଭର୍ତ୍ତି କରି ହରିପୁର ଜଙ୍ଗଲ ମଧ୍ୟରେ ଫୋପାଡି ଦେଇଥିଲେ।

Share Now:

Kalinga News Beuro

Next Post

ପରାକ୍ରମ ଦିବସରେ ଆଣ୍ଡାମାନ ଓ ନିକୋବରର ୨୧ଟି ବୃହତ୍‌ ଅନାମିତ ଦ୍ବୀପପୁଞ୍ଜର ନାମକରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

Mon Jan 23 , 2023
ନୂଆଦିଲ୍ଲୀ: ଆଜି ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମବୀର ଚକ୍ର ସମ୍ମାନରେ ଭୂଷିତ ବୀର ଯବାନମାନଙ୍କ ନାମାନୁସାରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୨୧ଟି ନାମହୀନ ବଡ଼ ବଡ଼ ଦ୍ବୀପର ନାମକରଣ କରିଛନ୍ତି। ଏହି ଅବସରରେ ସେ ନେତାଜୀଙ୍କ ପ୍ରତି ଉତ୍ସର୍ଗ ଏକ ଜାତୀୟ ସ୍ମାରକୀ ମଡେଲ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ସ୍ମାରକୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପରେ ନିର୍ମାଣ କରାଯିବ। ପୂର୍ବରୁ ଏହି […]
ପରାକ୍ରମ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial