ନବରଙ୍ଗପୁର ଜିଲ୍ଲାରେ ଦଶମ ବୋର୍ଡ ପରୀକ୍ଷାର ପ୍ରଥମ ଦିନରେ ୯୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ

ଡ୍ରପ ଆଉଟର ଅସଲ ଚିତ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପ୍ରାଥମିକ ସ୍ତରରୁ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ଡ୍ରପ ଆଉଟ ରହିଥିବା ବେଳେ ଏବେ ପୁଣି ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଦିନରେ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ। ଗତ ୨୦୨୨ ଦଶମ ବୋର୍ଡ ପରୀକ୍ଷା ରେ ୨୧୫୫ ଜଣ ଛାତ୍ରଛାତ୍ରୀ ଡ୍ରପ ହେବା ପରେ ଡ୍ରପ ହାର ୧୪ ପ୍ରତିଶତ ରହିଥିଲା। ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଗତ ବର୍ଷ ଅପେକ୍ଷା ଚଳିତ ପରୀକ୍ଷାରେ ଡ୍ରପ ହାର ୫୦ ପ୍ରତିଶତ କମିଥିବାରୁ ଜିଲ୍ଲା ଶିକ୍ଷା ବିଭାଗକୁ ସାମାନ୍ୟ ଆଶ୍ଵସ୍ତି ଆଣିଛି। ଚଳିତ ବର୍ଷ ଦଶମ ବୋ‌ର୍ଡ ପରୀକ୍ଷା ପାଇଁ ଜିଲ୍ଲାର ୨୨୮ ଗୋଟି ଘରୋଇ , ସରକାରୀ ଓ ମଙ୍ଗଳ ବିଭାଗର ଉଚ୍ଚ ବିଦ୍ୟାଳୟଗୁଡିକର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ପାଇଁ ୧୫୫୩୩ ଜଣ ଛାତ୍ରଛାତ୍ରୀ ଫର୍ମଫିଲଅପ କରିଥିଲେ। ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରେଗୁଲାର ୧୫୪୦୭ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏସଓଏସସି ୧୨୬ ଜଣ ରହିଛନ୍ତି। ଏବେ ରେଗୁଲାରରୁ ୯୬୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ବେଳେ ମୁକ୍ତ ବିଦ୍ୟାଳୟରୁ ୧୦ ଜଣ ଅନୁପସ୍ଥିତ ରହିଛନ୍ତି। ଏହିପରି ଭାବେ ମୋଟ ୯୭୩ ଜଣ ପରୀକ୍ଷା ଦେବାରୁ ବଞ୍ଚିତ ରହିଛନ୍ତି। ସେହିଭଳି ଭାବେ ଦଶମ ଏସଏ-୧ ପରୀକ୍ଷା ବେଳେ ବି ଜିଲ୍ଲାରେ ୯୧୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। କେବଳ ଦଶମ ଶ୍ରେଣୀ ନୁହେଁ ଚଳିତ ବର୍ଷ ଜିଲ୍ଲାରେ ୯ମ ଏସଏ-୨ ପରୀକ୍ଷାରେ ବି ଜିଲ୍ଲାରେ ମୋଟ ୧୫୬୩୧ ଜଣ ୯ମ ଶ୍ରେଣୀ ପରୀକ୍ଷାର୍ଥୀ ମଧ୍ୟରୁ ୧୨ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତି ରହିଥିଲେ। ସାଧାରଣତଃ ଘରୋଇ ବିଦ୍ୟାଳୟରେ ଶତପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ଯାହା କିଛି ଅନୁପସ୍ଥିତ ରହିଛନ୍ତି। ସେଗୁଡିକ ଅଧିକାଂଶ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ବୋଲି ଦାବି କରାଯାଉଛି। ଜିଲ୍ଲାରେ ମୋଟ ୭୯ ଗୋଟି ପରୀକ୍ଷା କେନ୍ଦ୍ରରେ ବୋର୍ଡ ପରୀକ୍ଷା ହେଉଥିବା ବେଳେ ପ୍ରା‌ୟ ସମସ୍ତ କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ସେଥିମଧ୍ୟରୁ ପ୍ରଥମ ଦିନରେ ସର୍ବାଧିକ କୋଷାଗୁମୁଡା ବ୍ଲକର ବିଞ୍ଜିଲି ପରୀକ୍ଷା କେନ୍ଦ୍ରରେ ୩୪ ଜଣ ଓ ନନ୍ଦାହାଣ୍ଡି କେନ୍ଦ୍ରରେ ୩୦ ଜଣ ଅନୁପସ୍ଥିତ ରହିଛନ୍ତି। ଏଠି ସ୍କୁଲରେ ଡ୍ରପ ଆଉଟ କିପରି ରହୁଛି ତାହା ଜଳଜଳ ହୋଇ ଦେଖାଦେଇଛି। ତେବେ ଏହି ଡ୍ରପଆଉଟ କେବଳ ପରୀକ୍ଷା ବେଳେ ନା ସ୍କୁଲରେ ବର୍ଷ ସାରା ଅନୁପସ୍ଥିତି ରହୁଥିଲେ ତାହା ତଦନ୍ତ ସାପେକ୍ଷ।
ଏହି ଅନୁପସ୍ଥିତିର ବହୁ କାରଣ ରହିଛି। ସେଥିମଧ୍ୟରୁ ଅଧିକାଂଶ ଛାତ୍ରୀ ରହିଥିବା ଜଣାପଡିଛି। ଜିଲ୍ଲାରେ ବାଲ୍ୟ ବିବାହ ସଂଖ୍ୟା ଅଧିକ ଥିବାରୁ ବାଳିକାମାନେ ପାଠ ନପଢ଼ି ବିବାହ କରୁଥିବାରୁ ବାଳିକା ଡ୍ରପ ଆଉଟ ସଂଖ୍ୟା ଅଧିକ ବୋଲି ଦାବି କରାଯାଉଛି। ପିଲାମାନେ ସାଧାରଣତଃ ସ୍କୁଲରେ ଅନୁପସ୍ଥିତ ରୁହନ୍ତି। କିନ୍ତୁ ବିଦ୍ୟାଳୟ ପକ୍ଷରୁ କୌଣସି କାରଣରୁ ଡ୍ରପ ଆଉଟକୁ ଦେଖାଯାଉ ନାହିଁ ବୋଲି ଦାବି ଅଭିଯୋଗ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଗାଁ ଗହଳିରେ ୭ମ ପରେ ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ। ପିଲାମାନେ ସ୍କୁଲ ନଯାଇ ବାପା ମାଙ୍କୁ ସାହାଯ୍ୟ କରିବା ପାଇଁ ନିଜ ଜମିରେ କାମ କରୁଛନ୍ତି ଓ ଗୋରୁ ଚରାଉଛନ୍ତି କିମ୍ବା ଦାଦନ ଖଟିବାକୁ ଯାଉଛନ୍ତି। ଫର୍ମ ଫିଲଅପ କିମ୍ବା ପରୀକ୍ଷା ସମୟରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ପିଲାଙ୍କୁ ସ୍କୁଲକୁ ଡାକି ଆଣିବାକୁ ପଡୁଥିବା ଜଣେ ଶିକ୍ଷକ କହିଛନ୍ତି। ସରକାର ଡ୍ରପ ଆଉଟକୁ ହ୍ରାସ କରିବା ପାଇଁ ବହୁ ନିୟମ ଜାରି କରିଛନ୍ତି। ତେବେ ଏହି ନିୟମ ଯଦି ପ୍ରକୃତରେ କଡାକଡି କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଜିଲ୍ଲାରେ ହଜାର ହଜାର ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷାରେ ଅନୁପସ୍ଥିତ ରହିନଥାନ୍ତେ। ଗତ ଡିସେମ୍ବର ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବରଙ୍ଗପୁର ଜିଲ୍ଲାରେ ସମୀକ୍ଷା ବେଳେ ଜିଲ୍ଲାର କିପରି ଭା‌ବେ ପ୍ରାଥମିକ ସ୍ତରରୁ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକରୁ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରୁ କଲେଜ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟ ଅନୁଯାୟୀ ପା‌ଠ ଛାଡୁଛନ୍ତି ତାହା ନେଇ ଉଦବେଗ ପ୍ରକାଶ କରିଥିଲେ।

Share Now:

Kalinga News Beuro

Next Post

ଭିସୁଟର ଛାତ୍ରୀ ମୃତ୍ୟୁ ଘଟଣା : ଆସିଲା ଡାଏଟମ୍ ଟେଷ୍ଟ ରିପୋର୍ଟ

Sat Mar 11 , 2023
ବୁର୍ଲା: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ମାମଲାର ଡାଏଟମ୍ ଟେଷ୍ଟ ରିପୋର୍ଟ ଆସିଛି। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ଚିନ୍ମୟୀ ପ୍ରିୟଦର୍ଶନୀଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ସମ୍ବଲପୁର ଏସପି ବି ଗଙ୍ଗାଧର କହିଛନ୍ତି, ମୃତ୍ୟୁ ପୂର୍ବରୁ କୌଣସି ଯୌନାଚାର ହୋଇ ନାହିଁ। ଭିସେରା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ କେହି […]
ଭିସୁଟର ଛାତ୍ରୀ ମୃତ୍ୟୁ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial