ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ : ୪ମୃତ, ୧୪ଆହତ

ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ

ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ ନେଲା ୪ଜୀବନ। ରବିବାର ଦିନ ବାଲୋଚିସ୍ତାନର ବରଖାନର ଏକ ବଜାର ଭିତରେ ବିସ୍ଫୋରଣ ହେବାରୁ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ବରଖାନ ଡେପୁଟି କମିଶନର ଅବଦୁଲ୍ଲା ଖୋସୋ କହିଛନ୍ତି ଯେ ରାଖନୀ ବଜାର ଅଞ୍ଚଳରେ ଏକ ମୋଟରସାଇକେଲରେ ଲଗାଯାଇଥିବା ଆଇଡି ବିସ୍ଫୋରଣ ହେବାରୁ ବଜାରରେ ନିଆଁ ଲାଗିଥିଲା।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆହତମାନଙ୍କୁ ରାଖନୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା।
ଏହି ଘଟଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବାଲୋଚିସ୍ତାନ ମୁଖ୍ୟମନ୍ତ୍ରୀ ଅବଦୁଲ କୁଡୁସ ବିଜେଞ୍ଜୋ ଏବଂ ପୁଲିସର ଇନ୍ସପେକ୍ଟର ଜେନେରାଲଙ୍କୁ ଏହି ଘଟଣାର ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷର ବାଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ମୀର ଅବଦୁଲ କୁଡୁସ ବିଜେଞ୍ଜୋ ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି ଏବଂ ଅପରାଧୀଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, “ଯେଉଁମାନେ ନିରୀହ ଲୋକଙ୍କ ରକ୍ତ ବୁହାଉଛନ୍ତି, ସେମାନେ ମାନବିକତାର ଶତ୍ରୁ। ଆତଙ୍କବାଦୀମାନେ ସେମାନଙ୍କର ମନ୍ଦ ଲକ୍ଷ୍ୟ ହାସଲ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି। କିନ୍ତୁ ଆମେ ଆତଙ୍କବାଦୀଙ୍କୁ ସଫଳ ହେବାକୁ ଦେବୁ ନାହିଁ।” ଏହା କହିବା ସହ ଆହତ ଲୋକଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ବିଜେଞ୍ଜୋ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାକିସ୍ତାନ‌ରେ ବିସ୍ଫୋରଣ କରିବା ସହ ପୁଲୱାମାରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ୍‌ ସୁରକ୍ଷାକର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଆଜି ସକାଳେ ଅଚନ ଅଞ୍ଚଳର ବାସିନ୍ଦା ସଞ୍ଜୟ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ଥିଲେ। ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share Now:

Kalinga News Beuro

Next Post

ସହରିଆଙ୍କ ପ୍ରଥମ ପସନ୍ଦ ଆଦିବାସୀ ମେଳାର ଜଙ୍ଗଲଜାତ ଦ୍ରବ୍ୟ

Sun Feb 26 , 2023
ଭୁବନେଶ୍ୱର: ପିଣ୍ଡିମାନଙ୍କରେ ଶୋଭା ପାଉଛି ସୋରିଷ, ହଳଦୀ, ଅଦା, କାନ୍ଦୁଲ, ମହୁ, ଝୁଣା, ରାଶି, ପେଶି, ପାଳୁଅ ଆଦି ବନଜାତ ଦ୍ରବ୍ୟର ବିଶାଳ ପସରା। ବଣ୍ଡା, ଜୁଆଙ୍ଗ, ଭୁଞ୍ଜିଆ, ପରଜା, ସାନ୍ତାଳ ଓ କନ୍ଧଙ୍କ ପାରମ୍ପରିକ କୁଡ଼ିଆ, ଠାକୁର ଘର, ଅସ୍ତ୍ରଶସ୍ତ୍ର ଓ କୃଷି ଉପକରଣ ପ୍ରଦର୍ଶିତ ହେଉଛି। ଫୁଲ ବଡ଼ି ହେଉ ବା କଖାରୁ ବଡ଼ି ପୁଣି ଫୁଲଝାଡ଼ୁଠାରୁ ସବାଇ ଘାସ ପ୍ରସ୍ତୁତ ସପ, ଆସନ ଓ ଘରସଜ୍ଜା […]
ସହରିଆଙ୍କୁ ଟାଣୁଛି ଜଙ୍ଗଲଜାତ ଦ୍ରବ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial