ଭୁବନେଶ୍ବର : ହଂସପାଳ ଫ୍ଲାଏଓଭର୍ ନିର୍ମାଣ ବିଳମ୍ବ ପ୍ରସଙ୍ଗ ଆଜି ଭିନ୍ନ ମୋଡ଼ ନେଇଛି। ଏନ୍ଏଚ୍ଏଆଇ ଅଧିକାରୀ ଓ ଠିକାଦାର ଗୁରୁବାର ଦିନ କ୍ଷେତ୍ର ପରିଦର୍ଶନରେ ଆସିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଦୀର୍ଘ ଦିନ ହେବ ବ୍ରିଜ୍ କାମ ସଂପୂର୍ଣ୍ଣ ନ ହେବା ଓ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ପାଟିତୁଣ୍ଡ କରିଥିଲେ। ଏମିତିକି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ତୁରନ୍ତ କାମ ନ ସରିଲେ, ଏନଏଚ୍ଏଆଇ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଚେତାବନୀ ଦେଇଥିଲେ।
ସୂଚନା ଅନୁସାରେ, ଗୁରୁବାର ଦିନ ପ୍ରାୟ ୩ଟା ବେଳେ ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ସିଂହ, ଠିକାଦାର ଓ ଅନ୍ୟ କର୍ମଚାରୀମାନେ ନିର୍ମାଣଧୀନ ଫ୍ଲାଏଓଭର୍ର ସ୍ଥିତି ଯାଞ୍ଚ କରିବା ପାଇଁ ଘଟଣାସ୍ଥଳକୁ ଆସିଥିଲେ। ଏହି ସମୟରେ ୬୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଘେରି ଯାଇଥିଲେ। କେବେ କାମ ସରିବ, କାହିଁକି ଡେରି ହେଉଛି, ଯେତିକି କାମ ହେଉଛି, ସେଥିରେ କାହିଁକି ଠିକ୍ ଭାବେ ପାଣି ଦିଆଯାଉନି ଓ କାହିଁକି ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଛି ଭଳି ପ୍ରଶ୍ନବାଣରେ ଅଧିକାରୀଙ୍କୁ ଘାଇଲା କରିଦେଇଥିଲେ। ତୁରନ୍ତ କାମ ଶେଷ ନକଲେ ଏନ୍ଏଚ୍ଏଆଇ କାର୍ଯ୍ୟାଳୟ ଘେରାଉ କରିବା ସହ ଠିକାଦାର ଓ ଅଧିକାରୀ ସମସ୍ତଙ୍କୁ ମାଡ଼ ମରାଯିବ ବୋଲି ଚରମ ଚେତାବନୀ ଦେଇଥିଲେ। ତେବେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ସିଂହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ରାସ୍ତା କାମର ମାନ ଯାଞ୍ଚ କରିବା ସହ ଠିକ୍ ଭାବେ ପାଣି ଦିଆଯିବା ସୁନିଶ୍ଚିତ କରିବା ଓ ରାସ୍ତାରେ ଧୂଳି ନ ଉଡ଼ିବା ପାଇଁ ନିୟମିତ ଅନ୍ତରାଳରେ ପାଣି ସିଞ୍ଚନ କରାଯିବ ବୋଲି ଶ୍ରୀ ସିଂହ କହିଥିଲେ। ଆସନ୍ତା ଏପ୍ରିଲ୍ ୩୦ ସୁଦ୍ଧା ବାମ ଓ ମେ’ ୧୫ ସୁଦ୍ଧା ଡାହାଣ ପାର୍ଶ୍ବ ବ୍ରିଜ୍ କାମ ଶେଷ ହେବ ଏବଂ ଜୁନ୍ ୩୦ ସୁଦ୍ଧା ସମ୍ପୂର୍ଣ୍ଣ ଫ୍ଲାଏଓଭର୍ କାମ ଶେଷ ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଗାଁ ଲୋକଙ୍କ ପକ୍ଷରୁ ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦର ସଭାପତି ପ୍ରଭାତ ଦାଶ କହିଥିଲେ ଯେ ଏହି ସମୟ ଭିତରେ କାମ ନ ସରିଲେ, ଗ୍ରାମବାସୀ ଚରମ ପନ୍ଥା ଆପଣାଇବେ। ଆଜିର ଏହି ବିକ୍ଷୋଭରେ ସ୍ଥାନୀୟ କର୍ପୋରେଟର୍ ସୁକୁମାର ସାହୁ, ଗୋଲକ ଜେନା, ସୁମନ୍ତ ବାରିକ, ଦିଲ୍ଲୀପ ରାଉତ, କୈଳାସ ନାଥ ଶର୍ମା, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ହଂସପାଳ ଫ୍ଲାଏଓଭର୍ ନିର୍ମାଣ ବିଳମ୍ବ ପ୍ରସଙ୍ଗ : ଏନ୍ଏଚ୍ ଅଧିକାରୀ, ଠିକାଦାରଙ୍କୁ ଘେରିଲେ ଗ୍ରାମବାସୀ

Share Now: