୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଏପର୍ଯ୍ୟନ୍ତ ‘ଆନ୍ତରିକତା’ ଦେଖାଇନାହିଁ: ବୈଦେଶିକ ମନ୍ତ୍ରାଳୟ ରିପୋର୍ଟ

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୋମବାର (ମାର୍ଚ୍ଚ ୧୩, ୨୦୨୩) ଏହାର ବାର୍ଷିକ ରିପୋର୍ଟ ଜାରି କରି କହିଛି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଦେବାରେ ପାକିସ୍ତାନ ବିଫଳ ହୋଇଛି। ମନ୍ତ୍ରାଳୟର ପଲିସି ପ୍ଲାନିଂ ଡିଭିଜନ ଦ୍ୱାରା ପ୍ରସ୍ତୁତ ୩୪୫ ପୃଷ୍ଠାର ରିପୋର୍ଟରେ ବୈଦେଶିକ ମନ୍ତ୍ରାଳୟ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପାକିସ୍ତାନର କ୍ରମାଗତ ସୀମାପାର ଆତଙ୍କବାଦ, ଅନୁପ୍ରବେଶ ଏବଂ ଭାରତକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଉପରେ ଆଲୋକପାତ କରିଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ନ୍ୟାୟ ଦେବାରେ ପାକିସ୍ତାନ ଏପର୍ଯ୍ୟନ୍ତ ଆନ୍ତରିକତା ଦେଖାଇନାହିଁ। ସୀମାପାର ଆତଙ୍କବାଦକୁ ସମାପ୍ତ କରିବା ପାଇଁ ପାକିସ୍ତାନ ବିଶ୍ୱସନୀୟ, ଅପରିବର୍ତ୍ତିତ ଏବଂ ଯାଞ୍ଚଯୋଗ୍ୟ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ଭାରତ କ୍ରମାଗତ ଭାବରେ ଗୁରୁତ୍ୱାରୋପ କରିଆସୁଛି। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣ ପ୍ରାଣ ହରାଇଥିବା ବେଳେ ଏମାନଙ୍କ ମଧ୍ୟରେ ୨୦ ଜଣ ସୁରକ୍ଷା ବାହିନୀ ଯବାନ ଓ ୨୬ ଜଣ ବିଦେଶୀ ନାଗରିକ ଥିଲେ। ଏଥିସହ ଏହି ଆତଙ୍କବାଦୀ ହାମ୍‌ଲାରେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଭାରତ ବାରମ୍ବାର ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବହୁପକ୍ଷୀୟ ମଞ୍ଚରେ ସୀମାପାର ଆତଙ୍କବାଦକୁ ପାକିସ୍ତାନର ନିରନ୍ତର ସମର୍ଥନ ପ୍ରସଙ୍ଗ ଉଠାଇଛି ଏବଂ ଧରାପଡ଼ିଥିବା ଆତଙ୍କବାଦୀଙ୍କ ପାକିସ୍ତାନୀ ଉତ୍ପତ୍ତି ସମ୍ପର୍କରେ ବିଶ୍ୱସନୀୟ ସୂଚନା ପ୍ରଦାନ କରିଛି। ସୀମାପାର ଆତଙ୍କବାଦ ବ୍ୟତୀତ ପାକିସ୍ତାନ କିପରି ଭାରତକୁ ବଦନାମ କରିବା ଏବଂ ଏହାର ଘରୋଇ ରାଜନୈତିକ ଓ ଅର୍ଥନୈତିକ ବିଫଳତାରୁ ଧ୍ୟାନ ହଟାଇବା ପାଇଁ ଶତ୍ରୁତାମୂଳକ ପ୍ରଚାର କରୁଛି ତାହା ମଧ୍ୟ ବୈଦେଶିକ ମନ୍ତ୍ରାଳୟ ରିପୋର୍ଟରେ ଦର୍ଶାଯାଇଛି। ଜମ୍ମୁ-କଶ୍ମୀର ସମେତ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ପାକିସ୍ତାନର ସମସ୍ତ କାର୍ଯ୍ୟାନୁଷ୍ଠାନ ଓ ବୟାନକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟରେ ଭାରତର ବୈଦେଶିକ ନୀତି ଏବଂ ଅନ୍ୟ ଦେଶମାନଙ୍କ ସହ ଏହାର ସଂପର୍କ ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି।

Share Now:

Kalinga News Beuro

Next Post

ଜମ୍ମୁ କଶ୍ମୀରରେ ଏନଆଇଏର ଚଢ଼ଉ: ସଂଖ୍ୟାଲଘୁ ହତ୍ୟା ଓ ଆତଙ୍କବାଦୀ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ

Tue Mar 14 , 2023
ଶ୍ରୀନଗର: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି କରାଯାଇଥିବା ଆକ୍ରମଣ ଓ ସଂଖ୍ୟାଲଘୁଙ୍କ ହତ୍ୟା ଘଟଣାରେ ଚଢ଼ଉ କରିଛି। ଗତ ବର୍ଷ ଏ ନେଇ ଦାଖଲ ହୋଇଥିବା ଏଫ୍ଆଇଆର୍ ଆଧାରରେ ଆଠଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ଏନଆଇଏ ପଚରାଉଚରା ଲାଗି ୬ ଜଣଙ୍କୁ ଉଠାଇ ନେଇଥିବା ସୂଚନା ରହିଛି। ଏହି ୬ଜଣ ପାକିସ୍ତାନୀ ଗୁଇନ୍ଦା […]
ଏନଆଇଏର ବଡ଼ ଧରଣର ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial