ଲଣ୍ଡା କରିଦେଲେ ହନୁମାନ ପାହାଡ଼ : ତିନି ଦିନ ହେଲା ଜଳୁଛି ଡମପଡ଼ା

ହନୁମାନ ପାହାଡ଼ ଲଣ୍ଡା

କଟା ଗଛ ଲୁଚାଇବାକୁ ଜଙ୍ଗଲ ପୋଡ଼ିଦେଲେ

ଚନ୍ଦ୍ରଶେଖରପୁର: ପାହାଡ଼କୁ ଅକ୍ତିଆର କରିବେ। ସେଠାରେ ଗଛ କାଟି କଂକ୍ରିଟ୍‌ କୋଠା ଛିଡ଼ା କରିବେ। ତେଣୁ ବେଧଡ଼କ ଭାବେ ଚାଲିଛି ଗଛକଟା। ଆଉ ତାହାକୁ ଲୁଚାଇବାକୁ ବନାଗ୍ନି ‌ରୂପ ଦିଆଯାଉଛି। ନିଆଁ ଏଭଳି ସମୟରେ ଲଗା ଯାଉଛି ଯେ କେହି ସ୍ବର ଉଠାଇବେନି କି ପ୍ରତିବାଦ କରିବେନି। କିଏ ନିଆଁ ଲଗାଇଲା ତାହା ବି ଜଣାପଡ଼ିବ ନାହିଁ। ଏଭଳି ଢଙ୍ଗରେ ସବୁଜିମାମୟ ହନୁମାନ ପାହାଡ଼କୁ ଲଣ୍ଡା କରାଯାଉଛି। ଭୁବନେଶ୍ବରର ଅନ୍ୟତମ ଜୈବବିବିଧତା ସ୍ଥଳ ଭାବେ ପରିଚିତ ଶିଖରଚଣ୍ଡୀ ପାହାଡ଼କୁ ଲାଗି ରହିଥିବା ଏହି ପାହାଡ଼ ଏବେ ଗଛ ଶୂନ୍ୟ ହେବାକୁ ଯାଉଛି। ଛୋଟ ବଡ଼ ଶତାଧିକ ଗଛ କଟା ସରିଛି। ଆଉ ଯାହା ବି କିଛି ଥିଲା, ସେଥିରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏବେ କେବଳ ପଥର ଦେଖିବାକୁ ମିଳୁଛି। ଗଛର ନାଁ ଗନ୍ଧ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‌ଯେ ହନୁମାନ ପାହାଡ଼ରେ ଲାଗୁଥିବା ନିଆଁ ଶିଖରଚଣ୍ଡୀ ପାହାଡ଼ ପାଇଁ ବିପଦ ସୃଷ୍ଟି କଲାଣି। କାରଣ ଶିଖରଚଣ୍ଡୀ ପାହାଡ଼ରେ ଏବେ କୁଢ଼କୁଢ଼ ଶୁଖିଲା ପତ୍ର ପଡ଼ି ରହିଛି। ଏଠାରେ କୌଣସି ଫାୟାର ଲାଇନ୍‌ ହୋଇନି କି ଶୁଖିଲା ପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନାହିଁ। ଯଦି କୌଣସି କାରଣବଶତଃ ହନୁମାନ ପାହାଡ଼ରେ ବାରମ୍ବାର ଲାଗୁଥିବା ନିଆଁ ଶିଖରଚଣ୍ଡୀ ପାହାଡ଼କୁ ବ୍ୟାପେ, ତେବେ ଏଠାକାର ଜୈବବିବିଧତା ନଷ୍ଟ ହୋଇଯିବା ଏକପ୍ରକାର ଥୟ। କାରଣ ଶିଖରଚଣ୍ଡୀ ପାହାଡ଼ରେ ବହୁ ପରିମାଣର ଔଷଧୀୟ ସମେତ ୧୦ ହଜାରରୁ ଅଧିକ ବୃକ୍ଷ ରହିଛି।
ଶିଖରଚଣ୍ଡୀ ପାହାଡ଼କୁ ଶୁଖିଲା ପତ୍ର ବିପଦ
ଗତକାଲି ହନୁମାନ ପାହାଡ଼ରେ ଲାଗିଥିବା ନିଆଁ ସମ୍ପର୍କରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଗତ କିଛି ଦିନ ହେଲା ହନୁମାନ ପାହାଡ଼ରେ ନିଆଁ ଲଗା ଯାଉଛି। ଏକ ସରକାରୀ ପ୍ରକଳ୍ପ ଲାଗି ପାହାଡ଼ରେ ଜାଗା ଦିଆଯାଇ ଥିବାରୁ ସେଠାରେ ଥିବା ଗଛଗୁଡ଼ିକୁ କଟାଯାଇଛି। ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କଲେ ଅଧିକ ଖର୍ଚ୍ଚ ହେବ। ତେଣୁ ସମ୍ପୃକ୍ତ ସଂସ୍ଥା ଦ୍ବାରା ନିୟୋଜିତ କର୍ମଚାରୀ ସନ୍ଧ୍ୟା ସମୟରେ ଜାଣିଶୁଣି ନିଆଁ ଲଗାଇ ଦେଉଛନ୍ତି। ଗତକାଲି ନିଆଁ ଲାଗିବା ସମୟରେ ପାହାଡ଼ ତଳେ ଏକ ହାତୀ ରହିଥିଲା। ତାକୁ ଘଉଡ଼ାଇବା ଲାଗି ବନ ବିଭାଗ କର୍ମଚାରୀ ଆସିଥିବା ସମୟରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ପହଞ୍ଚିଥିଲେ। ସୌଭାଗ୍ୟବଶତଃ ହାତୀଟି ସେଠାରୁ ପଳାଇ ଯାଇଥିଲା। ମାତ୍ର ପାହାଡ଼ ଉପରକୁ ଯିବାକୁ ରାସ୍ତା ନ ଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ନିଆଁକୁ ଆୟତ୍ତ କରିବା ବଦଳରେ ଛାଡ଼ି ଚାଲି ଯାଇଥିଲେ। ଏଭଳି କରିବା ଦ୍ୱାରା ସମ୍ପୂର୍ଣ୍ଣ ପାହାଡ଼ ଲାଗି ଏବେ ବିପଦ ସୃଷ୍ଟି ହୋଇଛି। ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ଯେ ହନୁମାନ ପାହାଡ଼ରେ ଲାଗିଥିବା ନିଆଁ ଆୟତ୍ତ ହୋଇସାରିଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଚାଲି ଆସିଥିବା ହାତୀକୁ ଘଉଡ଼ା ଯାଇଛି। ଜଙ୍ଗଲୀ ଜନ୍ତୁ ‌ଯେପରି ଜନବସତି ଆଡ଼କୁ ମାଡ଼ି ନ ଆସନ୍ତି, ସେଥିପାଇଁ ବନ ବିଭାଗ ସଜାଗ ରହିଛି। ବନ୍ୟଜନ୍ତୁ ଜନବସତିକୁ ଆସିବା କ୍ଷଣି ତୁରନ୍ତ ବନ କର୍ମଚାରୀଙ୍କୁ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ, ଚନ୍ଦକା ଡିଭିଜନ୍‌ର ଡମପଡ଼ା ରେଞ୍ଜର ଡମପଡ଼ା ବିଟ୍‌ରେ ଆଜି ବନାଗ୍ନି ଦେଖିବାକୁ ମିଳିଥିଲା। ଗତ ୧୧ତାରିଖ ଅପରାହ୍ନ ୧ଟା ୨୪ରେ ପ୍ରଥମ କରି ଏଠାରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ଆଜି ମଧ୍ୟାହ୍ନ ୧୨ଟା ୪୬ରେ ବି ସମ୍ପୃକ୍ତ ସ୍ଥାନରେ ଜଙ୍ଗଲ ଜଳୁଥିବାର ଚିତ୍ର ସାମ୍ନାକୁ ଆସିଛି। ତିନି ଦିନ ହୋଇଗଲା ଜଙ୍ଗଲ ଜଳୁଥିଲେ ମଧ୍ୟ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି।

Share Now:

Kalinga News Beuro

Next Post

ଓଡ଼ିଶାରେ ହାତୀ ମଡ଼କ ନେଇ ପ୍ରଶ୍ନ କଲେ ବିଧାୟକ କୁସୁମ ଟେଟେ: ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ

Tue Mar 14 , 2023
ଭୁବନେଶ୍ବର : ୨୦୧୭-୧୮ରୁ ୨୦୨୧-୧୧ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରରେ ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ଶିକାର ଦ୍ୱାରା ୧୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ବିଷ ପ୍ରୟୋଗ […]
ଓଡ଼ିଶାରେ ହାତୀ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial