ମୁମ୍ବାଇ: ସଙ୍ଗୀତ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ପଦ୍ମଭୂଷଣ ପୁରସ୍କାର ପାଇଥିବା ଲୋକପ୍ରିୟ ଗାୟିକା ବାଣୀ ଜୟରାମଙ୍କ ଦେହାନ୍ତ ହୋଇଛି। ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ପରଲୋକ ହୋଇଥିବା ଖବର ମିଳିଛି। ହଠାତ ତାଙ୍କ ଦେହାନ୍ତ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଦେଶର ସଂଗୀତ ଦୁନିଆରେ ଶୋକର ଲହରୀ ଖେଳିଯାଇଛି। ମୃତ୍ୟୁବେଳକୁ ବାଣୀ ଜୟରାମଙ୍କୁ ୭୮ବର୍ଷ ବୟସ ହୋଇଥିଲା। ତେବେ ମୃତ୍ୟୁ ଖବର ମିଳିଥିଲେ ବି କେଉଁ କାରଣ ପାଇଁ ତାଙ୍କର ଦେହାନ୍ତ ହେଲା, ତାହା ସାମ୍ନାକୁ ଆସିନାହିଁ। ନିକଟରେ ବାଣୀ ଜୟରାମ ଜଣେ ସଫଳ ଗାୟିକା ଭାବରେ ସଙ୍ଗୀତ ଶିଳ୍ପରେ ୫୦ ବର୍ଷ ପୂରଣ କରିଥିଲେ। ସେ ନିଜ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ରେକର୍ଡ କରିଥିଲେ। ବାଣୀ ଜୟରାମ ଆର୍ ଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଥିଲେ।
ଜାନୁଆରି ୨୫ରେ, ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିବା ବେଳେ ଗାୟିକ ବାଣୀ ଜୟରାମଙ୍କୁ ପଦ୍ମ ଭୂଷଣ ଦେବା ଲାଗି ଘୋଷଣା କରାଯାଇଥିଲା। ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା ମଧ୍ୟ କୁହାଯାଉଥିଲା। ସେ ସଙ୍ଗୀତ ଜଗତକୁ ନୂତନ ଉଚ୍ଚତାକୁ ନେଇଥିଲେ। ବାଣୀ ଜୟରାମ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡିଆରେ ଅନେକ ଗୀତ ଗାଇଥିଲେ। ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ ଏବଂ ଓଡିଶାରୁ ତାଙ୍କୁ ରାଜ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ସେ ଧୀରେ ଧୀରେ ଶାମ ହୁଇ, ମେଁ ହୁଁ ମଞ୍ଜିଲ, ମେରା ମନ ହେ ତେରା ଶିରିଡି, ତୁ ଔର ମେଁ, ଏରି ମେଁ ତୋର ପ୍ରେମ ଦିୱାନୀ ଭଳି ଅନେକ ଲୋକପ୍ରିୟ ଗୀତରେ ସେ କଣ୍ଠଦାନ କରିଥିଲେ।
ଚାଲିଗଲେ ଭାରତୀୟ ସଂଗୀତର ମୀରା କୋକିଳକଣ୍ଠୀ ବାଣୀ ଜୟରାମ୍

Share Now: