ପାରାଭାଡ଼ି ବୌଦ୍ଧସ୍ତୂପରୁ ବୁଦ୍ଧବିଗ୍ରହ ଆବିଷ୍କୃତ : ଶୁଖୁଆପଡ଼ା ପାହାଡ଼ ଶୀର୍ଷରେ ରହିଛି ପ୍ରାଚୀନ ବୌଦ୍ଧସ୍ତୂପ

ପାରାଭାଡ଼ି ବୌଦ୍ଧସ୍ତୂପରୁ ବୁଦ୍ଧବିଗ୍ରହ ଆବିଷ୍କୃତ

ଚଣ୍ଡିଖୋଲ : ଲଳିତଗିରି-ରତ୍ନଗିରି-ଉଦୟଗିରି ହୀରକ ତ୍ରିଭୁଜ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ର ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ମାଟିପାତ୍ରରେ ଥିବା ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପୁରୀ ସର୍କଲ ଅଧୀନରେ ଏହି ବିଧିବଦ୍ଧ ଖନନ ଫେବୃଆରୀ ୧୪ ତାରିଖରୁ ଆରମ୍ଭ ହୋଇଛି। ଖନନ ସମୟରେ ଖଣ୍ଡୋଲାଇଟ ପଥରରେ ଗଢ଼ା ହୋଇଥିବା ସାଢ଼େ ୪ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ ବୌଦ୍ଧସ୍ତୂପର ଭଗ୍ନ ରୂପରେଖ ଲୋକଲୋଚନକୁ ଆସିଛି। ସ୍ତୂପର ନିମ୍ନଭାଗ ବର୍ଗାକାର ପ୍ରାୟ ୧୮ ମିଟର ରହିଛି। ଉପରିଭାଗ ବୃତ୍ତାକାର ଥିବାବେଳେ ଏହା ସମୁଦ୍ର ପତ୍ତନଠାରୁ ୧୩୭ ମିଟର ଉଚ୍ଚରେ ରହିଛି। ଖଣ୍ଡୋଲାଇଟ ପଥରର ଆକାର ୨ ଫୁଟରେ ୨ ଫୁଟ ଏବଂ ୩ ଫୁଟରେ ୨ ଫୁଟ ରହିଛି।
ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ୧୩୦୦ ବର୍ଷ ତଳର ଏହି ପୁରାତାତ୍ତ୍ୱିକ ବୋଦ୍ଧକୀର୍ତ୍ତିରାଜି ଆବିଷ୍କୃତ ହୋଇଛି ବୋଲି କହିଛନ୍ତି ଖନନ ଦାୟିତ୍ୱରେ ଥିବା ପୁରୀ ସର୍କଲର ପ୍ରତ୍ନତତ୍ତ୍ୱ ଅକ୍ଷୀକ୍ଷକ ଡ. ଦିବିଶଦ ଗଡ଼ନାୟକ। ସ୍ତୂପର ଉତ୍ତର ପଟରୁ ପ୍ଲାଟଫର୍ମର ଗୋଟିଏ ସ୍ତର ଦୃଶ୍ୟମାନ ହୋଇଛି। ଆଉ ଦୁଇ ସପ୍ତାହର ଖନନ ପରେ ପୂର୍ଣ୍ଣାଙ୍ଗ ଚିତ୍ର ଜଣାପଡ଼ିବ। ଉଲ୍ଲେଖଯୋଗ୍ୟ ଯେ ଚଣ୍ଡିଖୋଲରୁ ପାରାଦୀପକୁ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ୧୮ କିମି ଦୂର ଡାହାଣ ପାର୍ଶ୍ୱରେ ଯାଜପୁର ଜିଲ୍ଲାର ପଲାଇ ପଞ୍ଚାୟତରେ ରହିଛି ପାରାଭାଡ଼ି ବୌଦ୍ଧସ୍ତୂପ। ବର୍ତ୍ତମାନ ଖନନ କାର୍ଯ୍ୟରେ ପ୍ରାୟ ୩୦ ଜଣ କୁଶଳୀ ଓ ଅଣକୁଶଳୀ ଶ୍ରମିକ ନିୟୋଜିତ ଅଛନ୍ତି। ସକାଳ ସାଢ଼େ ୬ଟାରୁ ଏହି ଖନନ କାର୍ଯ୍ୟ କରାଯାଉଛି।

Share Now:

Kalinga News Beuro

Next Post

ବହୁତଳ କାର୍‌ ପାର୍କିଂ : ଠିକା ସଂସ୍ଥାକୁ ୩୦ଲକ୍ଷ ଛାଡ଼ି ଦେବାକୁ ଚକ୍ରାନ୍ତ

Tue Feb 28 , 2023
ଭୁବନେଶ୍ୱର: ବହୁତଳ କାର୍‌ ପାର୍କିଂରେ ବେପାର ହେଉନି। ଯେଉଁ ପରିମାଣରେ ପାର୍କିଂ ହେବା ଆଶା କରାଯାଉଥିଲା, ସେହି ପରିମାଣରେ ହେଉନାହିଁ। ଏଭଳି କାରଣ ଦେଖାଇ ଦୁଇ ଠିକାସଂସ୍ଥାକୁ ମାସକୁ ୮ଲକ୍ଷରୁ ଅଧିକ ହିସାବରେ ୫ ମାସର ୩୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଦେୟ ଛା‌ଡ଼ି ଦେବାକୁ ଚକ୍ରାନ୍ତ କରିଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)। ବେପାର ହେଉ ନଥିବାରୁ ଧାର୍ଯ୍ୟ ଦେୟ ଛାଡ଼ି ଦେବାକୁ ଉଭୟ ସଂସ୍ଥା ବିଏସ୍‌ସିଏଲ୍‌କୁ […]
ଠିକା ସଂସ୍ଥାକୁ ୩୦ଲକ୍ଷ ଛାଡ଼ି ଦେବାକୁ ଚକ୍ରାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial