ହସ୍ତଶିଳ୍ପ ମେଳାକୁ କାଳ ହେଲା କାଳବୈଶାଖୀ : ଅନ୍ଧାରରେ ଲୁଟିଲେ ଦୁର୍ବୁର୍ତ୍ତ

ହସ୍ତଶିଳ୍ପ ମେଳାକୁ କାଳ ହେଲା କାଳବୈଶାଖୀ

ବାଲିଅନ୍ତା: ଦୀର୍ଘ ମାସ ପରେ ଆଜି ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ବାଲିଅନ୍ତା ଅଞ୍ଚଳରେ କିଛି ବର୍ଷା ହେବା ଫଳରେ ଲୋକେ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ ବାଳକାଟି କଲେଜ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ହସ୍ତଶିଳ୍ପ ମେଳାକୁ ଏହି କାଳବୈଶାଖୀ ମେଘପବନ କାଳ ସଦୃଶ ହୋଇଥିଲା। ବର୍ଷାରେ ଭିଜି ଯେତିକି ସାମଗ୍ରୀ ନଷ୍ଟ ହୋଇଛି, ତା’ଠୁ ବେଶି ଲୁଟ୍‌ ହୋଇଛି ବୋଲି ଚର୍ଚ୍ଚା ହେଉଛି। ପ୍ରବଳ ଧୂଳଝଡ଼ ସାଙ୍ଗକୁ ବିଦ୍ୟୁତ୍ କଟି ଅନ୍ଧାର ହୋଇଯିବା ମଉକାରେ ଲୁଟେରାମାନେ ବେଶ୍‌ ହାତ ସଫେଇ କରିଥିବା ଜଣାପଡ଼ିଛି। ବେପାରୀମାନେ ଅନ୍ଧାର ଭିତରେ ବଡ଼ବଡ଼ ଜିନିଷକୁ ସାଇତିବାରେ ଲାଗିଥିବା ବେଳେ ଛୋଟ ଛୋଟ ଜିନିଷ ସବୁ ଲୁଟେରାଙ୍କ ପକେଟ୍‌ରେ ଗାଏବ୍‌ ହୋଇଯାଇଥିବା କୁହାଯାଉଛି। ତେବେ ଏନେଇ ବେପାରୀମାନଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ।
ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଠାତ୍ ମେଘ ପବନ ମାଡ଼ିଆସିଥିଲା ଏବଂ ବିଦ୍ୟୁତ୍ କଟିଗଲା। ଜୋର୍‌ ପବନ ମାଡ଼ରେ ମେଳା ପରିସରରେ ହୋଇଥିବା ସାଂସ୍କୃତିକ ମଞ୍ଚ ଏବଂ ଅନ୍ୟାନ୍ୟ ସ୍ଥାନର ଲାଇଟ୍‌ ଖୁଣ୍ଟ ଭାଙ୍ଗି ତଳେ ଲୋଟିଲା। ଧୂଳିଝଡ଼ ଯୋଗୁ ସବୁଆଡ଼େ ଘନ ଅନ୍ଧାର ଛାଇଗଲା। ଲାଇଟ୍‌ ଖମ୍ବଟିଏ ଭାଙ୍ଗିପଡ଼ିବାରୁ ଏକ ଶଙ୍ଖ ସାମଗ୍ରୀ ଷ୍ଟଲ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନରେ ତମ୍ବୁ ଉଡ଼ିଯିବା ଫଳରେ ବହୁ ସାମଗ୍ରୀ ଭିଜି ଯାଇଥିଲା। ମେଘପବନରୁ ରକ୍ଷା ପାଇବା ପାଇଁ ଲୋକେ ଧାଁ’ଧଉଡ଼ କରୁଥିବା ବେଳେ ଲୁଟେରାମାନଙ୍କ ପାଇଁ ମଉକା ମିଳିଯାଇଥିଲା। ମେଳାରେ ଡିଜି ବ୍ୟବସ୍ଥା ନଥିବାରୁ ତୁରନ୍ତ ଲାଇଟ୍‌ ଜଳିବା ସମ୍ଭବ ହୋଇନଥିଲା। ତେଣୁ ବ୍ୟବସାୟୀମାନେ ବେଶ୍ ହନ୍ତସନ୍ତ ହୋଇଥିଲେ। ସୂଚନାଯୋଗ୍ୟ ଯେ କାଳବୈଶାଖୀ ଲାଗି ବାଲିଅନ୍ତା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ସୁଦର୍ଶନ ଦାରୁପୀଠ ରାସ୍ତା ଉପରେ ଗଛ ଭାଙ୍ଗିପଡ଼ିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ସେହିପରି ଭିଙ୍ଗାରପୁର, ପ୍ରତାପରୁଦ୍ରପୁର ଓ ଜୟଦେବ ପଞ୍ଚାୟତ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଗଛ ଭାଙ୍ଗିପଡ଼ିବା ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ବନ୍ଦ ଲଫାପା କାରବାର ଶେଷ କର: ଆଟର୍ଣ୍ଣି ଜେନେରାଲ୍‌ଙ୍କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି

Mon Mar 20 , 2023
ନୂଆଦିଲ୍ଲୀ: ଅଦାଲତରେ ବନ୍ଦ ବା ମୁଦା ଲଫାପାରେ ଦଲିଲ ଦାଖଲ ବନ୍ଦ କରାଯାଉ ବୋଲି ଆଜି ‘ୱାନ୍‌ ରାଙ୍କ୍‌ ୱାନ୍‌ ପେନ୍‌ସନ୍‌’ (ଓଆର୍‌ଓପି) ମାମଲାର ଶୁଣାଣି କରିବା ବେଳେ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ପେନ୍‌ସନ୍ ପେମେଣ୍ଟ୍‌ ସମ୍ବନ୍ଧରେ ପ୍ରତିରକ୍ଷା ମନ୍ତ୍ରାଳୟର ନିଷ୍ପତ୍ତି ଉଲ୍ଲେଖ ଥିବା କାଗଜପତ୍ରଗୁଡ଼ିକୁ ଭାରତର ଆଟର୍ଣ୍ଣି ଜେନେରାଲ୍‌ ଏକ ମୁଦା ଲଫାପାରେ ଦାଖଲ କରିଥିଲେ। କିନ୍ତୁ, ତାହା ଗ୍ରହଣ […]
ଆଟର୍ଣ୍ଣି ଜେନେରାଲ୍‌ଙ୍କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial