ନୂଆଦିଲ୍ଲୀ: ଆମେରିକାରେ ପୁଣି ଆର୍ଥିକ ସଂକଟର ସଂକେତ ଦେଖାଦେଇଛି। ଆମେରିକାର ୧୬ତମ ବୃହତ୍ତମ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିପି)କୁ ବନ୍ଦ କରିବା ଘଟଣା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ କବଳିତ କରିବାର ଆଶଙ୍କା ବଢିଯାଇଛି। ଏହି ଖବର ଆସିବା ମାତ୍ରେ ଭାରତ ସମେତ ବିଶ୍ୱର ପ୍ରମୁଖ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି ଓ ନିବେଶକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଆମେରିକୀୟ ବ୍ୟାଙ୍କଗୁଡ଼ିକ ଷ୍ଟକ ବଜାରରେ ୧୦୦ ବିଲିୟନ ଡଲାର ହରାଇଛନ୍ତି। ସେହିପରି ୟୁରୋପର ବ୍ୟାଙ୍କଗୁଡ଼ିକ ଷ୍ଟକ ବଜାରରେ ୫୦ ବିଲିୟନ ଡଲାର ହରାଇଛନ୍ତି। ଶୁକ୍ରବାର ଭାରତରେ ବଜାର ଖୋଲିବା ମାତ୍ରେ ନିବେଶକମାନେ ପ୍ରଥମ ଘଣ୍ଟାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହରାଇଥିଲେ। ସିଲିକନ୍ ଭ୍ୟାଲି ବ୍ୟାଙ୍କ ବୁଡ଼ିବା ଆମେରିକାର ୨୦୦୮ ଆର୍ଥିକ ସଙ୍କଟ ପରଠାରୁ ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ୍ ସଙ୍କଟ ବୋଲି କୁହାଯାଉଛି। ୨୦୦୮ରେ ଲିମ୍ୟାନ ବ୍ରଦର୍ସ ବୁଡ଼ିବା ପରେ ଆମେରିକାର ଆର୍ଥିକ ସଂକଟ ଆରମ୍ଭ ହୋଇଥିଲା ଓ ତାହା ସମଗ୍ର ବିଶ୍ୱକୁ କବଳିତ କରିଥିଲା। ସିଲିକନ୍ ଭ୍ୟାଲି ବ୍ୟାଙ୍କ ମୁଖ୍ୟତଃ ସମଗ୍ର ବିଶ୍ୱର ଷ୍ଟାର୍ଟଅପ୍ ଗୁଡ଼ିକୁ ପାଣ୍ଠି ଯୋଗାଉଛି। କେବଳ ଆମେରିକାରେ ପ୍ରାୟ ୫୦ ପ୍ରତିଶତ ଷ୍ଟାର୍ଟଅପ୍ ଥିଲା ଯେଉଁଥିରେ ଏସଭିପି ବିଭିନ୍ନ ଭେଞ୍ଚର କ୍ୟାପିଟାଲିଷ୍ଟଙ୍କ ଜରିଆରେ ନିବେଶ କରିଥିଲା। ରିପୋର୍ଟ ଅନୁଯାୟୀ, ଏସଭିବି ଭାରତରେ ପ୍ରାୟ ୨୦ଟି ଷ୍ଟାର୍ଟଅପରେ ନିବେଶ କରିଛି। ବ୍ୟାଙ୍କ ଭାଙ୍ଗିବା ପରେ ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ଗ୍ରାହକଙ୍କ ଜମା ରାଶି। କାରଣ ଦେବାଳିଆ ହେବା ପରେ ବ୍ୟାଙ୍କିଙ୍ଗ କାର୍ଯ୍ୟ ଠପ୍ ହୋଇଯାଏ ଏବଂ ଗ୍ରାହକଙ୍କୁ ଟଙ୍କା ଉଠାଇବାକୁ ଅନୁମତି ଦିଆଯାଏ ନାହିଁ।
ବନ୍ଦ ହୋଇଗଲା ଆମେରିକାର ବୃହତ୍ ବ୍ୟାଙ୍କ : ଆସିପାରେ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା

Share Now: