ଅଳିଆ ପକା-ଉଠାରେ ୧୧କୋଟି ହଡ଼ପ : ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଅଳିଆ ପକା-ଉଠାରେ ୧୧କୋଟି ହଡ଼ପ

ଭୁବନେଶ୍ୱର: ଅଳିଆ ପକା-ଉଠାରେ ବିଏମ୍‌ସି ୧୧ କୋଟିର ଦୁର୍ନୀତି କରିଛି। ସୈନିକ ସ୍କୁଲ ପାଖରେ ଥିବା ଟିଟିଏସ୍‌(ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ)ରେ ଯେତିକି ଅଳିଆ ପକାଇଥିଲେ ତା’ ଠାରୁ ଢେର୍‌ କମ୍‌ ଓଜନର ଅଳିଆ ଭୁଆସୁଣି ଡମ୍ପିଂ ୟାର୍ଡ ଯାଇଛି। ଅର୍ଥାତ୍‌ ଟିଟିଏସ୍‌କୁ ଯାଇଥିବା ଅଳିଆ କେବଳ କାଗଜପତ୍ରରେ ଦର୍ଶାଯାଇଛି। ଏ ବାବଦରେ ହୋଇଥିବା ଖର୍ଚ୍ଚ ୧୧ କୋଟି ୩୦ ଲକ୍ଷ ୪୪ ହଜାର ୩୬୨ ଟଙ୍କା ହଡ଼ପ ହୋଇଛି। ଏହି ଅର୍ଥ ୧୨ ଜଣ ଅଧିକାରୀଙ୍କ ଠାରୁ ଆଦାୟ କରିବା ପାଇଁ ଅଡିଟ୍‌(୨୦୧୬-୧୭) ସୁପାରିସ କରିଥିଲେ। ଅଡିଟ୍‌ ସୁପାରିସ ଆଧାରରେ ତତ୍‌କାଳୀନ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୂରୀ ଏହି ୧୨ ଅଧିକାରୀଙ୍କୁ ନୋଟିସ୍‌ କରିଥିଲେ। କିନ୍ତୁ ବର୍ଷ ବର୍ଷ ଧରି ଏହି ଅର୍ଥ ଆଦାୟ ନ ହେବାରୁ ମାମଲା ଲୋକାୟୁକ୍ତ ଯାଇଥିଲା। ଗତକାଲି ଲୋକାୟୁକ୍ତ ଏହି ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାର ତଦନ୍ତ କରି ୩ ମାସ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଡିଆଇଜିଙ୍କୁ ଆଦେଶ ହୋଇଛି। ମାର୍ଚ୍ଚ ୨୮ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ରହିଛି। ବିଏମ୍‌ସିରେ ହୋଇଥିବା ଦୁର୍ନୀତିର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବା ଏହା ହେଉଛି ଦୁଇ ମାସ ମଧ୍ୟରେ ଦ୍ଵିତୀୟ ଘଟଣା। ପୂର୍ବରୁ ବିଏମ୍‌ସି ଇଞ୍ଜିନୟରିଂ ଉପବିଭାଗରେ ୫୪କୋଟି ଟଙ୍କା ଖର୍ଚ୍ଚ ସମ୍ବଳିତ ୧୪୦ଟି ଫାଇଲ୍‌ ଗାୟବ ଘଟଣାରେ ଲୋକାୟୁକ୍ତଙ୍କ ଆଦେଶ ବଳରେ ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଛି। ଫେବ୍ରୁଆରି ୨୭ ତାରିଖରେ ସେହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି। କ୍ରାଇମ୍‌ବ୍ରାଞ୍ଚ ବିଏମ୍‌ସିରେ ପଶି ତନାଘନା କରୁଥିବା ବେଳେ ପୁଣି ଏକ ତଦନ୍ତ ନିର୍ଦ୍ଦେଶ ବିଏମ୍‌ସିରେ ଅଧିକାରୀମାନଙ୍କୁ ଅଡ଼ୁଆରେ ପକାଇଛି।
ସୂଚନାଯୋଗ୍ୟ, ବିଏମ୍‌ସି ସହରର ବିଭିନ୍ନ ଜାଗାରୁ ଠିକା ସଂସ୍ଥାଙ୍କ ଜରିଆରେ ଆବର୍ଜନା ଉଠାଇ ସୈନିକ ସ୍କୁଲ ପଛରେ ଥିବା ଅସ୍ଥାୟୀ ଅଳିଆ ଗଦା(ଟିଟିଏସ୍‌)ରେ ମହଜୁଦ୍‌ ରଖିଥାଏ। ସେଠାରୁ ଆବର୍ଜନାକୁ ବଡ଼ ବଡ଼ ଟ୍ରକ୍‌ ଜରିଆରେ ଉଠାଇ ଭୁଆସୁଣି ଡମ୍ପିଂୟାର୍ଡକୁ ନିଏ। ଟିଟିଏସ୍‌ରେ ଯେତିକି ଓଜନର ଆବର୍ଜନା ଜମା ହୁଏ, ଡମ୍ପିଂୟାର୍ଡକୁ ସେତିକି ଓଜନର ଆବର୍ଜନା ଯିବା କଥା। କିନ୍ତୁ ୨୦୧୧ମସିହାରୁ ୨୦୧୬ ମସିହା ମଧ୍ୟରେ ସେତିକି ଯାଇ ନଥିଲା। ଏହି ଅବଧି ମଧ୍ୟରେ ଟିଟିଏସ୍‌କୁ ୨୬ ଲକ୍ଷ ୮୮ହଜାର ୫୩୧ କ୍ୟୁବିକ୍‌ ମିଟର ଆବର୍ଜନା ଆସିଥିବା ବେଳେ ଭୁଆସୁଣିକୁ ୧୨ଲକ୍ଷ ୭୧ ହଜାର ୯୦୬ କ୍ୟୁବିକ୍‌ ମିଟର ଆବର୍ଜନା ସ୍ଥାନାନ୍ତର କରାଯାଇଥିଲା। ଅର୍ଥାତ୍‌ ୧୪ ଲକ୍ଷ ୧୬ ହଜାର ୬୨୫ କ୍ୟୁବିକ୍‌ ମିଟର ଆବର୍ଜନା ଟିଟିଏସ୍‌କୁ ଆସି ଥିବା କାଗଜପତ୍ରରେ ଦର୍ଶାଯାଇଥିଲା। ଏହି ଓଜନର ଆବର୍ଜନା ଉଠାଇବା ବାବଦକୁ ବିଏମ୍‌ସି ୧୧କୋଟି ୩୦ ଲକ୍ଷ ୪୪ ହଜାର ୩୬୨ ଟଙ୍କା ଖର୍ଚ୍ଚ କରିଥିବା ଦେଖାଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷର ଅଡିଟ୍‌ରେ ଏହା ଧରାପଡ଼ିଥିଲା।
ଅର୍ଥ ହେରଫେର୍‌ ହୋଇଥିବା ଦର୍ଶାଇ ଦାଇତ୍ୱରେ ଥିବା ସିଟି ହେଲଥ ଅଫିସର୍‌ ସମେତ ୧୧ଜଣ ସାନିଟାରି ଇନ୍‌ସ୍‌ପେକ୍ଟରଙ୍କଠାରୁ ଏହି ଅର୍ଥ ଆଦାୟ କରିବାକୁ ଅଡିଟ୍‌ ସୁପାରିସ କରିଥିଲେ। ହେଲେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ମାମଲା ଲୋକାୟୁକ୍ତ‌ରେ ପହଞ୍ଚିଥିଲା। ତତ୍କାଳୀନ ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଏନେଇ ଲୋକାୟୁକ୍ତ ନୋଟିସ୍‌ କରିଥିଲେ। ଏହି ଅର୍ଥ ୧୨ଜଣଙ୍କଠାରୁ ଆଦାୟ କରିବା ପାଇଁ କମିସନର ଶ୍ରୀ ଚୌଧୁରୀ ୨୦୨୦ ମସିହା ଜାନୁଆରି ୨୦ ତାରିଖରେ ତତ୍‌କାଳୀନ ସିଟି ହେଲଥ ଅଫିସର ଚନ୍ଦ୍ରିକା ପ୍ରସାଦ ଦାସଙ୍କ ସମେତ ୧୧ ଜଣ ସାନିଟାରି ଇନ୍‌ସ୍‌ପେକ୍ଟର କାର୍ତ୍ତିକ ସେଠୀ, ଶ୍ରୀନିବାସ ସାହୁ, ବୈକୁଣ୍ଠ ସାହୁ, ସଞ୍ଜୟ ମହାପାତ୍ର, କୃଷ୍ଣଚନ୍ଦ୍ର ସାହୁ, ବିଜୟ ତ୍ରିପାଠୀ, ବିଜୟ ମହାପାତ୍ର, ନିକୁଞ୍ଜ କୁମାର ରାୟ, ଉମାକାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ଦାସ ଓ ଲକ୍ଷ୍ମଣ ମହାପାତ୍ରଙ୍କୁ ନୋଟିସ୍‌ କରିଥିଲେ। ମୁଣ୍ଡପିଛା ୮୬ ଲକ୍ଷ ୯୫ ହଜାର ୭୫୬ ଟଙ୍କା ଲେଖାଏଁ ରିକଭରି ଆଦେଶ ହୋଇଥିଲା।
ସଞ୍ଜୟ ମହାପାତ୍ର ଦୁଇଟି ୱାର୍ଡ ଦାୟିତ୍ୱରେ ଥିବାରୁ ତାଙ୍କ ଠାରୁ ୧ କୋଟି ୭୩ ଲକ୍ଷ ୯୧ ହଜାର ୫୧୨ ଟଙ୍କା ଆଦାୟ ପାଇଁ ଆଦେଶ ହୋଇଥିଲା। କିନ୍ତୁ ଏହି ଅର୍ଥ ଆଦାୟ ହୋଇନଥିଲା। ବରଂ ତତ୍‌କାଳୀନ ସିଟି ହେଲ୍ଥ ଅଫିସର୍‌ ଶ୍ରୀ ଦାସ କମିସନରଙ୍କୁ ଉତ୍ତର ଲେଖିଥିଲେ ଯେ ବଳକା ଆବର୍ଜନା ଯାହା ଉପରେ ଅଡିଟ୍‌ ପ୍ରଶ୍ନ ଉଠାଇଛନ୍ତି, ସେ ସବୁ ଟିଟିଏସ୍‌କୁ ଯାଇଛି। କିନ୍ତୁ ଟିଟିଏସ୍‌ ଖାଲ ଥିବାରୁ ସେଠାରେ ସେ ସବୁ ପୋତି ହୋଇଯାଇଛି। ଏହି ଉତ୍ତରକୁ ନେଇ ସେତେବେଳେ ଲୋକାୟୁକ୍ତ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଶେଷରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଦେଶ ଦେଇଛନ୍ତି। ତେବେ କେବଳ ଏହି ୧୨ ଜଣ ଅଧିକାରୀ ନୁହନ୍ତି, ବରଂ ଏହି ହେରଫେରରେ ଅନ୍ୟ କେତେକ ଅଧିକାରୀ ପରୋକ୍ଷରେ ସାମିଲ ଥିବାରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆଦେଶ ପରେ ସେମାନେ ଛାନିଆଁ ହୋଇଛନ୍ତି।

Share Now:

Kalinga News Beuro

Next Post

ସମ୍ମାନ ରକ୍ଷା ପାଇଁ ଡାକ୍ତରୀ ପଢ଼ୁଆ ଝିଅକୁ ମାରି ପୋଡିଦେଲେ ବାପା-ଭାଇ

Fri Jan 27 , 2023
ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସମ୍ମାନ ରକ୍ଷା ପାଇଁ ନିଜ ଝିଅକୁ ପରିବାର ଜନ୍ମକଲା ବାପା ଓ ଭାଇ ହତ୍ୟା କରିଛନ୍ତି। ପୁଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶୁକ୍ରବାର ଦିନ ମୁମ୍ବାଇଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଥିବା ଲିମ୍ବଗାଓଁ ପୁଲିସ ଷ୍ଟେସନ ଅନ୍ତର୍ଗତ ପିମ୍ପ୍ରି ମହିପାଲ ଗ୍ରାମରେ ଜାନୁଆରୀ ୨୨ରେ ଜଣେ ଯୁବତୀଙ୍କୁ […]
ସମ୍ମାନ ରକ୍ଷା ପାଇଁ ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial