ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍-୨୦୨୩ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ରୋମାଞ୍ଚକର ହୋଇଛି। ଉଭୟ ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜର୍ମାନି ଶେଷ ୨ ମିନିଟରେ ଓଲଟାପାଲଟା କରି କଙ୍ଗାରୁ ଦଳକୁ ପରାସ୍ତ କରିଛି। ଜର୍ମାନି ଦଳ ୪-୩ ଗୋଲ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସେମିଫାଇନାଲରେ ବିଜୟୀ ହେଲା ପରେ ଜର୍ମାନି ଏବେ ଫାଇନାଲକୁ ଉନ୍ନୀତ ହୋଇଛି। ଜର୍ମାନି ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ୍ ଖେଳିବ। ବେଲଜିୟମ୍ ଓ ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ର ବିଜେତା ଟିମ୍କୁ ଭେଟିବ। ଫାଇନାଲ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।
ମ୍ୟାଚ୍ ଆରମ୍ଭ ହେବା ଠାରୁ ହାଫ୍ ଟାଇମ୍ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ୨ଟି କ୍ୱାର୍ଟରରେ ଅଷ୍ଟ୍ରେଲିଆ ୨ଟି ଗୋଲ୍ (୧୧ ଓ ୨୬ ମିନିଟ୍) ଦେଇଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ଗୋଟିଏ ଗୋଲ୍ ଦେଇଥିଲା। କିନ୍ତୁ ଜର୍ମାନି ୩ୟ କ୍ୱାର୍ଟର ବେଳକୁ ଫର୍ମକୁ ଫେରିସାରିଥିଲା। ୩ୟ କ୍ୱାର୍ଟରରେ ଜର୍ମାନି ଗୋଟିଏ ଗୋଲ୍ ଦେଇଥିବା ବେଳେ ଶେଷ କ୍ୱାର୍ଟରରେ ୩ଟି ଗୋଲ୍ ମାରିଥିଲା। ଗୋଞ୍ଜାଲୋ ପେଇଲାଟ୍ ସର୍ବାଧିକ ୩ଟି ପେନାଲ୍ଟି ଗୋଲ୍ ଦେଇଥିଲେ। ସେ ୪୨, ୫୧ ଓ ୫୮ ମିନିଟ୍ରେ ଗୋଲ୍ ଦେଇଥିଲେ। ତେବେ ମ୍ୟାଚ୍ ୩-୩ ଗୋଲ୍ରେ ସମାନ ସ୍ତରରେ ଥିବା ବେଳେ ୫୯ ମିନିଟ୍ରେ ନିକଲାସ୍ ୱେଲେନ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ଜର୍ମାନିକୁ ବିଜୟ ମୁକୁଟ ପିନ୍ଧାଇଥିଲେ।
ପୁରୁଷ ହକି ବିଶ୍ୱକପ୍: ଅଷ୍ଟ୍ରେଲିଆକୁ ୪-୩ ଗୋଲ୍ରେ ହରାଇ ଫାଇନାଲ୍ରେ ଜର୍ମାନୀ

Share Now: