କଙ୍ଗୋ ବିମାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲା ରୁୱାଣ୍ଡା : ନିଆଁ ଲାଗିବା ସତ୍ତ୍ୱେ ସୁରକ୍ଷିତ ଓହ୍ଲାଇଲା ସୁଖୋଇ

କଙ୍ଗୋ ବିମାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ

ଗୋମା : କିଛି ବର୍ଷର ଶାନ୍ତି ପରେ ଆଫ୍ରିକୀୟ ଦେଶ ରୁୱାଣ୍ଡା ଓ କଙ୍ଗୋ ମଧ୍ୟରେ ପ୍ରାୟ ୩ ଦଶନ୍ଧି ଧରି ଚାଲିଥିବା ଶତ୍ରୁତା ପୁଣି ଉଜାଗର ହୋଇଛି। ଗତ ମଙ୍ଗଳବାରଦିନ ରୁୱାଣ୍ଡା ପକ୍ଷରୁ କଙ୍ଗୋର ଏକ ଯୁଦ୍ଧ ବିମାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରାଯିବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ସଂପର୍କରେ ରୱାଣ୍ଡା ଅଭିଯୋଗ କରିଛି ଯେ କଙ୍ଗୋର ଯୁଦ୍ଧ ବିମାନଗୁଡ଼ିକ ଏହାର ଆକାଶସୀମା ଉଲ୍ଲଂଘନ କରିଥିଲେ, ଏଥିପାଇଁ ଏହି ପଦକ୍ଷେପ ଆତ୍ମରକ୍ଷା ପାଇଁ ନିଆଯାଇଥିଲା। କଙ୍ଗୋ ଏହି ଅଭିଯୋଗକୁ ଅସ୍ୱୀକାର କରିଛି ଏବଂ କହିଛି ଯେ ଏହାର ଯୁଦ୍ଧ ବିମାନ ଏହାର ଆକାଶସୀମା ମଧ୍ୟରେ ଥିଲେ। ଯେତେବେଳେ ବିମାନଟି ତାଙ୍କ ନିଜ ସହର ଗୋମାରେ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରୁଥିଲା ସେତେବେଳେ ଏହି ଆକ୍ରମଣ ହୋଇଥିଲା। ଜାନୁଆରୀ ୨୪ ରେ କଙ୍ଗୋ ଯୁଦ୍ଧ ବିମାନ ଉପରକୁ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା, ଯେଉଁଥିରେ ବିମାନଟି ଅଳ୍ପକେ ରକ୍ଷା ପାଇଯାଇଥିଲା। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ରୁୱାଣ୍ଡା ଦ୍ୱାରା ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର କଙ୍ଗୋର ସୁଖୋଇ-୨୫ ବିମାନର ଅତି ନିକଟରେ ବିସ୍ଫୋରଣ ହୋଇଥିଲା। ଏହା ପରେ ବିମାନଟି ଗୋମା ବିମାନବନ୍ଦରରେ ଅବତରଣ କରିବାରେ ସଫଳ ହୋଇଥିଲା। ତେବେ ବିମାନରେ ସାମାନ୍ୟ କ୍ଷତି ହୋଇଥିବା କଙ୍ଗୋ ଦାବି କରିଛି। ରୁୱାଣ୍ଡା ଏବଂ କଙ୍ଗୋ ମଧ୍ୟରେ ତିକ୍ତତା ୩ ଦଶନ୍ଧି ପୁରୁଣା। ୧୯୯୪ ରେ ରୁୱାଣ୍ଡାରେ ଘଟିଥିବା ଗୃହଯୁଦ୍ଧରେ ପ୍ରାୟ ଏକ ନିୟୁତ ଲୋକ ପ୍ରାଣ ହରାଇଥିଲେ। ଏହି ଗୃହଯୁଦ୍ଧରେ ତୁତସି ଏବଂ ଉଦାରବାଦୀ ହୁତୁ ଜନଜାତିରେ ଲୋକ ଅନ୍ତର୍ଭୁକ୍ତ ଥିଲେ। ରୱାଣ୍ଡା ଏବଂ ଉଗାଣ୍ଡା ମିଳିତ ଭାବରେ ୧୯୯୬ ରେ କଙ୍ଗୋରେ ପ୍ରଥମ ଯୁଦ୍ଧ ଆରମ୍ଭ କରିଥିଲେ ଯାହା ଏହି ହତ୍ୟାକାଣ୍ଡର ଅପରାଧୀମାନଙ୍କୁ ହଟାଇବା ପାଇଁ। ତା’ପରେ ଦ୍ୱିତୀୟ କଙ୍ଗୋ ଯୁଦ୍ଧ ହୋଇଥିଲା, ଯାହା ଆନୁଷ୍ଠାନିକ ଭାବରେ ୨୦୦୨ରେ ଶେଷ ହୋଇଥିଲା। ତେବେ ଯୁଦ୍ଧ ଶେଷ ହେବା ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ତିକ୍ତତା ରହିଯାଇଥିଲା।

Share Now:

Kalinga News Beuro

Next Post

ରେଳ ବିଭାଗରେ ଚାକିରି ନାଁରେ ୫.୪୮ ଲକ୍ଷ ଠକେଇ, ୨ ଗିରଫ

Thu Jan 26 , 2023
କାଶୀନଗର : କାଶୀନଗର ଅଞ୍ଚଳର ୨ ଜଣ ଯୁବକଙ୍କ ଠାରୁ ରେଳ ବିଭାଗରେ ଚାକିରି ପ୍ରଲୋଭନ ଦେଖାଇ ମୋଟ ୫ ଲକ୍ଷ ୪୮ ହଜାର ଟଙ୍କା ଠକେଇ ଘଟଣାରେ ସ୍ଥାନୀୟ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦ୍ବୟ ହେଲେ ଗଜପତି ଜିଲ୍ଲା ରାୟଗଡ଼ ଥାନା ବୁରୁଜଙ୍ଗ ଗ୍ରାମର ସୁରେଶ ପରିଛା(୨୯) ଓ ଗୁରାଣ୍ଡି ଥାନା ବଡ଼ଦେଉଳ ଗ୍ରାମର ବିଶ୍ୱନାଥ ଅଣ୍ଡରପୁ(୩୯)। ଉଭୟଙ୍କୁ ଭୁବନେଶ୍ୱରରୁ କାବୁ […]
ରେଳ ବିଭାଗରେ ଚାକିରି ନାଁରେ ୫.୪୮ ଲକ୍ଷ ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial