ରାଜଧାନୀରେ ବସ୍‌ଷ୍ଟାଣ୍ଡ ଶୌଚାଳୟର ଶୋଚନୀୟ ସ୍ଥିତି : ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀ ହନ୍ତସନ୍ତ

ବସ୍‌ଷ୍ଟାଣ୍ଡ ଶୌଚାଳୟର ଶୋଚନୀୟ ସ୍ଥିତି

ଭୁବନେଶ୍ୱର: ଉତ୍ତମ ସେବା ପାଇଁ ରାଜଧାନୀରେ ପ୍ରଶଂସିତ ହେଉଛି ମୋ’ ବସ୍‌ ବ୍ୟବସ୍ଥା। ସରକାର ମଧ୍ୟ ବିଭିନ୍ନ ସମୟରେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଉଛନ୍ତି। କିନ୍ତୁ ରାଜଧାନୀର ପ୍ରମୁଖ ମୋ’ ବସ୍‌ ରହଣି ଛକରେ ଥିବା ଶୌଚାଳୟ ଅବସ୍ଥା ବଡ଼ ଦୟନୀୟ ହୋଇରହିଛି। ଶୌଚାଳୟଗୁଡ଼ିକର କଦର୍ଯ୍ୟ ଅବସ୍ଥା ଯୋଗୁଁ ସେସବୁ ବ୍ୟବହାର ଉପଯୋଗୀ ହୋଇପାରୁନଥିବା‌ ଅଭିଯୋଗ ହେଉଛି। କେତେକ ବସ୍‌ଷ୍ଟାଣ୍ଡରେ ଆଦୌ ଶୌଚାଳୟ ନାହିଁ। ଫଳରେ ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳୁଛି। ମୋ’ ବସ୍‌ ସେବା ଭଲ ହେଲେ ବି ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ‌ମୌଳିକ ସୁବିଧାକୁ ନେଇ ଏବେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଉଦାହରଣ ଭାବେ ରାଜଧାନୀର ଅନ୍ୟତମ ପ୍ରମୁଖ ବସ୍‌ ରହଣିସ୍ଥଳ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଉପରେ ନଜର ପକାଇଲେ, ଏହି ସମସ୍ୟା ଜଳଜଳ ହୋଇ ଦେଖାଯାଏ। ପ୍ରତିଦିନ ଏହି ବସ୍‌ଷ୍ଟାଣ୍ଡ ଦେଇ ବହୁ ମୋ’ ବସ୍ ଯାତାୟାତ କରୁଛି। ମୋ’ ବସ୍‌ ସହ ବହୁ ଘରୋଇ ବସ୍‌ ମଧ୍ୟ ଏହି ଷ୍ଟାଣ୍ଡ ଦେଇ ଚଳପ୍ରଚଳ ହେଉଛି। ବିଶେଷକରି ଟ୍ରେନ୍‌ ଯାତ୍ରୀମାନେ ଭୁବନେଶ୍ବର ରେଳ ଷ୍ଟେସନକୁ ଆସିବା‌ ଓ ସେଠାରୁ ଫେରିବା ପାଇଁ ଏହି ବସ୍‌ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି। ମାତ୍ର ଏଠାରେ ଶୌଚାଳୟ ନାହିଁ। ତେଣୁ ଲୋକେ ଏଠାରେ ବାହାରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧମୟ ହୋଇପଡୁଛି। ବସ୍‌ଷ୍ଟାଣ୍ଡରେ ପଶିବାକୁ ହେଲେ ନାକରେ ରୁମାଲ୍‌ ବାନ୍ଧିବାକୁ ପଡ଼ୁଛି। ସେହିଭଳି ଏଠାରେ ସବୁଆଡ଼େ ପାହାଡ଼ ଭଳି ଆବର୍ଜନା ଗଦା ହୋଇରହିଛି।
ମୋ’ ବସ୍‌ର କର୍ମଚାରୀମାନଙ୍କ କହିବା କଥା ଶୌଚାଳୟ ନଥିବାରୁ ସେମାନେ ମଧ୍ୟ ବହୁ ସମସ୍ୟାର ସମୁଖୀନ ହେଉଛନ୍ତି। ଏନେଇ କ୍ରୁଟ୍‌ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ରଙ୍କ କହିବା ଅନୁଯାୟୀ ଶୌଚାଳୟ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଆଉ ପ୍ରାୟ ଏକ ମାସ ମଧ୍ୟରେ ନିର୍ମାଣ ସରିଯିବ ବୋଲି ସେ କହିଛନ୍ତି। ସେହିଭଳି ଖଣ୍ଡଗିରିସ୍ଥିତ ଟୁରିଷ୍ଟ ବସ୍‌ଷ୍ଟାଣ୍ଡରେ ଥିବା ୫ଟି ଭ୍ରାମ୍ୟମାଣ ଶୌଚାଳୟ ଦୟନୀୟ ଅବସ୍ଥାରେ ପଡ଼ିଛି। ସେଗୁଡ଼ିକର କବାଟ ଭାଙ୍ଗି ନଷ୍ଟ ହୋଇଯାଇଛି। କେଉଁଠି ଛାତ ଭାଙ୍ଗିଯାଇଛି ତ କେଉଁଠି ଭିତରେ ଗଛ ଉଠିଗଲାଣି। ବଡ଼ ସମସ୍ୟା ହେଉଛି ଏଠାରେ ଶୌଚାଳୟକୁ ପାଣି ମଧ୍ୟ ଆସୁନାହିଁ। ଇ-ଟଏଲେଟ୍‌ ବ୍ୟବସ୍ଥା ଥିଲେ ମଧ୍ୟ ବହୁ ସମୟରେ କାର୍ଯ୍ୟକ୍ଷମ ହେଉନାହିଁ। ଏହି ଅଞ୍ଚଳରେ ବାରମ୍ୱାର ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ଇ-ଟଏଲେଟ୍‌ ବ୍ୟବସ୍ଥା ବହୁ ସମୟର କାମ କରୁନାହିଁ। ଦିନ ଦିନ ଧରି ଆବର୍ଜନା ଗଦା ହୋଇ ରହୁଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ସଫେଇ କରାଯାଉନଥିବା ଅଭିଯୋଗ ହେଉଛି। ଏନେଇ କର୍ପୋରେଟର ସଂଯୁକ୍ତା ସୁନ୍ଦରରାୟଙ୍କ କହିବା କଥା ଏଏସ୍‌ଆଇ ପକ୍ଷରୁ ବସ୍‌ଷ୍ଟାଣ୍ଡରେ ଏକ ଟଏଲେଟ୍‌ ବ୍ୟବସ୍ଥା ହୋଇଛି। ତେବେ ଭ୍ରାମ୍ୟମାଣ ଟଏଲେଟ୍‌ଗୁଡ଼ିକର ଅବସ୍ଥା ବାବଦରେ ସେ ଖୁବ୍‌ ଶୀଘ୍ର ତଦାରଖ କରି ଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ସେହିଭଳି ବିଏମ୍‌ସି ଜେଡ୍‌ଡିସି ରବିନାରାୟଣ ଜେଠୀଙ୍କ କହିବା କଥା ଏନେଇ ଏଠାରେ ଶୌଚାଳୟ ନିର୍ମାଣ କରାଯିବାକୁ ଯୋଜନା କରାଯାଉଛି। କେବଳ ଏହି ଦୁଇ ବସ୍‌ଷ୍ଟପ୍‌ ନୁହେଁ, ବରମୁଣ୍ଡାରେ ବି ସ୍ଥିତି ଆହୁରି ଶୋଚନୀୟ। ପୁରୁଣା ବସ୍‌ଷ୍ଟାଣ୍ଡରେ ଟଏଲେଟ୍‌ ନଥିବାରୁ ଯାତ୍ରୀମାନେ ଏଠିସେଠି ପରିସ୍ରା କରୁଛନ୍ତି। ଲୋକେ ବସ୍‌ଷ୍ଟାଣ୍ଡ ପରିସରରେ ପରିସ୍ରା କରୁଥିବାରୁ ସବୁଆଡ଼େ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଠାରେ ମହିଳା ଓ ଭିନ୍ନକ୍ଷମ ଯାତ୍ରୀମାନେ ବେଶି ଅସୁବିଧାର ସମୁଖୀନ ହେଉଛନ୍ତି। ଏଠାରେ ଥିବା ଏକ ଭ୍ରାମ୍ୟମାଣ ଟଏଲେଟ୍‌ ଦୀର୍ଘ ଦିନ ଧରି ଅଚଳ ହୋଇପଡ଼ିଛି।

Share Now:

Kalinga News Beuro

Next Post

ନବ ଦାସ ମୃତ୍ୟୁ ମାମଲା : ଅଧିକ ତଥ୍ୟ ପାଇଁ ସମୟ ଲାଗିବ-ପୁଲିସ ଡିଜି

Fri Feb 3 , 2023
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ କିଛି ତଥ୍ୟ ହସ୍ତଗତ ହୋଇଛି। ଆହୁରି କିଛି ତଥ୍ୟ ଆସିବାକୁ ସମୟ ଲାଗିବ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏହା କହିଛନ୍ତି। ପୁଲିସ ଡିଜି ଶୁକ୍ରବାର କହିଛନ୍ତି, ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ବର୍ତ୍ତମାନ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ନିଜେ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ସିବିଆଇରେ କାମ କରିବାରେ […]
ପୁଲିସ ଡିଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial