ଭୁବନେଶ୍ୱର: ଘର ପାଖକୁ ପ୍ରତିଦିନ ଆସୁଛି କୁଢ଼କୁଢ଼ ଅଳିଆ। ସଫେଇ ଗାଡ଼ିଗୁଡ଼ିକ ୱାର୍ଡରୁ ଆବର୍ଜନା ସଂଗ୍ରହ କରିବା ପରେ ତାହାକୁ ମାଇକ୍ରୋ କମ୍ପୋଜିଟିଂ ସେଣ୍ଟର(ଏମ୍ସିସି)ରେ ଆଣି ପକାଉଛନ୍ତି। ଯେଉଁଥିପାଇଁ ଏବେ ପ୍ଲାଣ୍ଟ ନିକଟରେ ରହୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇଗଲାଣି। ଦୁର୍ଗନ୍ଧ ଏପରି ହେଉଛି ଯେ, ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ କବାଟ, ଝରକା ଖୋଲିପାରୁ ନାହାନ୍ତି। ବୟସ୍କମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଛୋଟ ପିଲାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ରାଜଧାନୀରେ ଘର କରି ରହୁଥିଲେ ମଧ୍ୟ ବିଏମ୍ସି ପ୍ରତିଦିନ ସେମାନଙ୍କୁ ରୋଗ ଭେଟି ଦେଉଛି। ଏନେଇ ଅଭିଯୋଗ କଲେ ପ୍ରଶାସନ ଶୁଣୁନି କି ପ୍ରତିକାର କରୁନି। ଯେଉଁଥିପାଇଁ ଆବର୍ଜନା ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ। ୱାର୍ଡ ନମ୍ବର ୫୩ ପାଇଁ ୟୁନିଟ୍-୧ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା କମ୍ପୋଷ୍ଟ ପ୍ଲାଣ୍ଟ ନିକଟରେ ରହୁଥିବା ଲୋକଙ୍କ ଅବସ୍ଥା ଏବେ ଏମିତି। ସହରର ଏହି ଗୋଟିଏ ଅଞ୍ଚଳ କିମ୍ବା ୱାର୍ଡବାସୀଙ୍କ ସମସ୍ୟା ନୁହେଁ। ବରଂ ଜନବସତି ମଧ୍ୟରେ ଗଢ଼ିଉଠିଥିବା ୧୫ରୁ ଅଧିକ ଏମ୍ସିସି ଆଖପାଖରେ ରହୁଥିବା ଲୋକଙ୍କ ଦୁଃଖ ଏବେ ଏମିତି। ଆଜି ସୁଦ୍ଧା ସହରରେ ୩୦ଟି କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଆଗକୁ ଆଉ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମାତ୍ର ଏବେ ଯେଉଁଗୁଡ଼ିକ ରହିଛି ସେଥିରୁ ଅଧିକାଂଶ ଜନବସତି ମଧ୍ୟରେ ରହିଛି। ବିଶେଷକରି ୱାର୍ଡ ନମ୍ବର ୧ ଓ ୨ ପାଇଁ ପ୍ରଶାନ୍ତିବିହାରରେ, ୱାର୍ଡ ୮ ଓ ୧୩ ପାଇଁ ନୀଳାଦ୍ରିବିହାରରେ, ୱାର୍ଡ ୫୩ ଓ ୪୦ ପାଇଁ ୟୁନିଟ୍-୧ରେ ହୋଇଥିବା ପ୍ଲାଣ୍ଟ ନିକଟରେ ବସବାସ କରୁଥିବା ଲୋକଙ୍କ ସମସ୍ୟା ବଢ଼ିଯାଇଛି। ବଡ଼ଗଡ଼, ବରମୁଣ୍ଡା, ପୋଖରୀପୁଟ, କଳିଙ୍ଗନଗର, ନିକୋ ପାର୍କ ନିକଟରେ ପ୍ରତିଷ୍ଠା ହୋଇଥିବା କମ୍ପୋଷ୍ଟ ପ୍ଲାଣ୍ଟ ନିକଟରେ ଥିବା ଲୋକଙ୍କ ଅବସ୍ଥା ମଧ୍ୟ ତଦ୍ରୂପ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅଧିକାଂଶ ଏମ୍ସିସି ନିକଟରେ ସ୍କୁଲ ରହିଛି। ସ୍କୁଲ ଯିବା ସମୟରେ ପିଲାମାନେ ଦୁର୍ଗନ୍ଧରେ ଯାଉଛନ୍ତି। ଶ୍ରେଣୀ ଗୃହରେ ବସିବା ସମୟରେ କବାଟ, ଝରକା ବନ୍ଦ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ ପଢ଼ାଉଛନ୍ତି। ୪ ମାସ ତଳେ ବରମୁଣ୍ଡା ହାଇସ୍କୁଲ୍ ପାଖରେ ତିଆରି ହୋଇଥିବା ଏମ୍ସିସିକୁ ବିରୋଧ କରି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଏମ୍ସିସି ପ୍ରତିଷ୍ଠା ହେବା ଦ୍ୱାରା ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ବିଦ୍ୟାଳୟ ପାଚେରିକୁ ଲାଗି ଏହି ଏମ୍ସିସି ହୋଇଥିବାରୁ ଏଥିରୁ ବାହାରୁଥିବା ଦୁର୍ଗନ୍ଧ ବିଦ୍ୟାଳୟ ପରିସର ସାରା ଖେଳିଯାଉଛି। କଦର୍ଯ୍ୟ ଗନ୍ଧରେ ନାକ ଫାଟିପଡୁଛି। ପରିସ୍ଥିତି ଏମିତି ହେଉଛି ଯେ ଶ୍ରେଣୀଗୃହରେ ବସିବା ସମ୍ଭବ ହେଉନାହିଁ। ଏମ୍ସିସିକୁ ଆସୁଥିବା ଅଳିଆ ଆବର୍ଜନା ବିଦ୍ୟାଳୟ ଭିତରକୁ ଉଡ଼ି ଆସୁଛି। ଏଣୁ ବିଦ୍ୟାଳୟ ପରିସର ନିକଟରୁ ଏହି ଏମ୍ସିସିକୁ ହଟାଯାଉ। ତା’ପରେ ବି କୌଣସି ସମାଧାନର ରାସ୍ତା ବାହାରି ପାରି ନାହିଁ। ଏବେ ୟୁନିଟ୍-୧ ଅଞ୍ଚଳରେ ବି ସମାନ ସ୍ଥିତି। ଏମ୍ସିସିର ଗୋଟିଏ ପାଖରେ ସ୍କୁଲ ରହିଥିବା ବେଳେ ଅନ୍ୟପାର୍ଶ୍ଵରେ ଆଦିବାସୀ ପଡ଼ିଆ। ଏହାର ଠିକ୍ ୨୦୦ ମିଟର ଦୂରରେ କମଳା ନେହେରୁ ମହିଳା ମହାବିଦ୍ୟାଳୟ ରହିଛି। ଗୋଟିଏ ପଟେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ାଯାଉଛି, ଆଉ ଅନ୍ୟପଟେ ରୋଗ ବାଣ୍ଟୁଛି ବିଏମ୍ସି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏମ୍ସିସି ଚାରିପାଖରେ ରହୁଥିବା ଲୋକେ ବି ବର୍ଷ ସାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ଦିନେ ଏମ୍ସିସି ଭିତରୁ ବଡ଼ବଡ଼ ପୋକ ବାହାରି ଘରେ ପଶିଯାଉଥିବା ୟୁନିଟ୍-୧ ବାସିନ୍ଦା ସୁଶ୍ରୀ ବରାଳ ଅଭିଯୋଗ କରିଛନ୍ତି। ନିକୋ ପାର୍କ ନିକଟରେ ଥିବା ଏମ୍ସିସି ଅବସ୍ଥା ବି ସମାନ। ଗୋଟିଏ ପାର୍ଶ୍ଵରେ ପାର୍କ ଥିବା ବେଳେ ଅନ୍ୟପାର୍ଶ୍ଵରେ ଏକ ନାମକରା କୋଚିଂ ସେଣ୍ଟର ରହିଛି। ପ୍ରତିଦିନ ବାହାରୁଥିବା ଦୁର୍ଗନ୍ଧରେ ଏଠାକୁ ଆସୁଥିବା ପିଲା ପାଠ ପଢ଼ୁଛନ୍ତି। ଏପରିକି ସଚିବାଳୟ ମାର୍ଗରେ ଯାଉଥିବା ପ୍ରତିଟି ଲୋକେ ଦୁର୍ଗନ୍ଧକୁ ସାମ୍ନା କରି ଆଗକୁ ବଢ଼ୁଛନ୍ତି। ଏହାର କୌଣସି ବି ପ୍ରତିକାର କରାଯାଉ ନାହିଁ। ଦୁର୍ଗନ୍ଧ କିଭଳି ନ ବ୍ୟାପିବ ସେଥିପାଇଁ ଆବଶ୍ୟକୀୟ ପରିମାଣର କୁଣ୍ଡା, ଦହି, ଗୁଡ଼ ପକାଇବାକୁ ପରାମର୍ଶ ଦିଆଯାଉଛି। ଏମ୍ସିସି ପରିଚାଳନା କରୁଥିବା ଗୋଷ୍ଠୀମାନଙ୍କୁ ଏ ବାବଦରେ ମାସକୁ ୪ହଜାର ୫ଶହ ଟଙ୍କା ଦିଆଯାଉଛି। ମାତ୍ର ଅଧିକାଂଶ ସ୍ଥାନରେ ତାହାକୁ ପାଳନ କରାଯାଉ ନାହିଁ। ଯେଉଁଥିପାଇଁ ଏହି କେନ୍ଦ୍ରର ଦୁଇ କିଲୋମିଟର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ପ୍ରତ୍ୟେକ ଦିନ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ବିଏମ୍ସିରେ ଗଦା ଗଦା ଅଭିଯୋଗ ପହଞ୍ଚୁଛି। ତା’ସତ୍ତ୍ୱେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରିକି ବିଏମ୍ସି କର୍ପୋରେସନ ବୈଠକରେ କର୍ପୋରେଟରମାନେ ଏନେଇ ବାରମ୍ବାର ଅଭିଯୋଗ କରିଛନ୍ତି। ଜନବସତିଠାରୁ ବହୁ ଦୂରରେ ପ୍ରତିଷ୍ଠା କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ମାତ୍ର କିଛି ସୁଫଳ ମିଳୁନି। ଏମ୍ସିସି ପ୍ରତିଷ୍ଠା ଲାଗି ଯୋଜନା ପ୍ରସ୍ତୁତ ବେଳେ ଜନବସତିଠାରୁ ବହୁ ଦୂରରେ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପିତ୍ତି ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର କରାଯାଇ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।