ଭୁବନେଶ୍ୱର: ଯେଉଁଠି ଶିକ୍ଷା ଗ୍ରହଣ କରି ପିଲାମାନେ ଭବିଷ୍ୟତ ଗଢ଼ନ୍ତି, ଆଜି ତାହା ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟିଛି। ସଞ୍ଜ ନଇଁଲେ ଅସାମାଜିକ ଯୁବକମାନେ ନିଶା ସେବନ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଟି ଜମାଉଛନ୍ତି। ଫଳରେ ସମ୍ଭ୍ରାନ୍ତ କଲୋନିର ଝିଅ ବୋହୂମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏ ହେଉଛି ବିଏମ୍ସିର ୪୩ ନମ୍ବର ୱାର୍ଡ ଅନ୍ତର୍ଗତ ବଡ଼ଗଡ଼ସ୍ଥିତ ଶବର ସାହି ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ। ଏନେଇ ସ୍ଥାନୀୟବାସିନ୍ଦା ନିକଟସ୍ଥ ଥାନାକୁ ଅବଗତ କରାଇଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଅନେକ ସମୟରେ ନିଶାଡ଼ିମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟିତୁଣ୍ଡ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଯାହା ପିଲାମାନଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି ଅଭିଭାବକମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି।
ସୂଚନା ଅନୁସାରେ, ୧୯୫୯ ମସିହାରେ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା। ବଡ଼ଗଡ଼, ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ୱର, କଳ୍ପନା ଆଦି ଅଞ୍ଚଳରୁ ଶତାଧିକ ସଂଖ୍ୟାରେ ପିଲା ଏଠି ପାଠ ପଢ଼ୁଥିଲେ। ଏଇ ସ୍କୁଲରୁ ପାଠ ପଢ଼ିଥିବା ପିଲା ଏବେ ଡାକ୍ତର, ଇଞ୍ଜିନିୟର ଓ ବରିଷ୍ଠ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଦୀର୍ଘ ୪ବର୍ଷ ହେଲା ସ୍କୁଲ୍ରେ ତାଲା ଝୁଲୁଛି। ଫଳରେ ଏହି ପରିତ୍ୟକ୍ତ ସ୍କୁଲକୁ ଏବେ ନିଶାଡ଼ିମାନେ ନିଜ କବ୍ଜାକୁ ନେଇଯାଇଛନ୍ତି। ସନ୍ଧ୍ୟାରେ କିଛି ଅସାମାଜିକ ଯୁବକ ସେଠାରେ ପହଞ୍ଚି ଯାଉଛନ୍ତି। ସେମାନେ ମଦ, ଗଞ୍ଜେଇ, ବ୍ରାଉନସୁଗାର ଭଳି ନିଶା ସେବନ କରୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଚାରି ବର୍ଷ ତଳେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ପିଲା ବିଦ୍ୟାଳୟ ପରିସରରେ ଥିବା ପଣସ ଗଛରେ ଚଢ଼ିଥିଲା। କୌଣସି କାରଣରୁ ଗଛରୁ ପଡ଼ିଯାଇ ପିଲାଟି ମୃତ୍ୟୁବରଣ କଲା। ସେହି ଦିନଠାରୁ ସେହି ସ୍କୁଲରେ ଭୂତ ବାସ କରୁଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହୋଇଗଲା। ଭୂତ ସେଇ ପିଲାକୁ ଗଛରୁ ପେଲି ମାରି ଦେଇଥିବା ଭଳି ଗୁଜବ ସୃଷ୍ଟି ହେଲା। ଏହାକୁ ଖଣ୍ଡନ କରିବା ପାଇଁ ସ୍କୁଲ ପରିସରରେ କ୍ୟାମେରା ମଧ୍ୟ ଲାଗିଲା। ଏଠାରେ କୌଣସି ଭୂତ ନଥିବା ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ବୁଝାଇଥିଲେ। ହେଲେ ଅଭିଭାବକମାନେ ପିଲାମାନଙ୍କୁ ସେ ସ୍କୁଲକୁ ଛାଡ଼ି ନଥିଲେ। ଯେଉଁଠି ଦିନେ ଶହ ଶହ ପିଲା ପାଠ ପଢ଼ୁଥିଲେ। ସେଠି ହାତଗଣତି ଦଶ ବାର ଜଣ ପିଲା ପଢ଼ିଲେ। ଫଳରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପିଲାଙ୍କୁ କଳ୍ପନାସ୍ଥିତ ଫ୍ଲାଟ୍ ସ୍କୁଲ୍କୁ ସ୍ଥାନାନ୍ତର କରି ଦିଆଗଲା। ବନ୍ଦ ରହିବାରୁ ଏବେ ସ୍କୁଲ ପରିସର ଭାଙ୍ଗିରୁଜି ଭୂତକୋଠିରେ ପରିଣତ ହୋଇଗଲାଣି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶବର ସାହି ପିଲାମାନେ ସେହି ସ୍କୁଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ଏବେ ସ୍କୁଲ ବନ୍ଦ ହୋଇଯିବାରୁ ସେମାନଙ୍କ ପିଲା ପଢ଼ିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ସେମାନେ ପୁଣିଥରେ ସ୍କୁଲ ଖୋଲିବା ପାଇଁ ଦାବି କରୁଛନ୍ତି। କିନ୍ତୁ ଏଠାରେ ବିଏମ୍ସି ପକ୍ଷରୁ ଏକ ସରକାରୀ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଚାଲିଛି। ଯାହାକୁ ସ୍ଥାନୀୟ ବାସିନ୍ଦା ଗ୍ରହଣ କରିପାରୁନାହାନ୍ତି।
ନିଶାଡ଼ିଙ୍କ କବ୍ଜାରେ ସ୍କୁଲକୋଠା : ଭୂତ ଗୁଜବରେ ୬୩ବର୍ଷର ସ୍କୁଲରେ ତାଲା

Share Now: