ନୂଆଦିଲ୍ଲୀ: ‘ଏଚ୍୩ଏନ୍୨’ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତର ହରିୟାଣା ଏବଂ କର୍ଣ୍ଣାଟକରେ ୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ପ୍ରଥମ ମୃତ୍ୟୁ କର୍ଣ୍ଣାଟକ ଏବଂ ଦ୍ଵିତୀୟ ମୃତ୍ୟୁ ହରିୟାଣାରେ ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ‘ପିଟିଆଇ’ ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ‘ଏଚ୍୩ଏନ୍୨’ ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ଜଣେ ୮୨ ବର୍ଷିୟ ବୃଦ୍ଧ। କର୍ଣ୍ଣାଟକ ଅନ୍ତର୍ଗତ ହସନ୍ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବସ୍ୱାମୀ ଡି.ଏନ୍.ଙ୍କ କହିବା ଅନୁସାରେ, ମାର୍ଚ ୧ ତାରିଖ ଦିନ ହିରେ ଗୌଡ଼ା ନାମକ ଉକ୍ତ ବ୍ୟକ୍ତିଙ୍କର ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ଘଟିଛି। ସେ ‘ଏଚ୍୩ଏନ୍୨’ ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ୬ ତାରିଖ ଦିନ ଜଣାପଡ଼ିଥିଲା।
ଏହାଛଡ଼ା ଗୌଡ଼ା ମଧୁମେହ ଓ ଅସ୍ୱାଭାବିକ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ ସମ୍ପ୍ରତି ୯୦ଟି ‘ଏଚ୍୩ଏନ୍୨’ ମାମଲା ରିପୋର୍ଟ ହୋଇଛି। ଏହାଛଡ଼ା, ‘ଏଚ୍୧ଏନ୍୧’ ଭୂତାଣୁଦ୍ୱାରା ମଧ୍ୟ ୮ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି। ଦୁଇଟିଯାକ ଭୂତାଣୁ ସଂକ୍ରମଣର ଲକ୍ଷଣ କୋଭିଡ୍-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ସହିତ ପ୍ରାୟ ସମାନ। ଗତ ଅଳ୍ପ କେତେ ମାସ ହେବ ଦେଶରେ ‘ଫ୍ଲୁ’ ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଏଥିରୁ ଅଧିକାଂଶ ସଂକ୍ରମଣ ‘ହଂକଂ ଫ୍ଲୁ’ ନାମରେ ସୁପରିଚିତ ‘ଏଚ୍୩ଏନ୍୨’ ଭୂତାଣୁ ସଂକ୍ରମଣଜନିତ ମାମଲା। ଦେଶରେ ଅନ୍ୟାନ୍ୟ ନିମ୍ନଧରଣର ‘ଇନ୍ଫ୍ଲୁଏଞ୍ଜା’ ସଂକ୍ରମଣ ମାଲଲା ଅପେକ୍ଷା ‘ହଂକଂ ଫ୍ଲୁ’ ମାମଲାରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। କିନ୍ତୁ, ହରିୟାନାରେ ଏହି ଭୂତାଣୁ ସଂକ୍ରମଣଜନିତ ଦ୍ଵିତୀୟ ମୃତ୍ୟୁ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ।
ଭାରତରେ ‘ଏଚ୍୩ଏନ୍୨’ ଇନ୍ଫ୍ଲୁଏଞ୍ଜା ଭୂତାଣୁ ଯୋଗୁଁ ୨ଜଣଙ୍କ ମୃତ୍ୟୁ: ରିପୋର୍ଟ

Share Now: